ଅଟୋ-ବାଇକ-ବୋଲେରୋ ଧକ୍କା: ଦୁଇ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ

ରାୟଗଡ଼ା: ରାୟଗଡା-ପୀତାମହଲ ରାସ୍ତାରେ ଆଜି ଘଟିଥିବା ସିରିଜ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏଥିରେ ଗଣେଶ ପିଡିକାକା(୩୫) ଓ ସତ୍ୟ ମାଣ୍ମାଣ୍ଡାଙ୍ଗିଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାୟଗଡା-କେରେଡା ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ ଆଜି  ରାୟଗଡ଼ା ବ୍ଳକର ଗାଜିଗାଁ ପଞ୍ଚାୟତ ସମେତ ଏହାର ଆଖପାଖ ଗାଁର ୧୦ରୁ ୧୨ଜଣ ଏକ ଅଟୋରେ ରାୟଗଡ଼ା ଆସୁଥିବା ବେଳେ ଏକ ବାଇକରେ ୨ ଜଣ ରାୟଗଡାରୁ ପିତାମହଲ ଅଭିମୁଖେ ଯାଉଥିଲେ। ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା ଏକ ବୋଲେରୋ ଗାଡି ସହ ପିତାମହଲ ଢାବା ନିକଟରେ ଧକ୍କା ହୋଇଥିଲା । ଫଳରେ ବାଇକ ଓ ବୋଲେରୋ ଗାଡି ଅଟୋକୁ ଧକ୍କା ଦେଇଥିଲା। ବାଇକରେ ବସିଥିବା ୨ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ବେହେରାଗୁଡାର ଗଣେଶ ପିଡିକାକାଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଥିବା ସତ୍ୟ ମାଣ୍ଡାଙ୍ଗି ଓ ଦେବରାଜ ମାଣ୍ଡାଙ୍ଗିଙ୍କୁ ଉଦ୍ଧାର ପରେ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ସତ୍ୟ ମାଣ୍ଡାଙ୍ଗିଙ୍କ ମୃତ୍ୟୁ ଘଟିଥିଲା । ଆହତ ଦେବରାଜଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକଲକୁ ସ୍ଥାନାନ୍ତର କରାଯାଇଛି ।

ମୃତ ଗଣେଶଙ୍କ ଘର ପୀତାମହଲ ପଞ୍ଚାୟତର ବେହେରାଗୁଡାରେ ହୋଇଥିବା ବେଳେ ସତ୍ୟଙ୍କ ଘର ଗାଜିଗାଁ ପଞ୍ଚାୟତର ଡେକାଗୁଡା ଗ୍ରାମ ବୋଲି ଜଣାପଡିଛି । ଦୁର୍ଘଟଣାରେ ଦେବରାଜ ମାଣ୍ଡାଙ୍ଗିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଅଟୋରେ ବସିଥିବା ଅନ୍ୟମାନେ ସାମାନ୍ୟ ଆହାତ ହୋଇଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା।

ଘଟଣାସ୍ଥଳରୁ ବୋଲେରୋ ଗାଡିଟି ଚାଲିଯାଉଥିବା ବେଳେ ତେନ୍ତୁଳିଗୁଡା ନିକଟରେ ଗାଡିକୁ ଅଟକାଇ ପୁଲିସ ଜିମା ଦେଇଥିଲେ ସ୍ଥାନୀୟ ଲୋକେ। ଦୁର୍ଘଟଣା ଖବର ପାଇ ରାୟଗଡା ଜିଲାପାଳ ମନୋଜ ସତ୍ୟବାନ୍ ମହାଜନ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତରଖାନାରେ ଆହତଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଖବର ପାଇ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଡ୍ରକା ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଆହତଙ୍କ ପରିବାର ସହ ଆଲୋଚନା କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ଦୁର୍ଘଟଣାର ପରେ ମୃତକଙ୍କ ପରିବାର ବର୍ଗ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାୟଗଡା-କେରେଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଶେଷଖାଲ ଓ ରାୟଗଡା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଶେଷଖାଲ ଓ ରାୟଗଡ଼ା ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବେଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ପୁଲିସ ଦୁର୍ଘଟଣା ଘଟାଇଥିବା ସମସ୍ତ ଗାଡିଗୁଡ଼ିକୁ ଜବତ ସହ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Comments are closed.