ଡାହାଣୀ ସନ୍ଦେହରେ ଡବଲ ମର୍ଡର ଘଟଣା, ୨ ଅଭିଯୁକ୍ତ ଗିରଫ

ଯୋଡା: ବାମେବାରୀ ଥାନା ଅନ୍ତର୍ଗତ ନେକଡାପାଲି ଗ୍ରାମରେ ସୋମବାର ରାତିରେ ଗୁଣିଗାରେଡି ସନ୍ଦେହରେ ସଙ୍ଗଠିତ ଡବଲ ମର୍ଡର ଘଟଣାରେ ବାମେବାରୀ ପୁଲିସ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଖବର ମିଳିଛି। ନେକଡାପଲି ଗ୍ରାମରେ ରହୁଥିବା ରାମ ମୁଣ୍ଡାର ୧୪ବର୍ଷୀୟା ଝିଅର ୪ମାସ ଧରି ଶରୀର ଅସୁସ୍ଥ ରହୁଥିବାରୁ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ରାମ ମୁଣ୍ଡା ଗୁଣିଆ ଡାକି ପୂଜାପାଠ କରୁଥିଲେ। ପୂଜାପାଠ ପରେ ଗୁଣିଆ ଜଣକ ସମ୍ପୃକ୍ତ ଗ୍ରାମର ସୁବାଷ ମୁଣ୍ଡା ନାମ୍ନୀ ଜଣେ ମହିଳାଙ୍କ ଗୁଣିଗାରେଡି କାରଣରୁ ରାମ ମୁଣ୍ଡାଙ୍କ ଝିଅର ବାରମ୍ବାର ଦେହ ଖରାପ ହେଉଛି ବୋଲି କହିବା ପରେ ରାମର ସବୁତକ ରାଗ ବୃଦ୍ଧା ମହିଳାଙ୍କ ଉପରକୁ ଆସିଥିଲା। ଦୀର୍ଘ ଦିନ ଧରି ସୁଯୋଗ ଅପେକ୍ଷାରେ ଥିବା ରାମ ମୁଣ୍ଡା ଅନ୍ୟ ୨ ସହଯୋଗୀଙ୍କ ସହ ଗତ ରବିବାର ସୁବାଷଙ୍କ ଘରକୁ ଯାଇ ସୁବାଷଙ୍କ ସମେତ ପୁଅ ଶଙ୍କରକୁ ମାରଧର କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏହା ସତ୍ତେ୍ୱ ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରିନଥିବା ରାମ ପୁନର୍ବାର ପରବର୍ତ୍ତି ଦିନ ଅର୍ଥାତ ସୋମବାର ସୁବାଷଙ୍କ ଘରକୁ ଯାଇ ସୁବାଷଙ୍କୁ ଘରୁ ଉଠାଇ ଆଣି ହତ୍ୟା କରିବା ପରେ ଘଟଣା ରାତି ପ୍ରାୟ ୧୦ଟା ସମୟରେ ସୁବାଷଙ୍କ ମୃତଦେହକୁ ଘର ନିକଟରେ ଫୋପାଡି ଦେଇଥିଲା। ଏହି ଘଟଣା ପରେ ଜୀବନ ଭୟରେ ସୁବାଷଙ୍କ ପୁଅ ଶଙ୍କର ଓ ଶଙ୍କରର ସ୍ତ୍ରୀ ସରସ୍ୱତୀ ଘର ଛାଡି କେଉଁଆଡେ ପଳାଇଥିଲେ। ଶଙ୍କର ଓ ସରସ୍ୱତୀର ଘର ବନ୍ଦ ରହିଥିବାରୁ ଅଭିଯୁକ୍ତ ତିନିଜଣ ମିଶି ଘରର ଲୁହା କବାଟ ତାଡି ଘର ଭିତରେ ଖୋଜା ଖୋଜି କରି ସେମାନଙ୍କୁ ନପାଇବାରୁ ସମସ୍ତ ଅଭିଯୁକ୍ତ ମିଳିତ ଭାବେ ସୁବାଷ ମୁଣ୍ଡାଙ୍କ ସମ୍ପର୍କୀୟ ନାତି ଚୈତନ୍ୟ ମୁଣ୍ଡାଙ୍କ ଘରେ ପହଞ୍ଚି ଶଙ୍କରକୁ କେଉଁଠି ଲୁଚାଇ ରଖିଛୁ ବୋଲି ପଚାରି ଚୈତନ୍ୟକୁ ବେକରେ ଗାମୁଛା ବାନ୍ଧି ସୁବାଷ ଘର ପର୍ୟ୍ୟନ୍ତ ଘୋଷାଡି ଘୋଷାଡି ଆଣି ଏକ ଟାଙ୍ଗିଆ ବେଣ୍ଟରେ ଚୈତନ୍ୟଙ୍କ ମୁଣ୍ଡରେ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଅଭିଯୁକ୍ତ ତିନିଜଣ ଚୈତନକୁ ଘୋଷାଡି ଘୋଷାଡି ଆଣି ଶଙ୍କରର ଘରେ ଫିଙ୍ଗିଦେଇ କଂକ୍ରିଟ ପଥରରେ ଛେଚିଦେଇଥିବାର ପୁଲିସ ଅନୁସନ୍ଧାନରୁ ପ୍ରକାଶ। ତେବେ ଅତ୍ୟଧିକ ରକ୍ତଶ୍ରାବ କାରଣରୁ ଚୈତନ୍ୟର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାର ପୁଲିସ ସୂତରରୁ ପ୍ରକାଶ। ମଙ୍ଗଳବାର ଦିନ ପୁଲିସ ଘଟଣା ସହ ସମ୍ପୃକ୍ତ ୩ଜଣଙ୍କୁ ଅଟକ ରଖିଥିବା ସମୟରେ ବୁଧବାର ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାମ ମୁଣ୍ଡା ଓ ଅନ୍ୟ ଜଣେ ସହଯୋଗୀ ବିଜୁ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଖବର ମିଳିଛି। ତେବେ ଫେରାର ଥିବା ଘଟଣାର ଅନ୍ୟ ଅଭିଯୁକ୍ତ ଓ ଗୁଣିଆକୁ ପୁଲିସ ଠାବ୍ କରିବା ନିମନ୍ତେ ଜୋରସୋର ଉଦ୍ୟମ ଚଳାଇଥିବାର ଖବର ମିଳିଛି।

Comments are closed.