କାବୁଲରେ ଆଇଏସଆଇଏସର ଆତ୍ମଘାତି ଆକ୍ରମଣ:୩୧ମୃତ
କାବୁଲ: ଆଫଗାନିସ୍ଥାନ ରାଜଧାନୀ କାବୁଲରେ ଏକ ଆତ୍ମଘାତି ଆକ୍ରମଣରେ ୩୧ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୧୫ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। କାବୁଲର ଏକ ମତଦାତା ପରିଚୟ ଓ ପଞ୍ଜିକରଣ କେନ୍ଦ୍ର ସମ୍ମୁଖରେ ଜଣେ ବ୍ୟକ୍ତି ନିଜ ଦେହରେ ଖଞ୍ଜା ଯାଇଥିବା ବିସ୍ଫୋରକକୁ ବିସ୍ଫୋରଣ କରିବା ଦ୍ୱାରା ଘଟଣାସ୍ଥଳରେ ୩୧ଜଣଙ୍କ ମୃତୁ୍ୟ ହୋଇଯାଇଛି। ୨୦ଅକ୍ଟୋବରରେ ଆଫଗାନିସ୍ଥାନରେ ହେବାକୁ ଥିବା ନିର୍ବାଚନ ପାଇଁ ଏଠାରେ ପରିଚୟ ପତ୍ର ପ୍ରଦାନ, ସଂଶୋଧନ ଓ ଜାଞ୍ଚ କରାଯାଉ ଥିଲା। ଘଟଣା ପରେ ସେଠାରେ ନିର୍ବାଚନ ସୁରକ୍ଷାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି। ଘଟଣା ପାଇଁ ଆଇଏସଆଇଏସ ସଂଗଠନ ନିଜକୁ ଦାୟୀ କରିଛି। ନିର୍ବାଚନକୁ ଦୃଷ୍ଟିରେ ରଖି କାବୁଲର ବିଭିନ୍ନ ସ୍ଥାନରେ ତାଲିବାନ ଓ ଆଇଏସଆଇଏସ ସକ୍ରିୟ ହୋଇ ପଡ଼ିଥିବାବେଳେ ବାରମ୍ଭାର ବିଭିନ୍ନ ସ୍ଥାନରେ ଆକ୍ରମଣ ଓ ବିସ୍ଫୋରଣ ଲାଗି ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଫଗାନିସ୍ଥାନ ଗୃହ ମନ୍ତ୍ରଣାଳୟ ପ୍ରବକ୍ତା ନଜିବ ଦାନିସଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣରେ ୩୧ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।