ୱିମ୍ବଲଡନ୍‌: ଫେଡେରର୍‌ଙ୍କୁ ହରାଇ ଜୋକୋଭିକ୍ ଚମ୍ପିଆନ

ଲଣ୍ଡନ୍‌ : ବିଶ୍ବର ୧ନଂ ଖେଳାଳି ସର୍ବିୟାର ନୋଭାକ୍‌ ଜୋକାଭିକ୍‌ ଚଳିତବର୍ଷର ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚମ୍ପିଆନ୍‌ସିପ ୱିମ୍ବଲଡନ୍‌ରେ ପୁରୁଷ ସିଙ୍ଗଲ୍‌ସ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳା ଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ତଥା ମାରାଥନ୍ ଫାଇନାଲ ମ୍ୟାଚ୍‌ରେ ଟପ୍ ସିଡ୍ ଜୋକୋଭିକ୍ ୭-୬, ୧-୬, ୭-୬, ୪-୬, ୧୩-୧୨ ସେଟ୍‌ରେ ୨ୟ ସିଡ୍ ଭେଟେରାନ୍ ଖେଳାଳି ରଜର ଫେଡେରରଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ପଥରେ ଜୋକୋଭିକ୍ ଏକାଧିକ ମ୍ୟାଚ୍ ପଏଣ୍ଟ ବଞ୍ଚାଇଥିଲେ ଏବଂ ପରାଜୟ ଦ୍ବାରରୁ ବିଜୟ ହାସଲ କରିଥିଲେ।
ଏହି ଗ୍ରାସ୍‌କୋର୍ଟ ଗ୍ରାଣ୍ଡ୍‌ସ୍ଲାମ୍ ଜିତି ଜୋକୋଭିକ୍ ଜୀବନର ୧୬ଶ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଜିତିଛନ୍ତି। ମୋଟଉପରେ ଏହା ଜୋକୋଭିକ୍‌ଙ୍କ ୫ମ ୱିମ୍ବଲଡନ୍ ଟାଇଟଲ। ଦୀର୍ଘ ୭୧ ବର୍ଷ ପରେ ମ୍ୟାଚ୍‌ ପଏଣ୍ଟ ପଛରେ ଥିବା ସତ୍ତ୍ବେ ୱିମ୍ବଲଡନ୍ ଫାଇନାଲ ଜିତି ପାରିଛନ୍ତି ଜୋକୋଭିକ୍‌। ଏହାସହ ୫ଟି ୱିମ୍ବଲଡନ୍ ଟାଇଟଲ ଜିତି ଜୋକୋଭିକ୍ ସ୍ବିଡେନ୍‌ର ବ୍ୟୋନ୍ ବର୍ଗଙ୍କ ସମକକ୍ଷ ହୋଇ ପାରିଛନ୍ତି। ୨୦ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲର ବିଜେତା ରଜର ଫେଡେରର ୮ଟି ୱିମ୍ବଲଡନ୍ ଟାଇଟଲ ଜିତିଥିଲେ ହେଁ ୯ମ ଟାଇଟଲ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ଉଭୟ ଖେଳାଳି ପ୍ରଥମ ୪ଟି ସେଟ୍‌ରୁ ୨ଟି ଲେଖାଏଁ ଜିତିବା ପରେ ନିର୍ଣ୍ଣାୟମ ୫ମ ତଥା ଅନ୍ତିମ ସେଟ୍‌ରେ ୧୨-୧୨ ଗେମ୍ ପର୍ଯ୍ୟନ୍ତ ଯାଇଥିଲେ। ସେହିଠାରେ ଟାଇବ୍ରେକର ହୋଇଥିଲା। ଏଥିରେ ଜୋକୋଭିକ୍ ୭-୩ରେ ବିଜୟୀ ହୋଇଥିଲେ। ଫେଡେରରଙ୍କ ବିପକ୍ଷରେ ଗତ ୧୧ଟି ମୁକାବିଲାରେ ୯ମ ବିଜୟ ହାସଲ କରିଛନ୍ତି ଜୋକୋଭିକ୍। ସେଥିରୁ ୩ଟି ବିଜୟ ଜୋକୋଭିକ୍ ୱିମ୍ବଲଡନ୍‌ରେ ହିଁ ହାସଲ କରିଛନ୍ତି। ଏହି ଚିତ୍ତାକର୍ଷକ ତଥା ରୋମାଞ୍ଚକର ମୁକାବିଲା ୪ ଘଣ୍ଟା ୫୭ ମିନିଟ ଧରି ଚାଲିଥିଲା। ଫଳରେ ଏହା ୱିମ୍ବଲଡନ୍ ଇତିହାସରେ ସବୁଠାରୁ ଲମ୍ବା ଫାଇନାଲ ମ୍ୟାଚ୍ ହୋଇପାରିଛି। ୨୦୦୮ ଫେଡେରର-ରାଫେଲ ନାଦାଲ ଫାଇନାଲ ୪ ଘଣ୍ଟା ୪୮ ମିନିଟ ଧରି ଖେଳା ଯାଇଥିଲା। ଅନ୍ତିମ ସେଟ୍‌ରେ ଫେଡେରର ଏକଦା ୮-୭ ଓ ୪୦-୧୫ରେ ଆଗୁଆ ଥିଲେ ହେଁ ଜୋକୋଭିକ୍ ୨ଟି ମ୍ୟାଚ୍ ପଏଣ୍ଟ ବଞ୍ଚାଇ ଦେଇଥିଲେ। ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ଚମତ୍କାର ଖେଳ ଦେଖାଇ ସମସ୍ତଙ୍କ ହୃଦୟ ଜୟ କରି ପାରିଥିଲେ ୩୭ ବର୍ଷ ବୟସ୍କ ଫେଡେରର।

kalyan agarbati

Comments are closed.