ମନଜିଣୁଛି ପାରମ୍ପରିକ ରଜ ଦୋଳି ଗୀତ ଓ ଲୋକ ନୃତ୍ୟ ପ୍ରତିଯୋଗିତା
କାଳୀପଡିଆ ନବମ ରଜ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା
କେନ୍ଦୁଝରଗଡ଼ : କାଳୀପଡିଆରେ ଆରମ୍ଭ ହୋଇଥିବା ନବମ ରଜ ମହୋତ୍ସବର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ପରମ୍ପରା ଅନୁଯାୟୀ ଗୁରୁବାର ଅପରାହ୍ନରେ ରଜବତୀ ବିବାହ ଉତ୍ସବ ନିରାଡମ୍ବରରେ ସମ୍ପର୍ଣ୍ଣ ହୋଇଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ବେ କେନ୍ଦୁଝର ସହର ସମେତ ସହର ଉପକଣ୍ଠ ଗ୍ରାମର ମହିଳା ଓ ଯୁବ ଗୋଷ୍ଠୀ ମହୋତ୍ସବକୁ ଆନନ୍ଦ ଉଲ୍ଲାସର ସହ ବେଶ୍ ଉପଭୋଗ କରିଥିବା ଦେଖିବାକୁ ମିଳିଛି । ବିଶେଷକରି ରଜ ଦୋଳି ଗୀତ ପ୍ରତିଯୋଗିତା ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ଏହାକୁ ଉପଭୋଗ କରିବା ପାଇଁ ସହରୀ କୁମାରୀଙ୍କ ମନରେ ବେଶ୍ ଉତ୍ସାହ ଦେଖାଦେଇଛି । ବ୍ରାହ୍ମଣୀଗାଁ, ଜଡିଚାତର, ଶଙ୍କରପୁର, ବଳଭଦ୍ରପୁର, ଧୃପଦା, ବକ୍ସିବାରିଗାଁ, ଜାମୁନାଳିଆ ଆଦି ଗ୍ରାମରୁ ମହିଳା ଓ ପୁରୁଷ ଦଳ ପକ୍ଷରୁ ରଜଦୋଳି ଗୀତ ପ୍ରତିଯୋଗିତା ଗୁରୁବାର ମଧ୍ୟ ଅନୁଷ୍ଠିତ ହୋଇଯାଇଛି।
ରଜ ମହୋତ୍ସବ କମିଟି ସଭାପତି କୃଷ୍ଣ ଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ରଜ ମହୋତ୍ସବ ଜିଲାର ସଂସ୍କୃତି, ପ୍ରଥା ଓ ପରମ୍ପରାକୁ ବଜାୟ ରଖିବାରେ ଯେତିକି ସକ୍ଷମ ହୋଇପାରିଛି ତା’ଠାରୁ ଅଧିକ ଭାଇଚାର ସୃଷ୍ଟି କରିପାରିଛି । ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ନୃତ୍ୟଗୁରୁ ଗୁରୁ ଦାସଙ୍କ ବର୍ଷା କ୍ଲବ କନିଷ୍ଠ କଳାକାରଙ୍କ ‘ପରୀ’ ହତ୍ୟାକାଣ୍ଡକୁ ନେଇ ପରିବେଷିତ କ୍ଷୁଦ୍ର ନୃତ୍ୟାଭିନୟ ଖୁବ୍ ଉଚ୍ଚକୋଟୀର ହୋଇଥିଲା। ଏତଦ୍ବ୍ୟତୀତ ରଜ ମହୋତ୍ସବ ଅବସରରେ କାଳୀପଡିଆରେ ଚଳିତମାସ ୭ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ମେଳାରେ ମହୋତ୍ସବ ସ୍ଥଳରେ ଭଳିକି ଭଳି ଦୋଳି ଖେଳର ମଜା ସାଙ୍ଗକୁ ଖାଦ୍ୟ ମେଳାରେ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ଓ ରଜ ପାନ ଖାଇ ରଜ ମଜା ନେବା ପାଇଁ ବିଶେଷକରି ଯୁବଗୋଷ୍ଠୀ ଓ ମହିଳାମାନେ ଅପରାହ୍ନରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେଶ୍ ଭିଡ ଜମାଉଥିବା ଦେଖିବାକୁ ମିଳିଛି।
Comments are closed.