ଓଡ଼ିଶା ହେବ ଦେଶର ଇସ୍ପାତ ପ୍ରାଣକେନ୍ଦ୍ର : କେନ୍ଦ୍ରମନ୍ତ୍ରୀ

0
-କୋଲ୍‌ ଗ୍ୟାସିଫିକେସନ ପ୍ଲାଣ୍ଟ ସମେତ ୪ ଇସ୍ପାତ ୟୁନିଟ୍‌ ଲୋକାର୍ପିତ, -୨୦୩୦ ସୁଦ୍ଧା ଉତ୍ପାଦନ ଲକ୍ଷ୍ୟ ୩୦୦ ନିୟୁତ ଟନ୍‌
prayash
 ଏକତୃତୀୟାଂଶ ଓଡ଼ିଶାରୁ
ଅନୁଗୋଳ/ଭୁବନେଶ୍ୱର  : କୋଲ ଗ୍ୟାସିଫିକେସନ ପ୍ଲାଣ୍ଟ ସମେତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼(ଜେଏସପିଏଲ)ର ୪ ପ୍ରମୁଖ ଇସ୍ପାତ ତିଆରି ୟୁନିଟ୍‍ଗୁଡିକୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧାରୀ ବୀରେନ୍ଦ୍ର ସିଂହ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଲୋକାର୍ପିତ ଜେଏସପିଏଲର ନୂତନ ୟୁନିଟ ମଧ୍ୟରେ ରହିଛି ଭାରତର ବୃହତ୍ତମ ୪୫୫୪ ଘନ ମି.ବ୍ଲାଷ୍ଟ ଫର୍ଣ୍ଣେସ, ଦେଶର ଅତ୍ୟାଧୁନିକ ବାର୍ଷିକ ୩ ନିୟୁତ ଟନ୍‍ କ୍ଷମତା ବିଶିଷ୍ଟ ବେସିକ ଅକ୍ସିଜେନ ଫର୍ଣ୍ଣେସ୍‍, ସିନ୍‍ଗ୍ୟାସ ଦ୍ୱାରା ପରିଚାଳିତ ବିଶ୍ୱର ପ୍ରଥମ ଏବଂ ବୃହତ୍ତମ ଡି.ଆର.ଆଇ ପ୍ଲାଣ୍ଟ ଓ ସ୍ୱଦେଶୀ କୋଇଲା ବ୍ୟବହାର କରି ଇସ୍ପାତ ନିର୍ମାଣ କରୁଥିବା କୋଲ୍‍ ଗ୍ୟାସିଫିକେସନ ପ୍ଲାଣ୍ଟ।
ଉଦ୍‍ଘାଟନ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ ଯେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଦ୍ୱାରା ଇସ୍ପାତ ତିଆରିରେ ପ୍ରଥମ କରି ବ୍ୟବହାର କରାଯାଇଥିବା କୋଲ୍‍ ଗ୍ୟାସିଫିକେସନ୍‍ ପ୍ରକ୍ରିୟା ଦ୍ୱାରା ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇବ। ୨୦୩୦ ସୁଦ୍ଧା ଦେଶର ଏକ ତୃତୀୟାଂଶ ଇସ୍ପାତ ଓଡ଼ିଶାରେ ଉତ୍ପାଦନ ହେବାର ଲକ୍ଷ୍ୟ ରହିଛି। ଏହାଦ୍ୱାରା ଓଡିଶା ଦେଶର ଇସ୍ପାତ ଉତ୍ପାଦନର ପ୍ରାଣକେନ୍ଦ୍ର ହୋଇପାରିବ। ଜାତୀୟ ଇସ୍ପାତ ନୀତିରେ ଅଧିକ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ଲକ୍ଷ୍ୟ ରହିଛି। ଭାରତରେ ବ୍ୟବହୃତ କୋକିଂ କୋଲ୍‍ ୮୦ % ବାହାରୁ ଆମଦାନୀ ହୋଇଥାଏ। ଜେଏସପିଏଲର ଏହି କୋଲ୍‍ଗ୍ୟାସିଫିକେସନ୍‍ ପ୍ରକ୍ରିୟା କୋକିଂକୋଲ୍‍ ଆମଦାନୀ ନିର୍ଭରଶୀଳତାକୁ କମ୍‍ କରିପାରିବ। ଦେଶରେ ଇସ୍ପାତ ଉତ୍ପାଦନ ୨୦୩୦ ସୁଦ୍ଧା ୧୦ଲକ୍ଷ କୋଟି ଟଙ୍କା ବିନିଯୋଗରେ ୩୦୦ନିୟୁତ ଟନରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରହିଥିବା ସେ କହିଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କୋଇଲାରୁ ଗ୍ୟାସ, ତରଳ ଇନ୍ଧନ, ମିଥାନଲ ତଥା ଅନ୍ୟାନ୍ୟ ଊର୍ଜା ଉତ୍ପାଦନ ପାଇଁ ନୂଆ ଟେକ୍ନୋଲୋଜି ପଥ ପରିଷ୍କାର କରିଛି। ଅବିଭକ୍ତ ଢେଙ୍କାନାଳ ଜିଲାରେ ଜିନ୍ଦଲ ଇସ୍ପାତ କାରଖାନା ସହ ଟାଟା