ଜଙ୍ଗଲ କମୁଛି , ଚାଷ ଜମି ବି

ଭୁବନେଶ୍ଵର: ଓଡ଼ିଶାରେ ଚାଷ ବାବଦରେ ଏକ ନୂଆ ପ୍ରକାରର ବାର୍ଷିକ ହିସାବ କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ସାଂଖୀକୀୟ ନିର୍ଦେଶାଳୟ ଗତ ୧୯୮୧-୮୨ ମସିହାରୁ ଅନୁସନ୍ଧାନ କରି ପ୍ରତିବର୍ଷ ପ୍ରକାଶିତ କରିଆସୁଅଛନ୍ତି। ଏ ହିସାବ ହେଲା, ପ୍ରତି ଗାଁର ଭୌଗୋଳିକ ଆକାର, ତହିଁରୁ କେତେ ଜମି ରେଭେନ୍ୟୁ ଜଙ୍ଗଲ, ଚାଷ ଭିନ୍ନ ଅନ୍ୟ କାମରେ ବ୍ୟବହୃତ, ଚାଷ ଅନୁପଯୋଗୀ ଜମି, ଚାଷଯୋଗ୍ୟ ପଡ଼ିଆ ଜମି, ଚାଷ ଭିନ୍ନ ଗଛ ଇତ୍ୟାଦିରେ ବ୍ୟବହୃତ, ଗୋଚର, ପୁରୁଣ ପଡ଼ିଆ, ଚଳିତ ପଡ଼ିଆ ଜମି, ଫସଲ ବୁଣା ହୋଇଥିବା ଜମି, ଜଙ୍ଗଲ ବିଭାଗ ହାତରେ ଥିବା ଜମି ଓ ବଡ଼ ଏବଂ ମଧ୍ୟମ ଜଳସେଚନ ବ୍ୟବସ୍ଥାରେ ପାଣିଭଣ୍ଡାର ତଳେ ଥିବା ଜମି, ବିଭିନ୍ନ ଋତୁରେ ଚାଷୀ କରିଥିବା ବିଭିନ୍ନ ଫସଲର ଜମି ପରିମାଣ, ବିଭିନ୍ନ ପ୍ରକାରର ଜଳସେଚିତ ଜମି, ଫସଲୱାରୀ। ଏ ସବୁ ତଥ୍ୟ ବ୍ରିଟିଶ୍ କାଳରେ େଯଉଁଠାରେ ରୟତୱାରୀ ବ୍ୟବସ୍ଥା ଥିଲା ସେଠାରେ ପ୍ରତି ଗାଁରେ ଥିବା ପଟୱାରୀ ସେ ଗାଁର ରେଭେନ୍ୟୁ ରେକର୍ଡ ସାହାଯ୍ୟରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ଜଣାଇବାର ବ୍ୟବସ୍ଥା ଥିଲା। ଜମିଦାରୀ ଅଞ୍ଚଳରେ ଓ ପୁରୁଣା ଦେଶୀୟ ରାଜ୍ୟମାନଙ୍କରେ ପଟୱାରୀ ବ୍ୟବସ୍ଥା ନଥିବାର ସେଠାରୁ ଏ ପ୍ରକାରର ତଥ୍ୟ େକୗଣସି ତଳଶ୍ରେଣୀୟ ରେଭେନ୍ୟୁ ଅଫିସର ତାଙ୍କ ବେଳ ଅନୁସାରେ ଯୋଗାଡ଼ କରି ପଠାଉଥିଲେ। ଓଡ଼ିଶାରେ ସବ-ଡିଭିଜନ ବା ବ୍ଲକ ସ୍ତରର ରେଭିନ୍ୟୁ ଅଫିସର ସେ କାମ କରୁଥିଲେ। ଏହା କେତେ ଠିକ୍ ଥିବ ତାହା ସହଜରେ ଅନୁମେୟ। ଭାରତ ସରକାର ଏଥିପାଇଁ ନିଜଆଡ଼ୁ ଟଙ୍କା ଖର୍ଚ୍ଚକରି ଠିକ୍ ହିସାବ ଜାଣିବାପାଇଁ ଏକ ଭିନ୍ନ ବ୍ୟବସ୍ଥା ଅଶୀ ଦଶକର ଆରମ୍ଭରୁ କଲେ।
