ଉଚିତ ଅନୁଚିତ ; ଜଷ୍ଟିସ ଗୋଗୋଇଙ୍କୁ ପୁରସ୍କାର

ବଡ଼ବଡ଼ ମଣିଷଙ୍କ ସମ୍ପର୍କରେ କିଛି ବଡ଼କଥା ସମାଜରେ ଚମକ ଆଣେ। ଏହାକୁ ନେଇ ବିତର୍କ ଓ ଭ୍ରୂକୁଞ୍ଚନ ସୃଷ୍ଟି ହୁଏ। ସେଇ ଉଚ୍ଚା ମଣିଷକୁ ସେଥିପାଇଁ ନୈତିକତା ଓ ବିବେକର ସଂଘର୍ଷ ମଧ୍ୟରେ ବଞ୍ଚିବାକୁ ପଡ଼େ। ଏମିତି ଏକ ଘଟଣା ଘଟିଛି ସୁପ୍ରିମକୋର୍ଟର ସେବାନିବୃତ୍ତ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ। ସେ ଅବସର ଗ୍ରହଣ କରିବାର ମାତ୍ର ଚାରିମାସ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏଥିରେ ସୌଜନ୍ୟ ତ ଅସଲରେ ଭାରତ ସରକାର, ରାଷ୍ଟ୍ରପତି କେବଳ ଏକ ସଂଯୋଗ ଓ ମାଧ୍ୟମ। ଏହାକୁ କେନ୍ଦ୍ରକରି ପ୍ରତିକ୍ରିୟା ପ୍ରକାଶ ପାଇବାର କାରଣଟି ହେଲା ସେ ମହାଶୟ ଅବସର ଗ୍ରହଣ ପୂର୍ବରୁ ଅଯୋଧ୍ୟା ରାମମନ୍ଦିର ମାମଲା ଉପରେ ନିର୍ଣ୍ଣାୟକ ରାୟ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ତ ଏଆଇଏମ୍‌ଆଇଏମ୍‌ର ଆସାଉଦ୍ଦିନ ଓ​‌େ​‌ୱସିଙ୍କର ପ୍ରଥମ କଟାକ୍ଷ ଥିଲା- ‘ରାମ ମନ୍ଦିର ରାୟର ପୁରସ୍କାର’। ଆସାଉଦ୍ଦିନଙ୍କ ଭଳି ରାଜନୀତିର ପ୍ରଖର ପ୍ରତିକ୍ରିୟାଶୀଳମାନେ ଯେଉଁ ବେଗ ଓ ତୀକ୍ଷ୍‌ଣତାରସହ ଏଭଳି ପ୍ରସଙ୍ଗ ଉପରେ ମତାମତ ରଖନ୍ତି ନୈତିକ ଦୁନିଆ ସେତେ ତୀବ୍ର ହୋଇପାରେ ନାହିଁ। ନୈତିକତା ସ୍ଥାନ, କାଳ, ପାତ୍ର ଦେଖେ ଓ ବିଧିକୁ କିଞ୍ଚିତ ଅ​‌େ​‌ନ୍ବଷଣ କରେ। ପୁଣି ନୈତିକ ଦୁନିଆର ବଡ଼ ଦ୍ବନ୍ଦ୍ବ ହେଲା ଏହା ସାର୍ବଜନୀନ ନ’ହୋଇ ଅନେକ ସମୟରେ ଏକାନ୍ତ ବ୍ୟକ୍ତିଗତ ବିଚାରସାପେକ୍ଷ ହୋଇପଡ଼େ। ତେଣୁ ନୈତିକତାର ମୌଳିକତା ଓ ଏହାର ନିରୋଳା ବିଚାରକୁ ପ୍ରତିପାଦନ କରିବା ସହଜ ହୁଏନାହିଁ।
ସଂସଦକୁ ଯିବାରେ ଜଷ୍ଟିସ ଗୋଗୋଇ ସୁପ୍ରିମକୋର୍ଟର ପ୍ରଥମ ପ୍ରଧାନ ବିଚାରପତି ନୁହନ୍ତି। କଂଗ୍ରେସ ସରକାର ସମୟରେ ଏମ୍‌ ହିଦାୟତଉଲ୍ଲା, ରଙ୍ଗନାଥ ମିଶ୍ର ତାଙ୍କ ଆଗରୁ ରାଜ୍ୟସଭାକୁ ଯାଇଛନ୍ତି। ହିଦାୟତଉଲ୍ଲା ଉପରାଷ୍ଟ୍ରପତି ହେବାସହ ରାଜ୍ୟସଭାର ଉପାଧ୍ୟକ୍ଷ କାର୍ଯ୍ୟ ତୁଲାଇଛନ୍ତି। ପି ସଦାଶିବମ୍‌ ରାଜ୍ୟପାଳ ଭାବେ ଏନଡିଏ ଦ୍ବାରା ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି। ସେତେବେଳେ ଓ ଏବେ- ପ୍ରସଙ୍ଗ ଓ ସମୟର ଯେଉଁ ପାର୍ଥକ୍ୟ ରହିଛି ସେଥିରେ ଜଷ୍ଟିସ ଗୋଗୋଇ ବିତର୍କ ମଧ୍ୟକୁ ଆସିଯାଉଛନ୍ତି। କୁହାଯାଏ ବିଚାରପତିମାନଙ୍କର ଅବସର ପୂର୍ବବର୍ତ୍ତୀ ରାୟ ସେମାନଙ୍କର ଅବସର ପରବର୍ତ୍ତୀ ନିଯୁକ୍ତିକୁ ପ୍ରଭାବିତ କରିଥାଏ। ତେଣୁ ରାଜ୍ୟସଭାକୁ ଜଷ୍ଟିସ ଗୋଗୋଇଙ୍କୁ ମନୋନୀତ କରିବା ପୂର୍ବରୁ ସରକାର ତାଙ୍କ ସହିତ ଆଲୋଚନା କରି ତାଙ୍କର ସମ୍ମତି ଯେ ଅବଶ୍ୟ ନେଇଥିବେ ଏହା ନିଶ୍ଚିତ। ଜଷ୍ଟିସ ଗୋଗୋଇ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଶପଥ ନେବାପରେ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରିବା ସମ୍ପର୍କରେ ନିଜର ମତାମତ ଦେବେ। ତାଙ୍କ କଥାରୁ ସୂଚିତ ଯେ ସେ ଏଥିପାଇଁ ଆଗ୍ରହୀ ଏବଂ ନିଜର ବିଚାରପତି ସୁଲଭ ଠାଣିରେ ସେ ନିଜର ନିଷ୍ପତ୍ତିକୁ ଯଥାର୍ଥ ପ୍ରତିପାଦନ କରିବେ।
ସମ୍ବିଧାନରେ ବା ଆମ ବ୍ୟବସ୍ଥାରେ ଜଣେ ସେବାନିବୃତ୍ତ ପ୍ରଧାନ ବିଚାରପତି/ ବିଚାରପତିଙ୍କୁ ରାଜ୍ୟସଭାକୁ ଆଣିବା କିମ୍ବା ତାଙ୍କୁ ଲୋକପ୍ରତିନିଧି ଭାବେ ନିର୍ବାଚନ ଲଢ଼ିବାରୁ ଦୂରେଇ ରଖିବାର କୌଣସି ଉଲ୍ଲେଖ ନାହିଁ। ଆହୁରି ମଧ୍ୟ ଅବସର ନେବାର କେତେଦିନ ପରେ ଜଣେ ପ୍ରଧାନ ବିଚାରପତି ରାଜନୀତିକୁ ଆସିବେ ବା ସରକାରୀ ପଦପଦବୀ ଗ୍ରହଣ କରିବେ ସେ ନେଇ ମଧ୍ୟ ଆମ ଆଇନ ନିରବ। ତେଣୁ ଆଇନର ଅଭାବ ଦୃଷ୍ଟିରୁ ନୈତିକତା ଏବଂ ଗଣତନ୍ତ୍ରରେ କ୍ଷମତାର ପୃଥକୀକରଣ ବିଚାରକୁ ନେଇ ଜଷ୍ଟିସ ଗୋଗୋଇଙ୍କୁ ଏଭଳି ସରକାରୀ ପ୍ରସ୍ତାବ ଗ୍ରହଣ ନ’କରିବାକୁ ବୌଦ୍ଧିକ, ନୈତିକ ଓ ସଚେତନ ଭାରତ ଚାପ ପକାଇବା ସ୍ବାଭାବିକ। ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ତାଙ୍କୁ ଭାବମୂର୍ତ୍ତି ବଢ଼ିବା ସହ ବିଚାର ବ୍ୟବସ୍ଥାର ମର୍ଯ୍ୟାଦା ବଢ଼ି ଏକ ଉଚ୍ଚ ପରମ୍ପରା ସୃଷ୍ଟି ହୋଇଥାନ୍ତା। ସରକାରୀ ଚାପରେ ବିଚାର ବ୍ୟବସ୍ଥା ତା’ର ସ୍ବାଧୀନତା ହରାଉଛନ୍ତି ବୋଲି ଯେଉଁ ଜନରବ ହେଉଛି ତାହାକୁ ଏହା କେତେକାଂଶରେ ପ୍ରଶମିତ କରିଥାନ୍ତା।
ନୀତି ଓ ନୈତିକତା ଏବେ ଏକ ବିରଳ ଦରବ ପାଲଟିଛି। କ୍ଷମତା ଓ ପଦର ଉପଯୋଗ କରି ଅତିରିକ୍ତ କିଛି ଲାଭ ହାତେଇବାର ଏଇ ସମୟରେ ଏକ ବଡ଼ ଆକର୍ଷଣ ପାଲଟିଛି। ଏ କାଳରେ ନୀତି ଓ ନୈତିକତା ଖୋଜିବା ବୋଧହୁଏ ନିରର୍ଥକ। ହେଲେ ଏଭଳି ନିଯୁକ୍ତି ଓ ମନୋନୟନକୁ ରୋକିବା ପାଇଁ ଆଇନ ଆଣିବ କିଏ? ଏ କାମଟି ସରକାରଙ୍କର। ସରକାର ବି ଏ ବ୍ୟବସ୍ଥାଟିକୁ ପ୍ରଲୋଭନର ଏକ ବଡ଼ ମାଧ୍ୟମ ଭାବେ ବଞ୍ଚେଇ ରଖିବାକୁ ଚାହିଁବେ ନ୍ୟାୟପାଳିକାକୁ ପ୍ରଭାବିତ କରିବା ପାଇଁ। ଜଷ୍ଟିସ ଗୋଗୋଇଙ୍କ ପାଇଁ ଏ କ୍ଷେତ୍ରରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ; କିନ୍ତୁ ନୈତିକତା ଦୃଷ୍ଟିରୁ ଏହା ଠିକ୍‌ ନୁହେଁ। ଏ ନୀତି ନୈତିକତାକୁୁ ପଚାରେ କିଏ?

kalyan agarbati

Comments are closed.