ପରିବେଶର ସୁରକ୍ଷା ପାଇଁ ଜଙ୍ଗଲ ସଂପଦର ସୁରକ୍ଷା ନିତ୍ୟାନ୍ତ ଦରକାର 

କଳାପଥର (ବାଙ୍କୀ):ବାଙ୍କୀ ଅଞ୍ଚଳରେ ଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଓ ନିକଟସ୍ଥ ଗ୍ରାମ୍ୟ ମାନଙ୍କରେ ବହୁ ପୂର୍ବରୁ ମୂଲ୍ୟବାନ ଗଛ ସହିତ ବନ୍ୟପ୍ରାଣୀ ଦେଖାଯାଉଥିଲେ । ଏବେ ପ୍ରକୃତିର ଏହି ଅମୂଲ୍ୟ ଜଙ୍ଗଲ ସଂପଦ ଧ୍ୱଂସାବଶେଷରେ ପରିଣତ ହୋଇଛି । ଏହି ଅଭୟାରଣ୍ୟ ୪ଗୋଟି ଜୋନ୍‌ରେ ଯଥା ଚନ୍ଦକା, ଡମପଡ଼ା, ହଳଦିଆ ଓ ମାନସିଂହ ପାଟଣା ରେଞ୍ଜ ରହିଛି ଏବଂ ଏହାର ଆୟତନ ୧୯୩.୩୯ ବର୍ଗ କି.ମି. ଅଟେ । ଏଥିସହିତ ନିକଟସ୍ଥ ଗ୍ରାମ ଗୁଡ଼ିକରେ ଗ୍ରାମ୍ୟ ଜଙ୍ଗଲ ଓ ଛୋଟ ଜଙ୍ଗଲ ରହିଥିଲା । ବହୁ ପୂର୍ବରୁ ଏହି ସବୁ ଜଙ୍ଗଲରେ ଶାଗୁଆନ୍‌, ଶାଳ, କୁରୁମ, ଅସନ, ଶିଶୁ, ବେତ, ବାଉଁଶ, ଗମ୍ଭାରୀ, ଜାମୁ , କୋଚିଲା ଆଦି ବହୁ ମୂଲ୍ୟବାନ ଗଛ ରହିଥିଲା , ତାହା ଏବେ ଦେଖିବାକୁ ମିଳୁନାହିଁ ।
ବିଶେଷ କରି ଏ ଅଞ୍ଚଳରେ ବହୁ ପରିମାଣରେ ଆମ୍ବ, ପଣସ ଆଦି ଫଳଗଛ ମଧ୍ୟ ରହିଥିଲା । ଜଙ୍ଗଲ ମଧ୍ୟରେ ବିଭିନ୍ନ ପ୍ରକାର କୋଳି, ଖଜୁରି, ବେଲ ଆଦି ସ୍ୱାଦିଷ୍ଟ କିସମର ଫଳ ଭରପୁର ଥିଲା । ଏତଦ୍‌ବ୍ୟତୀତ ଜଙ୍ଗଲରେ ବାଘ, ଭାଲୁ, ହରିଣ, ଗଧିଆ, କୁଟୁରା, ଠେକୁଆ, ଝିଙ୍କ,ଗାଡଭାଲୁ, ଶଳିଆପତନି ଓ ବିଭିନ୍ନ ପ୍ରକାରର ସାପ ଏବଂ ପକ୍ଷୀ ବାସ କରୁଥିଲେ । ଜଙ୍ଗଲ ସଂପଦ ଧ୍ୱଂସ ହେବା ଫଳରେ ଏସବୁ ବୃକ୍ଷଲତା ଓ ପଶୁପକ୍ଷୀ ଆଉ ଦେଖିବାକୁ ମିଳୁନାହିଁ । ଏହି ଅଭୟାରଣ୍ୟରେ ୬୦ଗୋଟି ହାତୀ ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ଖାଦ୍ୟ ଅଭାବରୁ ଏଠାକାର ହାତୀ ପଲ୍ଲ ନିକଟସ୍ଥ ଗ୍ରାମ ଓ ସହରମାନଙ୍କୁ ଯିବା ଆସିବା ଫଳରେ ବହୁ ଧନସଂପତ୍ତି ନଷ୍ଟ ହେବାରେ ଲାଗିଛି ।
ଏହି ଅଭୟାରଣ୍ୟ ଭିତରେ ୫ଗୋଟି ପଡାଗ୍ରାମ ଯଥା ଢ଼ୋଲକାଠ, ନୂଆକୂଅ, ପିଠାଖିଆ, ଡାଆଣୀଗାଡିଆ ଓ ବେହେଣ୍ଟା ସାହି ରହିଛି । ଏହା ଫଳରେ ସେଠାରେ ରହୁଥିବା ଆଦିବାସୀଙ୍କ ଚଳପ୍ରଚଳ ଯଥା ଶିକାରୀମାନଙ୍କ ପାର୍ଦୁଭାବ ଫଳରେ ବନ୍ୟଜନ୍ତୁ ଶିକାର କରିବା ଫଳରେ ବିଭିନ୍ନ ପ୍ରକାରର ବନ୍ୟଜନ୍ତୁ ଲୋପ ପାଇବାକୁ ବସିଲାଣି । ପରିବେଶର ସନ୍ତୁଳନ ପାଇଁ ବନ୍ୟଜନ୍ତୁ ଓ ବୃକ୍ଷଲତାଙ୍କର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର, ବନବିଭାଗ ଓ ନିକଟସ୍ଥ ଗ୍ରାମାବାସୀମାନେ ମିଳିତ ସହଭାଗିତାରେ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
ମାନବ ସମାଜର ସୁସ୍ଥ ଜୀବନଯାପନ ପାଇଁ ପ୍ରକୃତି ଓ ପ୍ରାକୃତିକ ସଂପଦର ମୂଲ୍ୟ ଅଧିକ ଅଟେ । ଏବେ ଏହି ଜଙ୍ଗଲରେ କିଛି ପରିମାଣରେ ଭାଲୁ, ବାରାହା, କୁଟୁରା, ଠେକୁଆ, ମୟୂର, ଗଧିଆ , ଝିଙ୍କ, ବିଲୁଆ କାଁ ଭାଁ ଦେଖିବାକୁ ମିଳୁଛି । ଏ ଦିଗରେ ସରକାରଙ୍କ ସହିତ ସ୍ଥାନୀୟ ଜନସାଧାରଣ ଉଦ୍ୟମ କଲେ ଜଙ୍ଗଲ ସଂପଦ ସୁରକ୍ଷା ହୋଇ ପାରିବ ବୋଲି ପାରିବ ବୋଲି ସାଧାରଣ ରେ  ଅନୁରୋଧ କରିଛନ୍ତି  ।

Comments are closed.