ପୋଲ ଉପରେ ପ୍ରବାହିତ ହେଉଛି ପାଣି, ୪ ଗ୍ରାମର ଲୋକଙ୍କ ଯାତାୟତରେ ସାଜିଛି ପ୍ରତିବନ୍ଧକ

କଲମପୁର : ଲଘୁଚାପର ପ୍ରଭାବ କାରଣରୁ ଗତ ୨୪ ତାରିଖ ଠାରୁ ଲଗାଣ ବର୍ଷା ଆରମ୍ଭ ହୋଇଥିବା ଫଳେରେ ନାଗାବଳି ନଦୀର ଶାଖା କାଚେଲେଖା ନଦୀରେ ବନ୍ୟାସ୍ଥିତି ଦେଖା ଦେଇଛି। ଗତ ୩ଦିନ ମଧ୍ୟରେ ଥୁଆମୁଳ ରାମପୁର ବ୍ଲକ ଅଞ୍ଚଳରେ ୧୮୧ ମିଲିଲିଟର ବର୍ଷା ହେଇଥିବା ରେକର୍ଡ କରାଯାଇଛି। ଯାହା ଫଳେରେ କେରପାଇ ଓ କାଚେଲେଖାକୁ ସଂଯୋଗ କରୁଥିବା ରାସ୍ତାର ମଧ୍ୟବର୍ତି ଅଞ୍ଚଳରେ ଥିବା କାଚେଲେଖା ନଦୀର ପୋଲର ୯୦ ପ୍ରତିଶତ ଅଞ୍ଚଳ ଭାଙ୍ଗିଯାଇଛି। ଏହା ପୋଲ ଠାରୁ ୫ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି। ଯାହା ଫଳେରେ କେରପାଇ ଠାରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ସହିତ କାଚେଲେଖା, ପୋଡାପାଇ, ମେଲରଫା ଓ କୁଟୃମାଳି ପ୍ରମୁଖ ୪ଖଣ୍ଡ ଗ୍ରାମବାସୀ ଯୋଗାଯୋଗରୁ ବିଚ୍ଛିନ୍ନ ହେଇପଡିଛନ୍ତି। ଏପରିକି କାଚେଲେଖା ଠାରେ ଥିବା ଉନ୍ନିତ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଆସୁଥିବା କେରପାଇ ସମେତ କେରପାଇ ନିକଟସ୍ତ ଅନ୍ୟ ଗ୍ରାମର କୋମଳମତି ଛାତ୍ରଛାତ୍ରୀ ମଧ୍ୟ ପୋଲ ଉପରେ ପାଣି ପ୍ରବାହିତ କାରଣରୁ ପାଠ ପଢିବା ପାଇଁ ବିଦ୍ୟାଳୟକୁ ଆସି ପାରୁ ନାହାଁନ୍ତି। ଏହି ସମସ୍ୟା ଦିନକର କି ମାସକର ନୁହେଁ ଏହି ସମସ୍ୟା ଏହି ଅଞ୍ଚଳବାସୀଙ୍କ ପାଇଁ ପ୍ରତି ବର୍ଷ ବର୍ଷା ୪ ମାସର ସମସ୍ୟା। ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ନଦୀ ଉପରେ ଉଚ୍ଚ ପୋଲର ବ୍ୟବସ୍ଥା କରି ପାରିନାହାଁନ୍ତି। ପାହାଡିଆ ଇଲାକାରେ ପାଣିର ଗତି ଅତି ତିବ୍ର ରହୁଥିବାରୁ ନଦୀ ପାରି ହେବା ପାଇଁ କେହି ସାହାସ କରି ପାରନ୍ତି ନାହିଁ।
ସୁଚନା ଯୋଗ୍ୟ, ଗତ ୨୦୧୭/୧୮ ଆର୍ଥିକ ବର୍ଷରେ କେରପାଇ ଠାରୁ କାଚେଲେଖା ପର୍ଯ୍ୟନ୍ତ ଥିବା ୧.୨୦ କିଲୋମିଟର ରସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପ୍ୟାକେଜ ନଂ ଓଆର- ୧୫-୩୩୫/ବି – ଆଇଆଇଆଇରେ ସାମିଲ କରାଯାଇ ୬୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ କାର୍ଯ୍ୟ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ରାସ୍ତା ନିର୍ମାଣ ଦାଇତ୍ୱରେ ଥିବା ଭବାନିପାଟଣା ଗ୍ରାମ ଉନ୍ନୟନ ବିଭାଜନ ଏହି ଯୋଜନାରେ ଏହି ପୋଲ ନିର୍ମାଣର କୌଣସି ବ୍ୟବସ୍ଥା କଲେ ନାହିଁ। ଯେଉଁଥିପାଇଁ ଲୋକେ ଏବେ ବର୍ଷା ୪ ମାସ ବିଚ୍ଛିନ୍ନା ଅଞ୍ଚଳର ଲୋକ ଭାବେ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଅତ୍ୟାବଶକୀୟ ସାମଗ୍ରୀ ଅଭାବରୁ କିଛି ଲୋକ ଖାଦ୍ୟ ଅଭାବର ସମ୍ମୁଖିନ ହୋଇ ବାଧ୍ୟ ହୋଇ ଜଙ୍ଗଲି କନ୍ଦା ଓ ଆମ୍ବଟାକୁଆ ଭଳି ଅଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଏହାସହ ରାସ୍ତାର ଅବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ଥ ହେଉଥିଲେ ମଧ୍ୟ ବିଭାଗ ତରଫରୁ ଆବଶ୍ୟକ ମରାମତିର ବ୍ୟବସ୍ଥା କରାଯାଉନଥିବାରୁ ରାସ୍ତା ଏବେ ଅଗମ୍ୟ ଅଞ୍ଚଳ ପାଲୋଟିଛି। ନଦୀରେ ପୋଲର ଅଭାବ କାରଣରୁ ଲୋକେ ସ୍ୱାସ୍ଥ୍ୟ ସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ ନଦୀ ଉପରେ ଏକ ଉଚ୍ଚ ପୋଲ ନିର୍ମାଣର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ପୁନଃ ଦାବି ହେଉଛି। ଏନେଇ ଭବାନିପାଟଣା ଗ୍ରାମ ଉନ୍ନୟନ ବିଭାଜନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।

kalyan agarbati

Comments are closed.