ନିଦାହାସ୍‌ ଟ୍ରଫି : ଭାରତ-ଶ୍ରୀଲଙ୍କା ୨ୟ ମୁକାବିଲା

0

କଲମ୍ବୋ : ନିଦାହାସ୍‌ ଟ୍ରଫି ଟ୍ୱେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟରେ ସୋମବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଟୁର୍ଣ୍ଣାମେଣ୍ଟର ଏହା ୪ର୍ଥ ଲିଗ୍‌ ମ୍ୟାଚ୍‌ ହୋଇଥିବା ବେଳେ ଭାରତ ଓ ଶ୍ରୀଲଙ୍କା ୨ୟ ଥର ପାଇଁ ପରସ୍ପରର ମୁକାବିଲା କରିବେ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତକୁ ପରାସ୍ତ କରିଥିଲା ଆୟୋଜକ ଶ୍ରୀଲଙ୍କା। ତେଣୁ ଭାରତୀୟ ଦଳ ପ୍ରତିଶୋଧ ନେବା ଲକ୍ଷ୍ୟରେ ଏହି ମ୍ୟାଚ୍‌ରେ ଓହ୍ଲାଇବ। ପୁଣି ଏହି ମ୍ୟାଚ୍‌ ଉଭୟ ଦଳଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ। କାରଣ ଉଭୟ ଭାରତ ଓ ଶ୍ରୀଲଙ୍କା ୨ଟି ଲେଖାଏଁ ମ୍ୟାଚ୍‌ ଖେଳିଥିଲେ ହେଁ ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି। ତେଣୁ ସୋମବାରର ମ୍ୟାଚ୍‌ର ବିଜେତା ଦଳ ଫାଇନାଲ ଖେଳିବା ଦୌଡ଼ରେ ରହିବ ଏବଂ ପରାଜିତ ଦଳ ସଙ୍କଟରେ ପଡ଼ିଯିବ। ତେଣୁ ବିଜୟ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଶ୍ରୀଲଙ୍କାଠାରୁ ଟ୍ୱେଣ୍ଟି-୨୦ ମ୍ୟାଚ୍‌ରେ ପ୍ରଥମ ପରାଜୟ ପରେ ୨ୟ ମ୍ୟାଚ୍‌ରେ ଲଢ଼ୁଆ ପ୍ରତ୍ୟାବର୍ତ୍ତନ ଭାରତ କରିଛି। ବାଂଲାଦେଶକୁ ସହଜରେ ପରାସ୍ତକରି ଭାରତ୨ ପଏଣ୍ଟ ପାଇଛି। ଉଭୟ ମ୍ୟାଚ୍‌ରେ ଶିଖର ଧାୱନ୍‌ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଛନ୍ତି। ତେବେ ଅଧିନାୟକ ରୋହିତ ଶର୍ମା ବଡ଼ ଇନିଂସ ଖେଳିନାହାନ୍ତି। ଏହା ହିଁ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି। ଉଭୟ ଧାୱନ ଓ ରୋହିତଙ୍କ ବ୍ୟାଟ୍‌ ଏକାଠି ଚାଲିଲେ; ପ୍ରତିପକ୍ଷ ଶ୍ରୀଲଙ୍କା ବୋଲରଙ୍କ ମୁଣ୍ଡବିନ୍ଧା ନିଶ୍ଚୟ ବଢ଼ିଯିବ। ପୁଣି ଦଳକୁ ଫେରିଥିବା ସୁରେଶ ରୈନା ଭଲ ପ୍ରଦର୍ଶନ କରିଛନ୍ତି। ଭାରତୀୟଙ୍କଠାରୁ କମ୍‌ ସାମର୍ଥ୍ୟ ରଖିଥିବା ବାଂଲାଦେଶର ବ୍ୟାଟ୍‌ସମ୍ୟାନ୍‌ ଯେପରି ଭାବେ ଶ୍ରୀଲଙ୍କା ବୋଲିଂକୁ ଖିନ୍‌ଭିନ୍‌ କରିଦେଲେ; ତାହା ଅଧିନାୟକ ଦିନେଶ ଚାନ୍ଦିମାଲଙ୍କୁ ନିଶ୍ଚୟ ଚିନ୍ତାରେ ପକାଇଥିବ। କ୍ରମାଗତ ୨ୟ ମ୍ୟାଚ୍‌ରେ ଘରୋଇ ବ୍ୟାଟ୍‌ସମ୍ୟାନ୍‌ ଚମତ୍କାର ପ୍ରଦର୍ଶନ କରିବା ଯୋଗୁଁ ଶ୍ରୀଲଙ୍କା ୨୧୪ ରନ୍‌ର ସ୍କୋର୍‌ ଛିଡ଼ା କରି ପାରିଥିଲା। ତେବେ ବାଂଲାଦେଶର ଓପ୍‌ନର ବିସ୍ଫୋରକ ବ୍ୟାଟିଂକରି ପରେ ମୁସ୍‌ଫିକୁର ରହିମ୍‌ଙ୍କ ଲାଗି ରାସ୍ତା ସହଜ କରି ଦେଇଥିଲେ। ଶ୍ରୀଲଙ୍କାର କୌଣସି ବୋଲର ଓଭର୍‌ ପିଛା ୯ ରନ୍‌ରୁ କମ୍‌ ଦେଇନଥିଲେ। ବିଶେଷକରି ସ୍ପିନର ଆକିଲା ଧନଞ୍ଜୟ ୩ ଓଭରରୁ ୩୬ ରନ୍‌ ଦେବା ଦଳକୁ ବେଶ୍‌ ବାଧିଛି। ତେଣୁ ଭାରତ ବିରୋଧରେ ବୋଲିଂ ବିଭାଗକୁ ସଜାଡ଼ିବାକୁ ଶ୍ରୀଲଙ୍କା ନିଶ୍ଚୟ ପ୍ରୟାସ କରିବ। ଶ୍ରୀଲଙ୍କାର ଦୁଇ କୁଶଳ- କୁଶଳ ପରେରା ଓ କୁଶଳ ମେଣ୍ଡିସ୍‌ ଚମତ୍କାର ଫର୍ମରେ ଅଛନ୍ତି। କୁଶଳ ପରେରା କ୍ରମାଗତ ୨ୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲକରି ପୂରା ଫର୍ମରେ ଅଛନ୍ତି। ସେ ଏକା ଭାରତକୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିଥିଲେ। ତେଣୁ ଏହି ବାମହାତିଙ୍କୁ ସହଳ ଆଉଟ କରିବାର ରାସ୍ତା ଭାରତକୁ ଖୋଜିବାକୁ ପଡ଼ିବ। ଯୁବ ଓପ୍‌ନର କୁଶଳ ମେଣ୍ଡିସ୍‌ ଓ ଅଭିଜ୍ଞ ଉପୁଲ ତରଙ୍ଗା ଭଲ ଫର୍ମରେ ଅଛନ୍ତି। ଏମାନେ ଅନଭିଜ୍ଞ ଭାରତୀୟ ବୋଲିଂକୁ ପୁଣିଥରେ ଚାପରେ ପକାଇବାକୁ ସମର୍ଥ।