କମ୍ପାନୀ ବନ୍ଦ ପଡିଥିବା ଭୂଷଣ ଇସ୍ପାତ କାରଖାନାକୁ କେନ୍ଦ୍ର ସରକାରଙ୍କ ନୂଆ ନୀତି ଯୋଗୁଁ ଏହାକୁ ହାତକୁ ନେଇଛି। ଦେଶର ୨ ଇସ୍ପାତ ନିର୍ମାତା ଟାଟା ଓ ଜିନ୍ଦଲଙ୍କ ଉପସ୍ଥିତି ସ୍ଥାନୀୟ ଅଞ୍ଚଳର ଅର୍ଥନୀତିକୁ ବଳ ଦେବ। ସେ କହିଥିଲେ ଯେ ଶିଳ୍ପ ସଂସ୍ଥାଗୁଡ଼ିକ ସମସ୍ତଙ୍କୁ ସିଧା ଚାକିରି ଦେଇ ପାରିବେ ନାହିଁ , କିନ୍ତୁ ଟାଟା, ଜିନ୍ଦଲ, ଏମସିଏଲ, ନାଲକୋ, ଏନଟିପିସି ସ୍ଥାନୀୟ ଅଞ୍ଚଳରୁ ଦାରିଦ୍ର୍ୟର ମୂଳତ୍ପାଟନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରିବେ। ଗୋଟିଏ ପଟେ ଜିନ୍ଦଲ ନୂଆ ଟେକ୍ନୋଲୋଜିରେ କୋଇଲାରୁ ଗ୍ୟାସ ଉତ୍ପାଦନ କରୁଥିବାବେଳେ ତାଳଚେର ସାର କାରଖାନାକୁ ଗେଲ, କୋଲ ଇଣ୍ଡିଆ ଓ ରାଷ୍ଟ୍ରୀୟ ଇସ୍ପାତ ଲିମିଟେଡ ନୂଆ ଟେକ୍ନୋଲଜି ବ୍ୟବହାର କରି ଗ୍ୟାସ ଉତ୍ପାଦନ କରିବାର ପ୍ରକଳ୍ପ ନିର୍ମାଣ କରୁଛନ୍ତି।
ଏହି ଅବସରରେ ଓ.ପି. ଜିନ୍ଦଲ ଗ୍ରୁପର ମହାଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ, ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଜେଏସପିଏଲର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ଅନୁଗୋଳର ଏହି ଗ୍ରୀନ୍‍ ଫିଲ୍ଡ ଇସ୍ପାତ କାରଖାନା ପ୍ରଥମେ ସ୍ୱଦେଶୀ କଞ୍ଚାମାଲ ବ୍ୟବହାର କରି ଇସ୍ପାତ ତିଆରି କରିବାରେ ଦେଶର ପ୍ରଥମ ଇସ୍ପାତ କାରଖାନା ହେବା ପାଇଁ ପରିକଳ୍ପନା କରାଯାଇଥିଲା। କିନ୍ତୁ ସମୟକ୍ରମେ ଏହି କାରଖାନା ଉଭୟ ଅକ୍ସିଜେନ ଏବଂ ବିଦ୍ୟୁତିକ ପ୍ରଣାଳୀରେ ଇସ୍ପାତ ତିଆରି କରିବାରେ ଦେଶର ଏକ ପ୍ରମୁଖ ଇସ୍ପାତ କାରଖାନା ହୋଇଛି ବୋଲି ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଥିଲେ। ଏହି କାରଖାନା ଆଗାମୀ ଏକ ବର୍ଷରେ ସଂପୂର୍ଣ୍ଣ ୬ ନିୟୁତ ଟନ ବାର୍ଷିକ କ୍ଷମତାରେ ଚାଲିବ ବୋଲି ସେ ସୂଚନା ଦେଇଥିଲେ। ସମୁଦାୟ ୩୫୦୦ ଏକର ଜାଗାରେ ପରିବ୍ୟାପ୍ତ ଓଡିଶାର ଏହି ବୃହତ୍ତମ ଓ ଅତ୍ୟାଧୁନିକ କାରଖାନାର ଅନ୍ୟାନ୍ୟ ୟୁନିଟଗୁଡିକ ମଧ୍ୟରେ ରହିଛି ଭାରତର ବୃହତ୍ତମ ବାର୍ଷିକ ୧.୫ ନିୟୁତ ଟନ୍‍ କ୍ଷମତା ବିଶିଷ୍ଟ ରିବାରମିଲ୍‍, ଅତ୍ୟାଧୁନିକବାର୍ଷିକ ୧.୨ ନିୟୁତ ଟନ୍‍ କ୍ଷମତା ବିଶିଷ୍ଟ ପ୍ଲେଟ୍‍ମିଲ୍‍, ବିଶ୍ୱର ଦ୍ରୁତତମବାର୍ଷିକ ୨.୩ ନିୟୁତ ଟନ୍‍ କ୍ଷମତା ବିଶିଷ୍ଟ ବିଲେଟ୍‍ କାଷ୍ଟର, ଭାରତର ଅତ୍ୟାଧୁନିକ ବାର୍ଷିକ ୧.୭ ନିୟୁତ ଟନ୍‍ କ୍ଷମତା ବିଶିଷ୍ଟ ସ୍ଲାବ କାଷ୍ଟର, ଭାରତର ବୃହତ୍ତମ ବାର୍ଷିକ ୧.୭୫ ନିୟୁତ ଟନ୍‍ କ୍ଷମତା ବିଶିଷ୍ଟ ନୂତନ ଇଲେକ୍ଟ୍ରିକାଲ ଅକ୍ସିଜେନ ଫର୍ଣ୍ଣେସ ଏବଂ ୮୧୦ ମେଗାୱାଟ୍‍ କ୍ୟାପ୍ଟିଭ୍‍ ପାୱାର ପ୍ଲାଣ୍ଟ।
Leave A Reply