ଅଚଳାସ୍ଥା ଜାରି ; ୧୩ ଦିନ ପାଇଁ ଗୃହ ମୁଲତବୀ

0

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ତ୍ରୟୋଦଶ ଦିନ ପାଇଁ ସଂସଦର ଉଭୟ ଗୃହକୁ ମୁଲତବୀ ରଖାଯାଇଛି। ଫଳରେ ୱାଇଏସ୍‍ଆର୍‍ କଂଗ୍ରେସ ଏବଂ ଟିଡିପି ସଦସ୍ୟମାନଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଶ କରି ନାହାନ୍ତି।
ବୁଧବାର ଲୋକସଭା ବୈଠକ ଆରମ୍ଭ ହେବା ମାତ୍ରେ ଏଆଇଏଡିଏମ୍‍କେ ଏବଂ ଟିଆର୍‍ଏସ୍‍ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଅସି ହୋ-ହଲ୍ଲା କରିଥିଲେ। ଫଳରେ ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲବୀ ଘୋଷଣା କରିଥିଲେ। ମଧ୍ୟାହ୍ନରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ମାତ୍ରେ ଟିଆର୍‍ଏସ୍‍ ଏବଂ ଏଆଇଏଡିଏମ୍‍କେ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସେମାନଙ୍କ ଦାବି ପୂରଣ ନେଇ ସ୍ଲୋଗାନ ଦେଇଥିଲେ। ଟିଆର୍‍ଏସ୍‍ ସଦସ୍ୟମାନେ ତେଲଙ୍ଗାନାରେ ଚାକିରି କ୍ଷେତ୍ରରେ ସଂରକ୍ଷଣ କୋଟା ବୃଦ୍ଧି ନେଇ ଦାବି କରିଥିବାବେଳେ ଏଆଇଏଡିଏମ୍‍କେ ସଦସ୍ୟମାନେ କାବେରୀ ଜଳ ପରିଚାଳନା ବୋର୍ଡ ଗଠନ ନେଇ ଦାବି କରିଥିଲେ। ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ସୁମିତ୍ରା ମହାଜନ, ଗୃହର ପରିସ୍ଥିତି ସ୍ୱାଭାବିକ ନଥିବା ଦର୍ଶାଇ ୱାଇଏସ୍‍ଆର୍‍ କଂଗ୍ରେସ ଏବଂ ଟିଡିପି ସଦସ୍ୟମାନଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ସେ ଗ୍ରହଣ କରିବା ଭଳି ସ୍ଥିତିରେ ନଥିବା ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ବିରୋଧ ପ୍ରଦର୍ଶନ କରୁଥିବା ସଦସ୍ୟମାନଙ୍କୁ ନିଜ ନିଜ ସ୍ଥାନକୁ ଫେରିଯିବାକୁ ଅନୁରୋଧ କରିଥିଲେ। ଅନାସ୍ଥା ପ୍ରସ୍ତାବ ସମେତ ଯେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଗୃହରେ ନରେନ୍ଦ୍ର ମୋଦି ସରକାରଙ୍କ ଆବଶ୍ୟକ ସଂଖ୍ୟାଗରିଷ୍ଠତା ରହିଛି ଏବଂ ଗୃହ ବାହାରେ ସରକାରଙ୍କ ପ୍ରତି ଲୋକମାନଙ୍କର ଆସ୍ଥା ଥିବା ଶ୍ରୀ କୁମାର କହିଥିଲେ।

ସେହିପରି ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଯୋଗୁ ଅଧ୍ୟକ୍ଷ ଗୁରୁବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଗୃହର ବୈଠକ ଆରମ୍ଭ ହେବା ମାତ୍ରେ ଏଆଇଡିଏମ୍‍କେ, ଟିଡିପି ଏବଂ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ବିଭିନ୍ନ ପ୍ରସଙ୍ଗ ନେଇ ସ୍ଲୋଗାନ ଦେଇଥିଲେ। ଗୃହର ଅଧ୍ୟକ୍ଷ ଏମ୍‍. ଭେଙ୍କିୟାନାଇଡୁ ଗୃହର ଏହି ଦୃଶ୍ୟକୁ ଦେଶବାସୀ ଦେଖୁଛନ୍ତି ବୋଲି କହିଥିଲେ। ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ୍‍ ଗୁରୁତ୍ୱପୂର୍ଣ୍ଣ ବିଲ୍‍ ଗୃହିତ ହେବାରେ ବାଧା ସୃଷ୍ଟି କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାନ ହୋଇ ନ ପାରିବା ନେଇ ବିରୋଧୀ ଦଳକୁ ସମାଲୋଚନା କରିଥିଲେ। ଗୃହରେ ହଟ୍ଟଗୋଳ ଲାଗି ରହିବାରୁ ଶ୍ରୀ ନାଇଡୁ ଗୁରୁବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

Leave A Reply