ଏ ବ୍ୟବସ୍ଥା ହେଲା ଯେ ରାଜ୍ୟର ପ୍ରତି ଜିଲାର ବ୍ଲକକୁ ଧରି ରାଜ୍ୟର କୋଡ଼ିଏ ପ୍ରତିଶତ ଗାଁର ଟିକିନିଖି ହିସାବ ଅନୁସନ୍ଧାନକାରୀଙ୍କୁ ପଠାଇ ବର୍ଷ ଭିତରେ ପ୍ରତି ପ୍ଲଟ ଦେଖି ଯୋଗାଡ଼ କରାଯିବ। ଆଉ, ପ୍ରତିବ୍ଲକର ଫସଲର ସେ ଋତୁରେ କେତେ ଉତ୍ପାଦନ ହେଲା ତାହାର କ୍ରପ୍କଟିଂଗ୍ ସର୍ଭେ ସାହାଯ୍ୟରେ ହିସାବ କରାଯିବ। ଓଡ଼ିଶା ସରକାରଙ୍କ ସାଂଖୀକୀୟ ବିଭାଗ ଏ ଅନୁସନ୍ଧାନ କରି ତାହାର ରିପୋର୍ଟ ଜିଲାୱାରୀ ହିସାବଦେଇ ପ୍ରତିବର୍ଷ ପ୍ରକାଶ କରୁଅଛନ୍ତି। ଶତକଡ଼ା କୋଡ଼ିଏ ଗାଁର ହିସାବ ଯୋଗାଡ଼ ହୋଇଥିବାରୁ ସାଂଖୀକୀୟ ତତ୍ତ୍ବ ଅନୁସାରେ ତାକୁ ପାଞ୍ଚଗୁଣ କରି ପ୍ରଦେଶର ହିସାବ ଦିଆଯାଏ। ସାଂଖୀକୀୟ ରାଣ୍ଡମ ସାଂପ୍ଲ ଏପରି କରାଯାଏ ଯେ ପ୍ରତି ପାଞ୍ଚବର୍ଷ ଭିତରେ ରାଜ୍ୟର ସବୁ ଗାଁରୁ ଏଭଳି ତଥ୍ୟ ସଂଗ୍ରହ କରାଯାଏ। ୧୯୮୧-୮୨ ମସିହାରୁ ୨୦୨୨-୨୩ ପର୍ଯ୍ୟନ୍ତର ହିସାବ ଆଜି ପର୍ଯ୍ୟନ୍ତ ଉପଲବ୍ଧ। ମୋର ଧାରଣା ପୂର୍ବପ୍ରକାଶିତ ତଥ୍ୟ ଅପେକ୍ଷା ଏ ତଥ୍ୟ ବହୁଭାବରେ ବିଶ୍ବାସଯୋଗ୍ୟ (ଅବଶ୍ୟ ଯଦି ଅନୁସନ୍ଧାନକାରୀ କାମଚୁକାରପଣିଆ କରୁନଥିବେ) ଏହା ବାସ୍ତବରେ ପଟୱାରୀଙ୍କ ହିସାବ ଅପେକ୍ଷା ବେଶି ବିଶ୍ବାସଯୋଗ୍ୟ। ମଁୁ ଏ ହିସାବର ବ୍ୟବହାର କରି ଓଡ଼ିଶାର ଚାଷରେ ଗତ ଚାରି ଦଶକ ଭିତରେ ଘଟିଥିବା ପରିବର୍ତ୍ତନର ଆଲୋଚନା କରିବି। ପ୍ରତି ପାଞ୍ଚ ବର୍ଷରେ ସବୁ ଗାଁର ହିସାବ ମିଳୁଥିବାରୁ ଓ ପ୍ରତି ବର୍ଷର ହିସାବ କୋଡ଼ିଏ ଶତାଂଶ ସଂାପ୍ଲରୁ ଥିବାରୁ ଏ ଦୀର୍ଘ ବୟାଳିଶ ବର୍ଷର ପରିବର୍ତ୍ତନ ପ୍ରତି ପାଞ୍ଚବର୍ଷର ହାରାହାରି ସାହାଯ୍ୟରେ ଅନେକ ସମୟରେ କରିବି। ଦୀର୍ଘ ସମୟର ପରିବର୍ତ୍ତନଲାଗି ଏହା ଉପଯୁକ୍ତ ହେବ ବୋଲି ମୋର ବିଶ୍ବାସ।
