ଜେଏମଏଫସି ନୂତନ କୋଠା ଉଦଘାଟିତ

ଶେଷ ଧାଡ଼ିର ନ୍ୟାୟ ଆଶାୟୀ ମଣିଷ ପାଖରେ ଆଇନ ସେବା ପହଞ୍ଚିବା ଉଚିତ: ମୁଖ୍ୟ ବିଚାରପତି

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ନବ ନିର୍ମିତ ଦେୱାନୀ ଜଜ୍ ତଥା ଜେଏମଏଫସିର ନୂତନ କୋଠା ରବିବାର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ କର କମଳରେ ଉଦଘାଟିତ ହୋଇଯାଇଛି। କଳାହାଣ୍ଡିର ଲୋକ ନୃତ୍ୟ ଘୁମୁରା, ଆଦିବାସୀ ନୃତ୍ୟ, ଢାପ, ସିଂ ବାଜାର ତାଳେ ତାଳେ ଅତିଥିମାନଙ୍କୁ ସ୍ଵାଗତ କରାଯାଇଥିଲା। ପରେ ମୁଖ୍ୟ ଅତିଥି କୋର୍ଟ ନୂତନ କୋଠାର ଶୁଭ ଉଦଘାଟନ କରିଥିଲେ। ଏହାପରେ କୋର୍ଟ ପରିଦର୍ଶନ କରିଥିଲେ। ଏହି ଅବସରରେ ମ.ରାମପୁର ଓକିଲ ସଂଘର ସଭାପତି ଜୟ କୁମାର ସିଂହଦେଓଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଓକିଲ ସଂଘର ସଦସ୍ୟମାନେ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଜିଲ୍ଲା କୋର୍ଟର ବିଚାରପତି ଦୀପ୍ତି ରଞ୍ଜନ କାନୁନ୍ ଗୋ ସ୍ବାଗତ ଅଭିଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଡ଼କ୍ଟର ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ(ବିଚାର ପତି ଓଡ଼ିଶା ହାଇକୋର୍ଟ ତଥା ବିଲ୍‌ଡିଂ କମିଟି ଅଧ୍ୟକ୍ଷ) ଯୋଗ ଦେଇ ମ.ରାମପୁର ଓକିଲ ସଂଘର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ମୂରଲୀଧର ସମାଜର ଶେଷ ମଣିଷ ପାଇଁ ନ୍ୟାୟିକ ବ୍ୟବସ୍ଥା ଯୋଗାଇ ଦେବାରେ ଓକିଲମାନଙ୍କ ଭୂମିକା ଅନନ୍ୟ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟର ଜେନେରାଲ ପ୍ରତାପ କୁମାର ପାତ୍ର, ରେଜିଷ୍ଟାର(ଭିଜିଲାନ୍ସ) ଅଖିଳ କୁମାର ପଶ୍ଚିମ କବାଟ, ନର୍ଲା ବିଧାୟକ ଭୂପିନ୍ଦର ସିଂହ କଳାହାଣ୍ଡି ଜିଲ୍ଲା ପାଳ ପି. ଅନ୍ୱେଷା ରେଡ୍ଡୀ, କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ମ.ରାମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରତ୍ୟାଶା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

prayash

ଏହି ଅବସରରେ ମ. ରାମପୁର ବାର୍ ଆସୋସିଏସନର ବରିଷ୍ଠ ସଦସ୍ୟ ଗଙ୍ଗାଧର ମହାନ୍ତି, ବିଶ୍ବମ୍ବର ମହାନ୍ତି, ବିମଳ କୁମାର ଚାନ୍ଦ, ପୁଷ୍ପେନ୍ଦ୍ର ସିଂହଦେଓ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ। ଓକିଲ ସଂଘ ପକ୍ଷରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ପ୍ରୀତି ଉପହାରସ୍ବରୂପ କଳାହାଣ୍ଡି ଜିଲ୍ଲାର ଖଇରମାଳର ପ୍ରସିଦ୍ଧ କାଠ ନିର୍ମିତ ଗଜାନନ ମୂର୍ତ୍ତି ପ୍ରଦାନ କରାଯାଇଥିଲା। ଆଇନଜୀବୀ ସପନ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଓକିଲ ସଂଘ ସଂପାଦକ ଯତୀନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମ.ରାମପୁର ଓକିଲ ସଂଘର ସମସ୍ତ ସଦସ୍ୟ ଏବଂ କୋର୍ଟ କର୍ମଚାରୀ ସହଯୋଗ କରିଥିଲେ। ଏହି କୋର୍ଟ କୋଠା ଉଦ୍‌ଘାଟନ ପରେ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।

Comments are closed.