ସାପ କାମୁଡାରେ ଚାଲିଗଲା ଛାତ୍ରୀଙ୍କ ଜୀବନ

କଳାପଥର(ବାଙ୍କୀ):ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କନ୍ତକାଇ ପାଟଣା ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଜୀବନ ଚାଲିଯାଇଛି। ଘରେ ଶୋଇଥିବା ବେଳେ ତାଙ୍କୁ ବିଷଧର ସାପଟି ଦଂଶନ କରିଥିଲା । ଗତ ରାତିରେ ସେ ଘରେ ଶୋଇଥିବା ବେଳେ ଏହି ଆକସ୍ମିକ ଘଟଣା ଘଟିଛି । ମୃତା ଛାତ୍ରୀଙ୍କ ନାମ ପ୍ରତୀକ୍ଷା ଭଟ୍ଟ ବୟସ  ଓ ସେ ସ୍ଥାନୀୟ କଳାପଥର ଆଞ୍ଚଳିକ କଲେଜରେ ବିଜ୍ଞାନ ଛାତ୍ରୀ ଭାବରେ ପାଠ ପଢୁଥିଲେ।

ରାତିରେ ପାଠ ପଢି ସାରି ବାପାଙ୍କ ସହିତ ଖାଇ ସାରିବା ପରେ ତଳେ ଶୋଇଥିଲା ପ୍ରତୀକ୍ଷା । ରାତି ପ୍ରାୟ ୧୨ ଟା ବେଳକୁ ବାପାଙ୍କ ଉପରେ ବିଷଧର ସାପଟି ଚାଳରୁ ଖସିପଡ଼ିବା ପରେ ସେ କଣ ଗୋଟାଏ ଭାବି ଫୋପାଡି ଦେଇଥିଲେ । ଏହି ସମୟରେ ପାଖରେ ଶୋଇଥିବା ଝିଅ ଉପରେ ସାପଟି ପଡିଯାଇ କାମୁଡି ଦେଇଥିଲା । ତେବେ କିଛି ସମୟ ପରେ ମୁଣ୍ଡ ବୁଲାଇ ହେବା ସହିତ ପେଟ କାମୁଡି ହେବାରୁ ପ୍ରତୀକ୍ଷାକୁ ଚିକିତ୍ସା ପାଇଁ ପ୍ରଥମେ ବରପୁଟ ଓ ପରେ କଳାପଥର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ନଥିବାରୁ ଖୋର୍ଦ୍ଧା ଜିଲା ଗୋପବନ୍ଧୁ ଚିକିତ୍ସାଲୟକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ନିଆଯାଇଥିଲା । ତେବେ ଚିକିତ୍ସାରେ ବିଳମ୍ବ ହେବାରୁ ପ୍ରତୀକ୍ଷାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଆକସ୍ମିକ ବିୟୋଗ ଏଠାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ମୃତଦେହ ବ୍ୟବଛେଦ କରାଯାଇ ଗାଁ ଶ୍ମଶାନରେ ଶେଷ କୃତ ସମ୍ପନ୍ନ କରାଯାଇଥିଲା। ସକାଳୁ ତାଙ୍କ ଘରୁ ବିଷାକ୍ତ ରଣା ସାପ ଉଦ୍ଧାର କରାଯାଇଥିଲେ ହେ ଝିଅର ମୃତ୍ୟୁ ପରେ ସାପକୁ ଜଙ୍ଗଲରେ ଛାଡି ଦିଆଯାଇଛି। ମୃତା  ପ୍ରତୀକ୍ଷା ଜଣେ ମେଧାବୀ ଛାତ୍ରୀ ସହ ମେଳାପୀ ହୋଇଥିବାରୁ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Comments are closed.