ଆଗ ସର୍ଭେ ନହୋଇଥିବା ଜମି ବାବଦରେ ଗୋଟିଏ କଥା ଆଡ଼କୁ ଧ୍ୟାନ ଆକର୍ଷଣ କରିବାକୁ ଚାହେଁ । ସର୍ଭେ ନହୋଇଥିବା ଜମିହେଲେ ଜଙ୍ଗଲ ବିଭାଗ ହାତରେ ଥିବା ରିଜର୍ଭ ଫରେଷ୍ଟ ଓ ବଡ଼ହ୍ରଦ ଓ ଜଳସେଚନ ଯୋଜନାର ଜଳଭଣ୍ଡାର ତଳେଥିବା ଜମି ବାବଦରେ। ଏ ବୟାଳିଶ ବର୍ଷର ହିସାବରୁ ଦିଶୁଚି ଯେ ଏ ଜମିର ଆକାର ଏ ଚାରି ଦଶକ ଭିତରେ ପ୍ରାୟ ଛଅ ଲକ୍ଷ ହେକ୍ଟର କମିଚି। ଜଳସେଚନ ଭଣ୍ଡାରର ଜମିରେ ପରିବର୍ତ୍ତନ ହେଲେ ବି ଏ ହିସାବରୁ ତାହା ବାହାରି ପଡ଼ିବାର ନୁହେଁ। ତେଣୁ ଏ ଛଅ ଲକ୍ଷ ହେକ୍ଟର ଜମି ରିଜର୍ଭ ଫରେଷ୍ଟରୁ ବାହାରି ପଡ଼ିଥିବ। ଏ ଫରେଷ୍ଟ ଜମି ଖଣିପାଇଁ ରେଳବାଇ ପାଇଁ ଓ ରାଜରାସ୍ତା ପାଇଁ ତଥା ଅନ୍ୟଚାଷଭିନ୍ନ କାମପାଇଁ ଦିଆଯାଇଥିବ। ଯାହା ଦିଶୁଚି, ଅନୁସନ୍ଧାନର କୃଷିଭିନ୍ନ ବ୍ୟବହାରରେ ଲାଗିଥିବା ଜମି ଏ ଚାରି ଦଶକ ଭିତରେ ସାଢ଼େ ଚାରି ଲକ୍ଷ୍ୟ ହେକ୍ଟର ବଢ଼ିଚି ଓ ରେଭେନ୍ୟୁ ଜଙ୍ଗଲର ଆକାର ପ୍ରାୟ ଦେଢ଼ ଲକ୍ଷ ହେକ୍ଟର ବଢ଼ିଚି। ତେଣୁ ଜଙ୍ଗଲ ଜମି ଏଥିକୁ ଯିବାର ଦିଶୁଚି।
ଜଙ୍ଗଲ ଜମି ଏତେ ପରିମାଣରେ କମ୍ ହେବା ଦେଶପକ୍ଷରେ ହାନିକାରକ। ଜଙ୍ଗଲ ଯାଇ ସେଠାରେ ଖଣି, ରେଳ, ରାସ୍ତାଘାଟ ହେଲେ ସେ ଜମିର ଉପର ସ୍ତରର ମୃତ୍ତିକା କ୍ରମେ ପାଣି-ପବନରେ ଧୋଇ-ଉଡ଼ିଯିବ। ଅସଲରେ ସେ ଜମିର ପାଣି ଧାରଣ କ୍ଷମତା ନଷ୍ଟ ହେବ। ଆଜି ଓଡ଼ିଶାର ଉପକୂଳ ଅଞ୍ଚଳରେ ଆସି ସମୁଦ୍ରରେ ପଡ଼ୁଥିବା ନଦୀମାନଙ୍କରେ- ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ଇତ୍ୟାଦିରେ- ମାର୍ଚ୍ଚ ମାସ ଆରମ୍ଭ ବେଳକୁ ପାଣି ନଥିବାର ଖବର ବରାବର ପଢ଼ିବାକୁ ମିଳୁଚି। ଉପଲବ୍ଧ ହିସାବରୁ ଦିଶୁଚି ଯେ ଜଙ୍ଗଲ ଜମି ପ୍ରାୟ ସବୁ ଜିଲାରେ କମିଥିଲେ ବି ବେଶି ପରିମାଣରେ କମିଚି କେଉଁଝର, ଅନୁେଗାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ଫୁଲବାଣୀ, ବୌଦ୍ଧ, ରାୟଗଡ଼, କୋରାପୁଟ, ଗଞ୍ଜାମ ଓ କଟକ ଜିଲାରେ। ଏଥିରୁ ସହଜରେ ଅନୁମେୟ ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ଋଷିକୁଲ୍ୟାେର (ଛୋଟ ଉପନଦୀମାନଙ୍କ କଥା ଖବରକାଗଜରେ ବାହାରେ ନାହିଁ) ମାର୍ଚ୍ଚ ବେଳକୁ ନଈ କିଆଁ ଶୁଖିଲା। ନଈ ଏତେବେଳକୁ ଶୁଖିବାର ଆଉ ଏକ କାରଣ ହୋଇପାରେ ନଈରୁ ପମ୍ପ୍ ସାହାଯ୍ୟରେ ଚାଷପାଇଁ, କାରଖାନା ପାଇଁ ବା ଅନ୍ୟ କୌଣସି କାମପାଇଁ ପାଣି ଉଠେଇବା। ଓପର ମୁଣ୍ଡରେ ଏଭଳି ପାଣି ଉଠେଇଲେ ତଳ ଆଡ଼କୁ ବର୍ଷା ଋତୁ ପରେ ନଈ ଶୁଖିଯିବା ସ୍ବାଭାବିକ।
ଏହା ଖାଲି ତଳ ଆଡ଼ର ଚାଷପାଇଁ ହାନିକାରକ ନୁହେଁ, ନଈକୂଳେ ଥିବା ଗାଁମାନଙ୍କରେ ଲୋକଙ୍କୁ ପିଇବାପାଇଁ ପାଣି ଆଉ ଚାରିମାସ ମିଳିବ ନାହିଁ। ସେ ଗାଁମାନଙ୍କରେ କୂଅ ଖୋଳିଲେ ମଧ୍ୟ ପାଣି ସହଜରେ ମିଳିବ ନାହିଁ, କାରଣ ଭୂତଳ ଜଳସ୍ତର ତଳକୁ ଖସୁଚି। ଏ ଜଙ୍ଗଲନାଶ ସବୁଦୃଷ୍ଟି ଘୋର ବିପଜ୍ଜନକ। ଏଣେ ଜଳବାୟୁ ପରିବର୍ତ୍ତନକୁ ରୋକିବା ଲାଗି କୋଇଲା ଓ ପେଟ୍ରୋଲ-ଡିଜେଲର ବ୍ୟବହାର ବନ୍ଦ କରିବା ଆବଶ୍ୟକ ବୋଲି ସରକାର କହୁଥିବାବେଳେ କୋଇଲା ଖଣି ପାଇଁ ଜମିଦେବା କେତେଦୂର ଉଚିତ ତାହା ଭାବି ନୀତି ନିର୍ଦ୍ଧାରଣ କରିବାର ବେଳ ଗଡ଼ିଯାଉଚି। ସହର ବଢ଼ିବା ପାଇଁ, ବସେଇବା ପାଇଁ ଜମି ଦରକାର ହେବ। ମାତ୍ର ତା’ କରିବାବେଳେ ଜଙ୍ଗଲ ଜମିକୁ ହାତ ନ ଲଗେଇବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ି ସମୁଦ୍ରକୂଳିଆ ଜମି ଓ ଫଳରେ ଗାଁ ଉଠିଯାଇ ଲୋକଙ୍କୁ କୌଣସିଠାରେ ପୁନଃସ୍ଥାପିତ କରିବାକୁ ପଡ଼ିବ। ସେତେବେଳେ ଯେଉଁ ଅଞ୍ଚଳରେ ଘର ତୋଳିବାପାଇଁ ଚାଷ ଅନୁପଯୁକ୍ତ ଜମି ଅଧିକ ଅଛି ଓ ଚାଷଯୋଗ୍ୟ ଜମି ଲୋକଙ୍କୁ ଦେବାଭଳି ଅଛି ତା’ ଦେଖି ବ୍ୟବସ୍ଥା କରିବାକୁ ପଡ଼ିବ। ଏବହୁଁ ତାହାର ବିଚାର ଲୋଡ଼ା। ଜଙ୍ଗଲକୁ ହାତ ନଲଗେଇବା ବିଧେୟ।