prayash

କ୍ରମାଗତ ୨ଟି ମ୍ୟାଚ୍‌ରେ ବିଫଳ ହୋଇଥିବାରୁ ଋଷଭ ପନ୍ଥ୍‌ଙ୍କ ସ୍ଥାନରେ କେ.ଏଲ୍‌. ରାହୁଲ ଖେଳିପାରନ୍ତି। ଏପରି ସ୍ଥଳେ ରାହୁଲଙ୍କୁ ଓପନ୍‌ କରାଇ ଅଧିନାୟକ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରିପାରନ୍ତି। ବାକି ୧୦ ଜଣ ସେମାନଙ୍କ ସ୍ଥାନ ବଜାୟ ରଖିପାରନ୍ତି। ଧାୱନ୍‌ ଓ ମନୀଷ ପାଣ୍ଡେ ଏଯାବତ୍‌ ଭଲ ବ୍ୟାଟିଂ କରିଥିବା ବେଳେ ଅନ୍ୟମାନଙ୍କୁ ପ୍ରଦର୍ଶନରେ ଉନ୍ନତି କରିବାକୁ ପଡ଼ିବ। ବାଂଲାଦେଶର ବ୍ୟାଟ୍‌ସମ୍ୟାନ୍‌ ଶନିବାର ଯେପରି ଆକ୍ରମଣ କରି ଶ୍ରୀଲଙ୍କା ବୋଲିଂକୁ ଚାପରେ ପକାଇ ପାରିଲେ; ତାହା ଭାରତୀୟଙ୍କ ପାଇଁ ଉଦାହରଣ ସୃଷ୍ଟିକରିଛି। ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ମଧ୍ୟ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିବାର ରଣନୀତି କରିପାରନ୍ତି। ୨ୟ ମ୍ୟାଚ୍‌ରେ ଜୟଦେବ ଉନାଦ୍‌କତ ଓ ବିଜୟ ଶଙ୍କରଙ୍କ ବୋଲିଂ ଭାରତକୁ ଉତ୍ସାହିତ କରିଛି। ପୁଣି ୟୁଜୁବେନ୍ଦ୍ର ଚହଲ ପ୍ରଥମ ମ୍ୟାଚ୍‌ରେ ବିଫଳ ହେବା ପରେ ବାଂଲାଦେଶ ବିପକ୍ଷରେ ଭଲ ବୋଲିଂକରି ଆତ୍ମବିଶ୍ୱାସ ଫେରି ପାଇଛନ୍ତି। ପିଚ୍‌ ଧିମା ହେଲେ ବି ବ୍ୟାଟିଂ ପାଇଁ ସହାୟକ ହେବ। ତେଣୁ ଯେଉଁ ଦଳ ଟସ୍‌ ଜିତିବ; ତାହା ପ୍ରଥମେ ଫିଲ୍‌ଡିଂ କରିବାର ନିଷ୍ପତ୍ତି ନେଇପାରେ।

Leave A Reply