କାଳିପଡିଆରେ ନବମ ରଜ ମହୋତ୍ସବ ଉଦ୍ଘାଟିତ
କେନ୍ଦୁଝରଗଡ଼ : ଘରେ ଘରେ କୁଣିଆଁଙ୍କ ସହ ଆରମ୍ଭ ହାଇଛି ରଜ ପର୍ବ । ଏଥିପାଇଁ ସମଗ୍ର ଜିଲା ହୋଇଉଠିଛି ଉତ୍ସବ ମୁଖର। ଜିଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ଜିଲାବାସୀ ବେଶ୍ ଗର୍ବିତ ଥିବାବେଳେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ରଜ ମହୋତ୍ସବ ଏକ ଗଣ ପର୍ବ ଭାବେ ପାଳିତ ହୋଇଆସୁଛି । ଧନୀ-ଦରିଦ୍ର ମଧ୍ୟରେ କୌଣସି ବିଭେଦ ରଖୁନଥିବା ଏହି ପର୍ବ ଜିଲା ବ୍ୟାପୀ ଖୁବ ଜାକଜମକରେ ପାଳିତ ହୋଇଆସୁଛି । ଏଥି ପାଇଁ ଗାଁରୁ ସହର ସବୁଠି ହୋଇ ଉଠିଛି ଚଳଚଞ୍ଚଳ।
ଏହି ଅବସରରେ କେନ୍ଦୁଝର ସହର କାଳୀପଡିଆରେ ଆୟୋଜିତ ନବମ ରଜ ମହୋତ୍ସବକୁ କମିଟିର ବରିଷ୍ଠ ସଦସ୍ୟ ନେତ୍ରାନନ୍ଦ ନାଏକ ଉଦ୍ଘାଟନ କରିଛନ୍ତି । ବୁଧବାର ଅପରାହ୍ନରେ ଗ୍ରାମ ଦେହୁରୀ ଚମ୍ପା ନାଏକ ଓ ଦୋଳି ପ୍ରସ୍ତୁତକାରୀ ମୁଖ୍ୟ ମହାରଣା ହଳଧର ପଇଦା ଦୋଳିକୁ ଯଥାରୀତି ପୂଜାର୍ଚ୍ଚନା କରିବା ପରେ ଦୋଳି ଖେଳ ଆରମ୍ଭ ହୋଇଥିଲା । ଏହି ରଜ ମହୋତ୍ସବକୁ ଅଧିକ ଆକର୍ଷଣ କରିବା ପାଇଁ ଚଳିତମାସ ୭ ତାରିଖରୁ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆରମ୍ଭ ହୋଇଥିବା ବେଳେ ରଜ ଗୀତ, ଝୋଟି, ମୁରୁଜ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ମହୋତ୍ସବକୁ ଆହୁରି ଅଧିକ ଆକର୍ଷଣୀୟ କରିପାରିଛି ।
ଏହି ଅବସରରେ କାଳିପଡିଆରେ ଅନୁଷ୍ଠିତ ରଜ ଦୋଳି ଗୀତ ପ୍ରତିଯୋଗିତା ମଧ୍ୟ ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ଶ୍ରେଷ୍ଠ ୩ଟି ଦଳକୁ ଶୁକ୍ରବାର ଉଦ୍ଯାପନୀ ସନ୍ଧ୍ୟାରେ ପୁରସ୍କୃତ କରାଯିବ। ଆସନ୍ତା ଶୁକ୍ରବାର ସନ୍ଧ୍ୟାରେ ଏହି ମହୋତ୍ସବର ଉଦ୍ଯାପନୀ ସମାରୋହରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯିବା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସା୍ଙ୍ଗକୁ ୫ଜଣ ପ୍ରତିଭାଧାରୀଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିିତ କରାଯିବ ବୋଲି ରଜ ମହୋତ୍ସବ କମିଟି ସଭାପତି କୃଷ୍ଣଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି । ମହୋତ୍ସବ କମିଟି ସଦସ୍ୟା ସୋନାଲୀ ନାଏକ, ଝୁନୀ ବେହେରା, ଶାଇଦା ଖାତୁନ, ସଦସ୍ୟ ସୂର୍ଯ୍ୟ ନାରାୟଣ ସ୍ୱାଇଁ, ବିକଳ ଜେନା, ହେମନ୍ତ ନାଏକ, ଲକ୍ଷ୍ମୀଧର ମହାନ୍ତ, ଶରତ ନାଏକ ଓ ଭରତ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଓ ଆୟୋଜନରେ ସହଯୋଗ କରିଥିଲେ।
Comments are closed.