ପ୍ରାଗ ଐତିହାସିକ କାଳରୁ ଶହେ ବର୍ଷ ତଳ ପର୍ଯ୍ୟନ୍ତ ଲୋକେ ଜଙ୍ଗଲ କାଟି ଚାଷ କଲେ ଓ ଗାଁ ବେସଇଲେ। ମାତ୍ର ଆଜି ଏଣେ ଜଙ୍ଗଲ କଟାହେଲା ବେଳକୁ ତେଣେ ଆମ ଦେଶରେ ଚାଷଜମି କମିବାରେ ଲାଗିଲାଣି। ଓଡ଼ିଶାରେ ଗତ ଚାଳିଶବର୍ଷ ହେଲା ଚାଷୀ ପ୍ରତିବର୍ଷ କୌଣସି ବା କୌଣସି ଋତୁରେ ଚାଷ କରୁଥିବା ଜମି କ୍ରମେ କମିବାରେ ଲାଗିଚି, ମାତ୍ର ଗାଁର ଲୋକସଂଖ୍ୟା ବଢ଼ୁଛି। ୧୯୮୧ ମସିହାରେ ରାଜ୍ୟରେ ଚାଷ ହୋଇଥିବା ଜମିଥିଲା ପ୍ରାୟ ୫୧ ଲକ୍ଷ ହେକ୍ଟର। ୨୦୨୩ ମସିହା ବେଳକୁ ଏହା କ୍ରମେ କମି ହେଲାଣି ପ୍ରାୟ ବୟାଳିଶ ଲକ୍ଷ ହେକ୍ଟର। ଚାଳିଶ ବର୍ଷ ତେଳ ଓଡ଼ିଶାର ମୋଟ ଭୌଗୋଳିକ କ୍ଷେତ୍ରର ଶତକଡ଼ା ପ୍ରାୟ ତେତିଶ ଭାଗରେ ଚାଷ ହେଉଥିଲା। ୨୦୨୩ ବେଳକୁ ଏହା କ୍ରମେ ଖସି ହେଲାଣି ପ୍ରାୟ ଶତକଡ଼ା ଛବିଶ ଭାଗ। ଏ ପ୍ରାୟ ନଅଲକ୍ଷ ହେକ୍ଟର ଚାଷଜମି ଗଲା କୁଆଡ଼େ? ହିସାବରୁ ଦିଶୁଚି, ପଡ଼ିଆ- ପାଞ୍ଚବର୍ଷରୁ ବେଶି ବା କମ୍ କାଳରେ ପଡ଼ିଥିବା ପଡ଼ିଆ- ଜମିର ଆକାର ଏଇ ସମୟ ଭିତରେ ବଢ଼ିଚି ସାଢ଼େ ଛଅ ଲକ୍ଷ ହେକ୍ଟର। ବାକି ଜମି ମୁଖ୍ୟତଃ ସହର ଇତ୍ୟାଦିରେ ଯାଇଥିବ। ଚାଷ ଜମି କମିବା ଓ ପଡ଼ିଆ ଜମି ବଢ଼ିବା ଆରମ୍ଭ ହେଲା ନବେ ଦଶକରୁ, ଆମ ଦେଶରେ ନୂଆ ଆର୍ଥିକ ପରିବର୍ତ୍ତନ ପରଠାରୁ। ପଡ଼ିଆ ଜମି କଥା ବିଚାର କରିବାର ଆଗରୁ ବିଭିନ୍ନ ପ୍ରକାରର ଗଛ ତଇଲାମାନଙ୍କ ତଳେ ଥିବା ଜମି, ଯାହା ଚାଷଜମିର ହିସାବରେ ଆସେ ନାହିଁ, ତା’କଥା ଟିକିଏ ଦେଖିବା। ସାରା ଓଡ଼ିଶାରେ ଏ ପ୍ରକାର ଜମି ଚାଳିଶ ବର୍ଷ ଭିତରେ ପ୍ରାୟ ଲକ୍ଷେ ହେକ୍ଟର