ଦୁର୍ଗମ ଅଞ୍ଚଳ ମାଣ୍ଡିମେରାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଚାନ୍ଦିପୁଟ :  ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗାମାଞ୍ଚଳ ମାଣ୍ଡିମେରା ପଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହ ସତ୍ବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗାମାଞ୍ଚଳ ମାଣ୍ଡିମେରା ପଞ୍ଚାୟତ ସମେତ ଦୂର ଦୁରାନ୍ତରେ ଅବସ୍ଥିତ ବିରିକୋଟ, ଗୁଲୁବା, ରାଇପଙ୍କା, ଗରଡମା, ଗୁରୁଝୁଳୀ, ଡେଙ୍ଗାସଖାଲ ଆଦି ପଞ୍ଚାୟତର ବହୁ ଜନସାଧାରଣ ନିଜ ଅଞ୍ଚଳର ଅଭିଯୋଗ ଉପସ୍ଥାପନ କରିଥିଲେ। ବିଶେଷ କରି ରାସ୍ତାଘାଟ, ପାନୀୟଜଳର ଘୋର ଅଭାବ ଓ ଅର୍ଦ୍ଧନିର୍ମିତ ଆଦିବାସୀ ହଷ୍ଟେଲ ଗୁଡ଼ିକ ସମ୍ପର୍କରେ ଅଭିଯୋଗ ରହିଥିଲା।
prayash
ସମୁଦାୟ ୧୦୧ଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ୨୩ ଟି ଏବଂ ୭୮ଟି ସାମୁହିକ ସମସ୍ୟା ଥିଲା। ସେଥିମଧ୍ୟରୁ ୫ଟି ସମସ୍ୟାର ତୁରନ୍ତ ସମାଧାନ କରାଯାଇଛି । ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ଜନିତ ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା ।
ଆୟୋଜିତ କାର୍ଯ୍ୟକ୍ରମରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ କୁମାର ଶବର, ମୋହନା ବିଡ଼ିଓ ତପସ୍ଵିନୀ ହାଁସଦା, ପିଏ ଆଟିଡିଏ ଫାଲଗୁନି ମାଝୀ , ଏସଡିପିଓ ଏସ. ଆର ପତି, ସ୍ଥାନୀୟ ସରପଞ୍ଚ ମାରିୟମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଭ୍ରାମ୍ୟମାଣ ଚିକିତ୍ସା ଶିବିର, ଉଦ୍ୟାନ କୃଷି ବିଭାଗ, ଆସିଡିଏସ ପକ୍ଷରୁ ବିଭିନ୍ନ ସୁଷମ ଖାଦ୍ୟର ସମ୍ଭାର ପ୍ରଦର୍ଶନ ସ୍ଥାନ ପାଇଥିଲା। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଡବା ଥାନା ଅଧିକାରୀ ସୁବ୍ରତ କୁମାର ପଣ୍ଡା ଓ ତାଙ୍କ ଟିମ୍ ଉପସ୍ଥିତ ଥିଲେ।

Comments are closed.