ଉଡ଼ିଲା ଆଜବେଷ୍ଟସ, ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ
ନୂଆପାଟଣା ଅଞ୍ଚଳରେ କାଳବୈଶାଖୀ ଝଡ଼
ତିଗିରିଆ : ତିଗିରିଆ ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ଝଡ଼ ଦେଖାଦେଇଥିଲା। ଦିନ ପ୍ରାୟ ୨ଟା ବେଳକୁ ଆକାଶରେ କଳା ବାଦଲ ଘୋଟି ଆସିବା ସହିତ ଭୀଷଣ ବର୍ଷା ପବନ ହୋଇଥିଲା। ଏହାର ପ୍ରଭାବ ବ୍ଳକର ନୂଆପାଟଣା ଅଞ୍ଚଳରେ ଅଧିକ ଅନୁଭୂତ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଜେମାଦେଇପୁର ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଆଜବେଷ୍ଟସ ଛପର ସଂପୂର୍ଣ୍ଣ ଉଡ଼ିଯିବା ସହିତ ଶ୍ରେଣୀ ପ୍ରକୋଷ୍ଠ ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଛି । ସେହିପରି ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ଏବଂ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି। ପ୍ରଭାବରେ ବିଭିନ୍ନ ସ୍ଥାନକୁ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି। ଅନେକ ଲୋକଙ୍କ ବାସଗୃହର ମଧ୍ୟ ଆଂଶିକ କ୍ଷତି ଘଟିଛି । କାଳବୈଶାଖୀ ପ୍ରଭାବରେ, ଭୋଗଡା, ନୂଆପାଟଣା, ବିନ୍ଧାଣିମା, ଜେମାଦେଇପୁର, ବାଲିପୁଟ, ଗଦାଧରପୁର ଆଦି ପଞ୍ଚାୟତରେ ବ୍ୟାପକ ଭଙ୍ଗାରୁଜା କରିଛି । ପାଣିପାଗ ବିଭାଗ ପକ୍ଷରୁ ଆଗକୁ ପଶ୍ଚିମା ଝଡ଼ର ପ୍ରଭାବ ରହିଥିବା ସୂଚନା ମିଳିବା ପରେ ବ୍ଳକର ପନିପରିବା ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି ।
Comments are closed.