ଉପରକୁ ବଢ଼ିଚି। କେଉଁଠାରେ ବଢ଼ିଲା ବୋଲି ଖୋଜିଲେ ମାତ୍ର ଦିଶିଲା ଯେ ଗଛଥିବା ଜମିର ପରିମାଣ ବଢ଼ିଚି ମୁଖ୍ୟତଃ ଚାରିଟି ଜିଲାରେ- ଗଜପତି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର। ପୁରୁଣା କୋରାପୁଟ ଓ ପାଖ ଗଜପତି ଜିଲାରେ କାଜୁ ସାଙ୍ଗକୁ କଫି, ଗୋଲମରିଚ ଓ ମସଲା, କମଳା ତଥା ଆମ୍ବ, ପଣସ, ଇତ୍ୟାଦିର ନୂଆ ବଗିଚା ବଢ଼ୁଚି। ମାତ୍ର ଦୁଃଖର କଥା, ଆଉ ଅଧେ ଜିଲାରେ ଚାଳିଶବର୍ଷ ଭିତରେ ପ୍ରାୟ ହଜାରେ ହେକ୍ଟର ବଢ଼ିଥିଲେ ବି ବାକି ଅଧକରେ ଏ ଜମିର ଆକାର କମିଚି। ଆଗେ ଅବିଭକ୍ତ ପୁରୀ ଜିଲା ନଡ଼ିଆ ଚାଷପାଇଁ ପ୍ରସିଦ୍ଧ ଥିଲା। ଆଶ୍ଚର୍ଯ୍ୟର କଥା ଯେ ଗତ ଚାଳିଶବର୍ଷ ଭିତରେ ନଡ଼ିଆ ଚାଷ ବହୁଳ ଭାବରେ କମିଚି- ପୁରୁଣା ପୁରୀ ଜିଲାରେ (ପୁରୀ ଓ ଖୋର୍ଦ୍ଧାକୁ ମିଶାଇ) ଏ ପ୍ରକାରର ଗଛତଳେ ଥିବା ଜମି ଅନ୍ତତଃ ତେରଲକ୍ଷ ହେକ୍ଟର କମିଚି। କେନାଲ ହେଲାଠାରୁ ଦି ଋୁତୁରେ ଧାନ କରିବା ପାଇଁ ବୋଧହୁଏ ଚାଷୀ ତଥା ଜମିମାଲିକ ନଡ଼ିଆରୁ କାଢ଼ି ଜମି ଧାନରେ ଲଗେଇଲେ। ତଥାପି ମୋଟ ଚାଷଜମି ବଢ଼ିନି, ଛିଡିଚି। ନଡ଼ିଆ ତେଲ, କତାଦଉଡ଼ିର ବ୍ୟବସାୟ ବନ୍ଦ ହେଲା। ହେଲେ କେଉଁଆଡ଼ୁ କିଛି ସ୍ବର ଶୁଭୁନି।
ପ୍ରାୟ କୋଡ଼ିଏ ବର୍ଷ ତଳେ ଦିନେ ମୁଁ ରହୁଥିବା ପୁଣେ ସହରରେ ଗୋଟିଏ ଟାକ୍ସିରେ ବସି ମୁମ୍ବଇ ଗଲାବେଳେ କଥାବାର୍ତ୍ତାରୁ ଜାଣିଲି ଡ୍ରାଇଭର ଜଣେ ଓଡ଼ିଆ। ତାଙ୍କ ସାଙ୍ଗରେ ସେଦିନ ଓ ପରେ ଅନେକଥର କଥାରୁ ଜାଣିଲି ସେ ଢେଙ୍କାନାଳର ଚାଷୀ ଘରର ପିଲା। ସ୍କୁଲ ପାଠ ପଢ଼ିଛନ୍ତି। ମାତ୍ର ଘରେ ଚାଷପାଇଁ ଜମିଥିଲା ସତ୍ତ୍ବେ ଏଠାରେ ଆସି ଟାକ୍ସି ଚଲଉଚନ୍ତି, ସେଠା ଚାଷ ଅପେକ୍ଷା ଭଲ ପଇସା ମିଳିବ ବୋଲି। ମୁଁ ପଚାରିଲାରୁ ଜାଣିଲି, ବାପା ଆଉ ଢିପ ଜମିରେ ଧାନ କରୁନାହାନ୍ତି, ପଡ଼ିଆ ରଖୁଚନ୍ତି; ଖାଲି ତଳ ଜମିରେ, ଯୋଉଠି ପାଣି ଭଲ ରହେ, ସେଥିରେ ଧାନ କରୁଚନ୍ତି। ସେ ଘରକୁ ପଠଉଥିବା ଟଙ୍କାରେ କୁଟୁମ୍ବର ଖର୍ଚ୍ଚ ଚଳିଯାଉଚି।
