କଟକ: ଠକ ତାନ୍ତ୍ରିକ କୈଫର ୪ଦିନିଆ ଜିମା ଶେଷ ହେବା ପରେ ଶନିବାର ତାକୁ ଜେଲ ପଠାଇ ଦିଆଯାଇଛି। ସେ ବିଭିନ୍ନ ଲୋକଙ୍କ ଠାରୁ ୧ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କା ଠକିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ତା’ ନିକଟରୁ ୯୧ ଲକ୍ଷ ୮୨ ହଜାର ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ତା ନାଁରେ ମଙ୍ଗଳାବାଗ ଥାନାରେ ୫ଟି ଓ ସଦର ଥାନାରେ ଗୋଟିଏ ଏତଲା ପଞ୍ଜୀକୃତ ହୋଇଛି। ମୌଲାନାର ୯୫ଟି ବ୍ୟାଙ୍କ(ଏଫ୍ଡି ଓ ଆରଡି) ଆକାଉଣ୍ଟ ଜବତ କରାଯାଇଛି। ଯେଉଁଥିରେ ୨୯ ଲକ୍ଷ ୫୬ ହଜାର ଟଙ୍କା ରହିଛି। ଏହି ଟଙ୍କାକୁ ଫ୍ରିଜ(ଅଚଳ) କରିଦିଆଯାଇଛି। ଏହାସହ ୫ ଏଲ୍ଆଇସି ବଣ୍ଡକୁ ମଧ୍ୟ ଜବତ କରାଯାଇଛି। ଯେଉଁଥିରେ ସେ ୧୨ ଲକ୍ଷରୁ ଅଧିକ ଟଙ୍କା ଜମା କରିଥିଲା। ଏହାକୁ ମଧ୍ୟ ଅଚଳ କରାଯାଇଛି। ସେ ଠକେଇ ଟଙ୍କା ଏଥିରେ ବିନିଯୋଗ କରିଛି କି ନାହିଁ ସେନେଇ ତଦନ୍ତ ଚାଲିଥିବା ସେ କହିଛନ୍ତି।
ଗାଡି ବ୍ୟତୀତ ତା ନିକଟରୁ ୯୧ ଲକ୍ଷ ୮୨ ହଜାର ଟଙ୍କାର ସମ୍ପତ୍ତି ଜବତ ହୋଇଛି। ସେହିପରି ମୌଲାନା ଓ ତା ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ୧୦୨ଟି ଫିକ୍ସ ଡିପୋଜିଟ ଆକାଉଣ୍ଟ (ସ୍ଥାୟୀ ଜମାଖାତା) ରହିଥିବା ଜଣାପଡିଥିଲା। ୨୦୨୦ରେ ଖୋଲାଯାଇଥିବା ଏହି ପଲିସି ବାବଦରେ କୈଫ ଏଯାବତ ୨୨ ଲକ୍ଷ ଟଙ୍କା ପୈଠ କରିସାରିଛି। ଏହାସହ ଗ୍ୟାଙ୍ଗଷ୍ଟର ସକିଲ ସହ ତା ର ସମ୍ପର୍କ ଅଛି କି ନାହିଁ ଏବଂ ଟଙ୍କା ଠକେଇ ବାବଦରେ ସେ ଜାଣିଛି ନା ନାହିଁ ସେ ଦିଗରେ ମଧ୍ୟ ତଦନ୍ତ କରାଯିବ। ଆବଶ୍ୟକ ହେଲେ ପୁଣି ଥରେ ଠକ କୈଫକୁ ଜିମାରେ ଆଣିବା ପାଇଁ ଅଦାଲତରେ ଆବେଦନ କରାଯିବା ସହିତ ଆବଶ୍ୟକସ୍ଥଳେ ଠକେଇ ଟଙ୍କାର ତଦନ୍ତ ପାଇଁ ଅନ୍ୟ ତଦନ୍ତକାରୀ ସଂସ୍ଥାର ସହଯୋଗ ନିଆଯିବ ବୋଲି କଟକ ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଗାଡି ଚାଳକ ଶେଖ ଇସ୍ରାଏଲ କୈଫର ମୁଖ୍ୟ ସହଯୋଗୀ ଥିଲା ବୋଲି ପଚରାଉଚରା ସମୟରେ ସେ ସ୍ୱୀକାର କରିଛି। ଏନେଇ ପୁଲିସକୁ ପ୍ରମାଣ ମଧ୍ୟ ମିଳିଛି। ଏହା ବ୍ୟତୀତ ଆଉ କେଉଁମାନେ ତାହାର ସହଯୋଗୀ ଥିଲେ ସେମାନଙ୍କୁ ମଧ୍ୟ ପୁଲିସ ଖୋଜୁଛି। ସେମାନଙ୍କୁ ଖୁବ୍ଶୀଘ୍ର ତଥ୍ୟ ପ୍ରମାଣ ଆଧାରରେ ଗିରଫ କରାଯିବ ବୋଲି ଡିସିପି ଶ୍ରୀ ମିଶ୍ର କହିଛନ୍ତି। ଗୁପ୍ତଧନ ମିଳିବ ବୋଲି କୈଫ ଯେଉଁସ୍ଥାନକୁ ଚିହ୍ନଟ କରୁଥିଲା ଲୋକଙ୍କୁ ସେଠାରୁ ହଟାଇବା ଭିତରେ ଭୟର ବାତାବରଣ ସୃଷ୍ଟି କରୁଥିଲା। ପରେ ଏଠାରେ ବିଭିନ୍ନ ପ୍ରକାର ଧାତୁ ନିର୍ମିତ ଜିନିଷ ପୋତି ଦେଉଥିଲା। ଏହାକୁ ପରେ ବାହାର କରି ଲୋକଙ୍କୁ ଦେଉଥିଲା ଓ ଲୋକଙ୍କୁ ଏହାକୁ ଦାମୀ ରତ୍ନ ବୋଲି କହି ଟଙ୍କା ଠକି ନେଉଥିଲା। ସେହିପରି ବିଭିନ୍ନ ଲୋକଙ୍କୁ ତନ୍ତ୍ରବିଦ୍ୟା ପ୍ରୟୋଗ କରି ବାଦବିବାଦ ଓ କୋର୍ଟ ମାମଲା ସମାଧାନ କରିଦେବାର ପ୍ରଲୋଭନ ଦେଇ ଟଙ୍କା ଠକି ନେଉଥିଲା। ପୁଲିସ ତଦନ୍ତ ବେଳେ କୈଫ ଘରୁ ବିଭିନ୍ନ ପ୍ରକାର ନକଲି ଜିନିଷ ସହ ଅଢ଼େଇ ଲକ୍ଷ ଟଙ୍କା, ଦାମୀ କାର୍ ଓ ଏକାଧିକ ବାଇକ୍ ଜବତ ହୋଇଥିଲା। ଏହି ନକଲି ଜିନିଷକୁ ସେ ବଜାରରୁ କିଣିଥିଲା ଓ ଅସଲି ବୋଲି ଲୋକଙ୍କୁ କହି ଧୋକା ଦେଉଥିଲା।
ଠକ ତାନ୍ତ୍ରିକ କୈଫର ୯୧.୮୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ, ୯୫ ବ୍ୟାଙ୍କ ଆକାଉଣ୍ଟ ଅଚଳ
Popular Categories



