ବିଶ୍ୱକପ ହକି: ଗ୍ରାଉଣ୍ଡ ତଦାରଖ କଲେ ନ୍ୟୁଜିଲାଣ୍ଡ ହକି ପ୍ରତିନିଧି

0

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶତମ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ପ୍ରତିଯୋଗିତା ଲାଗି ପ୍ରସ୍ତୁତି, ପରିବେଶ ,ରହଣୀ ଲାଗି ହୋଟେଲ ବ୍ୟବସ୍ଥାର ତଦାରଖ କରିଛନ୍ତି ନ୍ୟୁଜିଲାଣ୍ଡ ହକି ପ୍ରତିନିଧି ମଣ୍ଡଳୀ। ରବିବାର ଭୁବନେଶ୍ୱରରେ ପହଞ୍ଚିଥିବା ୩ ଜଣିଆ କର୍ମକର୍ତ୍ତା ଦଳର ମୁଖ୍ୟ ପ୍ରଶିକ୍ଷକ ଡ୍ୟାରେନ ସ୍ମିଥ, ମ୍ୟାନେଜର କ୍ରିସ୍‍ ଅଥୁର ଓ ଦଳର ଡାକ୍ତର ସିମୋ ବେକର ମଙ୍ଗଳବାର ହକି ଷ୍ଟାଡ଼ିୟମ ବୁଲି ଦେଖିଥିଲେ। ମୁଖ୍ୟ ସିନ୍ଥେଟିକ୍‍ ଟ୍ରାକ୍‍, ଅଭ୍ୟାସ ଟ୍ରାକ ପ୍ରସ୍ତୁତି ସହ ଖେଳାଳି ଚେଞ୍ଜିଂ ରୁମ, ଜିମ୍ନାସିୟମ, ସନ୍ତରଣାଗାର ଆଦି ପ୍ରତିନିଧି ସଦସ୍ୟ ବୁଲି ଦେଖିଥିଲେ। ବରିଷ୍ଠ ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ପ୍ରତିନିଧିମଣ୍ଡଳୀ ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କରିଥିଲେ। ଏହା ସହିିତ ପ୍ରତିନିଧି ମଣ୍ଡଳୀର ମ୍ୟାନେଜର ଖେଳାଳି ରହିବା ଲାଗି ଉଦ୍ଦିଷ୍ଟ ହୋଟେଲ, ଯାତାୟାତ ଆଦି ବ୍ୟବସ୍ଥା ,ଖେଳାଳିମାନଙ୍କ ଲାଗି କିଭଳି ଖାଦ୍ୟ ପ୍ରସ୍ତୁତ ହେବା ଆବଶ୍ୟକ ଓ ଫିଟ୍‍ନେସ ଜିମ୍‍ନାସିୟମ ବ୍ୟବସ୍ଥା ନେଇ କ୍ରୀଡ଼ା ଓ ଯୁବ ସେବା ବିଭାଗ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ କୁହନ୍ତି, ନ୍ୟୁଜିଲାଣ୍ଡ କର୍ମକର୍ତ୍ତାମାନେ ଷ୍ଟାଡ଼ିୟମ ବୁଲିବା ସହିତ ଖେଳାଳି ରହିବାକୁ ଥିବା ହୋଟେଲ, ଖାଦ୍ୟପାନୀୟ, ଅଭ୍ୟାସ ଗ୍ରାଉଣ୍ଡ ଓ ଯାତାୟାତ ନେଇ ସମସ୍ତ ପ୍ରକାର ଆଲୋଚନା କରିଥିଲେ। ପ୍ରସ୍ତୁତି ନେଇ ପ୍ରତିନିଧି ମଣ୍ଡଳୀ ସନ୍ତୋଷବ୍ୟକ୍ତ କରିଛନ୍ତି ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। ବିଶ୍ୱକପ ହକି ପ୍ରତିଯୋଗିତା ଲାଗି ନ୍ୟୁଜିଲାଣ୍ଡ ଗ୍ରୁପ-ଏ ରେ ଆର୍ଜେଣ୍ଟିନା , ସ୍ପେନ ଓ ଫ୍ରାନ୍ସ ସହିତ ସ୍ଥାନ ପାଇଛି।

Leave A Reply