ଆଜି ଅନେକ ଗାଁରେ ସେଇ ଅବସ୍ଥା। ତରୁଣ, ଝିଅମାନେ ବି, ଖାଲି ଟାକ୍ସିକାମକୁ ନୁହେଁ, ବେଙ୍ଗାଲୁରୁ, ଚେନ୍ନଇ, ତିରୁବନ୍ତପୁର, କୋଚି, ସୁରତ ଭଳି ବଡ଼ ସହରରେ ମଲ୍ରେ, ବିଭିନ୍ନ ଦୋକାନରେ, ରେସ୍ତୋରାଁରେ, ବଢ଼େଇ, ଇେଲକ୍ଟ୍ରିସିଆନ୍ ଭାବରେ, ଲୁଗାବୁଣା କାରଖାନାରେ, କିଛି ନହେଲେ ଦାଦନ ଶ୍ରମିକ ହିସାବରେ କାମ କରୁଚନ୍ତି। କେରଳରେ ଧାନ ବିଲରେ ଅନେକ ମଜୁରିଆ ବଙ୍ଗାଳୀ ଓ ଓଡ଼ିଆ। ସେଠା ଲୋକେ ଆହୁରି ଭଲ ମଜୁରି ପାଇଁ ଗଲ୍ଫକୁ ଗଲେ; ତାଙ୍କ ଜାଗାରେ ବେଶି ମଜୁରି ପାଇଁ ବଙ୍ଗାଳୀ ଓ ଓଡ଼ିଆ ତରୁଣ ଆସିଲେ। ଏହା ଖାଲି ପୁରୁଣା ଗଡ଼ଜାତ ଅଞ୍ଚଳର କଥା ନୁହେଁ, ଉପକୂଳ ଜିଲାମାନଙ୍କର ବି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଆଡ଼ୁ ବହୁସଂଖ୍ୟାରେ ତରୁଣ ଏ ଦୂର ଅଞ୍ଚଳକୁ ରୋଜଗାର ପାଇଁ ପଳଉଚନ୍ତି। ଘରେ ଜମି, ବିଶେଷତଃ ଅଣ-ଉପକୂଳ ଅଞ୍ଚଳର ଢିପ ଜମି ଆଉ ଚାଷ ନହୋଇ ପଡ଼ିଆ ପଡ଼ିରହୁଚି।
ଏ ଯେଉଁ ଲକ୍ଷଲକ୍ଷ ହେକ୍ଟର ଜମି ପଡ଼ିଆ ପଡ଼ିରହୁଚି ଏଥିରୁ ମାଲିକ-ଚାଷୀକୁ ତ କିଛି ମିଳୁନାହିଁ, ଗାଁରେ ଥିବା ଅଭାବଗ୍ରସ୍ତ ମାଇପି-ମିଣିପିଙ୍କ ପାଇଁ ବି ଏହାର କୌଣସି ବ୍ୟବହାର ହେଉନାହିଁ। ହେବା ଆବଶ୍ୟକ। ଢିପଜମି ପଡ଼ିଆ ରହିଲେ, ବା କେତେବେଳେ କଦବା ଚାଷକଲେ, ସେ ଜମି ଉପରର ମାଟି କ୍ରମେ ଧୋଇ-ଉଡ଼ିଯାଏ। (ମହାରାଷ୍ଟ୍ରରେ ସେକାଳେ ଓ ଶହେବର୍ଷ ପରେ ମାଟି ମାପିବାରୁ ଜଣାଗଲା ଅଶୀଭାଗ ମାଟି ଉଡ଼ି-ଧୋଇ ଗଲାଣି।) ଯେଉଁମାନେ ବାହାରକୁ ଗଲେ, ଯାଆନ୍ତୁ, ତାଙ୍କ ହାତଧରି