ମୁମ୍ବଇ : ବକ୍ସ ଅଫିସରେ ଶୁକ୍ରବାର(୨୯ ମାର୍ଚ୍ଚ) ଦୁଇ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଗୋଟିଏ ବିଦ୍ୟୁତ୍ ଜାମୱାଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଙ୍ଗଲୀ’ ଓ ଅନ୍ୟଟି ସଲମାନ ଖାନଙ୍କ ପ୍ରଯୋଜନାରେ ନିର୍ମିତ ଜହୀର ଇକବାଲ ଓ ପ୍ରନୁତନ ବହଲଙ୍କ ଅଭିନୀତ ‘ନୋଟବୁକ୍’।
‘ଜଙ୍ଗଲୀ’ ଏକ ଆକ୍ସନ-ଆଡ଼ଭେନ୍ଚର୍ ଭିତ୍ତିକ ଚଳଚ୍ଚିତ୍ର। ଏଥିରେ ବିଦ୍ୟୁତ୍ ପଶୁମାନଙ୍କ ଡାକ୍ତର ରାଜ୍ ଭୂମିକାରେ ଅବତୀର୍ଣ୍ଣ। ଯାହାର ପିଲାଦିନ ହାତୀ ସଂରକ୍ଷିତ ଜଙ୍ଗଲରେ ବିତିଛି। ବିଦ୍ୟୁତ୍ ସର୍ବଦା ନିଜ ଆକ୍ସନ ସିନ୍ ପାଇଁ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଏହି ଚଳଚ୍ଚିତ୍ର ମାଧ୍ୟରେ ଦର୍ଶକ ପୁଣିଥରେ ତାଙ୍କର ସେହି ଅବତାର ଦେଖିବାକୁ ପାଇବେ। ଏଥିରେ ବିଦ୍ୟୁତଙ୍କ ବ୍ୟତୀତ ଆଶା ଭଟ୍ଟ, ଅତୁଲ କୁଲକର୍ଣ୍ଣୀ ଓ ମକରନ୍ଦ ଦେଶପାଣ୍ଡେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ଜଙ୍ଗଲୀ’ର ନିର୍ଦ୍ଦେଶନା ଦେଇଛନ୍ତି ହଲିଉଡ଼ ନିର୍ଦ୍ଦେଶକ ଚକ୍ ରସେଲ। ପ୍ରାୟ ୪୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୨-୩ କୋଟି ଟଙ୍କା ଆୟ କରିପାରେ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ ସଲମାନ ଖାନଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ନୋଟବୁକ୍’ ଏକ ରୋମାଣ୍ଟିକ୍ ମ୍ୟୁଜିକାଲ୍ ଚଳଚ୍ଚିତ୍ର। ଏଥିରେ ସଲମାନ ଦୁଇ ନବାଗତ କଳାକାର ଜହୀର ଇକବାଲ ଓ ପ୍ରନୁତନ ବହଲଙ୍କୁ ସୁଯୋଗ ଦେଇଛନ୍ତି। ଚଳଚ୍ଚିତ୍ରରେ ଦୁହେଁ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ। ଉଲ୍ଲେଖଯୋଗ୍ୟ ଯେ, ପ୍ରନୁତନ ଅଭିନେତା ମୋହନୀଶ ବହଲଙ୍କ ଝିଅ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ନିତିନ କକ୍କଡ଼ ବହନ କରିଛନ୍ତି। ବଲିଉଡ଼ ତାରକାମାନେ ଚଳଚ୍ଚିତ୍ରର ଖୁବ୍ ପ୍ରଶଂସା କରୁଥିବା ବେଳେ ଦର୍ଶକଙ୍କୁ ଏହା କେତେଦୂର ପସନ୍ଦ ଆସୁଛି ତାହା ଦେଖିବା ବାକି ରହିଲା। ମିଳିଥିବା ସୂଚନା ଅନୁସାରେ, ‘ନୋଟବୁକ୍’ ପ୍ରଥମ ଦିନରେ ୧ କୋଟି ଟଙ୍କାର ବ୍ୟବସାୟ କରିପାରେ ବୋଲି ଆଶା କରାଯାଉଛି।