ଫେରେଇ ଆଣିବା ଦରକାର ନାହିଁ। ତାଙ୍କର ଯେଉଁ ବିଲ ପଡ଼ିଆ ପଡ଼ିଚି ତାହାର ଉପଯୁକ୍ତ ବ୍ୟବହାର କଲେ ଗାଁର ଅଭାବଗ୍ରସ୍ତ ଲୋକଙ୍କ ପାଇଁ କିଛି ଆୟର ବାଟ ଫିଟିଯାଆନ୍ତା ଓ ସାଙ୍ଗକୁ ସେ ଜମିମାଲିକଙ୍କୁ ସେ ବାବଦରେ ଚାରିପଇସା ମିଳିବାର ବି ହୁଅନ୍ତା। ମୋର କହିବା କଥା, ସେ ଜମିର ମାଲିକ ସେଥିରେ ନିଜେ କିଛି ନକଲେ ବି ଗଁାର କେହି ସେ ଜମିରେ ଘାସ ଓ ମୁଗ, ବିରି ପରି ଝୁଡ଼ୁକିଆ ବୁଦା ଛେଳିମେଣ୍ଢାଙ୍କ ପାଇଁ କଲେ ହୁଅନ୍ତା। ଗାଁରେ ଗରିବଘରର ମାଇପେ ଦି-ତିନିଟା ଛେଳି ରଖି ତହିଁରୁ ଅଳ୍ପ ଦୁଧ ଚାହା ପାଇଁ ଓ ତାଙ୍କ ଛେଳିଙ୍କର ଛ-ମାସିଆ ପିଲାଙ୍କୁ ମାଂସ ପାଇଁ ବିକି ରୋଜଗାର କରୁଛନ୍ତି। ତାଙ୍କୁ ବେପାର ବଢ଼େଇବା ପାଇଁ ତାଙ୍କ ସ୍ବେଚ୍ଛାସେବୀ ସଂସ୍ଥା ପାଖରେ ଛେଳିମେଣ୍ଢାଙ୍କୁ ଦେଲାଭଳି ଚାରା ନାହିଁ। ସରକାର ଯଦି ଆଇନ କରନ୍ତେ ଯେ ପଡ଼ିଆ ଜମିକୁ ଚାଷୀ ମାଇପିଙ୍କ ସଂସ୍ଥାକୁ ଏକରି ଚାଳିଶ-ପଚାଶ ଟଙ୍କା ଭଡ଼ାରେ ପାଞ୍ଚ ବର୍ଷ ପାଇଁ ଦେଇ ପାରନ୍ତେ ତେବେ ସେମାନେ ସେଥିରେ ଭଲ ଧରଣର ଘାସ, ବହଳରେ ବୁଣା ମୁଗ-ବିରି କିମ୍ବା ନୂଆ ଜାତିର ସୁ-ବାଭୁଳ କରନ୍ତେ, ଯାହାଯୋଗୁଁ ତାଙ୍କ ପରିସ୍ଥିତିରେ ସୁଧାର ଆସନ୍ତା। ଜମିମାଲିକଙ୍କୁ କିଛି ପଇସା ସେ ପଡ଼ିଆ ଜମିରୁ ମିଳନ୍ତା। ଥରେ ଭଡ଼ାରେ ଦେଲେ ପୁଣି ପାଞ୍ଚ ବର୍ଷରେ ତାହା ବଢ଼େଇ ହୁଅନ୍ତା। ଜମି ହାତରୁ ନଗଲେ ମାଲିକ ଆଶ୍ବସ୍ତ ରହନ୍ତେ। ଗରିବଙ୍କ ହାତକୁ ହଜାରେ ଟଙ୍କା ଭିକ୍ଷା ଦେବା ପରିବର୍ତ୍ତେ ଏ ପ୍ରକାରର ରୋଜଗାରର ବାଟ ଖୋଲିଦେଲେ ସମାଜରେ ପରିବର୍ତ୍ତନର ବାଟ ଦିଶନ୍ତା। ସରକାରଙ୍କର ଆଇନରେ ବ୍ୟବସ୍ଥା ଛଡ଼ା ଆଉ କିଛି କରିବାର ନାହିଁ; ବାକି ସବୁ ଲୋକେ କରନ୍ତେ।
ପୁଣେ, ମହାରାଷ୍ଟ୍ର
Comments are closed.