www.samajalive.in
Wednesday, November 19, 2025
18.1 C
Bhubaneswar

ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ବିପର୍ଯ୍ୟସ୍ତ

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ାରେ ଜିଲା ମୁଖ୍ୟ ଚିକିତ୍ସାଳୟ ୭ ତାଲା ପ୍ରାସାଦ। କୋଠା ଭିତରେ ଭରିଛି ଅନେକ ସମସ୍ୟା। ହନ୍ତସନ୍ତ ହେଉଛନ୍ତି ରୋଗୀ। କେବଳ ରୋଗୀ ନୁହନ୍ତି, ସେମାନଙ୍କ ସଂପର୍କୀୟ ଓ କର୍ମଚାରୀ ମଧ୍ୟ ହଇରାଣ ହେଉଛନ୍ତି। କେତେବେଳେ ପାଣି ପାଇଁ ତ କେତେବେଳେ ଖାଦ୍ୟ ପାଇଁ। ସିଟି ସ୍କାନ ଓ ଅଲଟ୍ରାସାଉଣ୍ଡ ମେସିନ୍ କାମ କରୁନାହିଁ। ପୁରୁଷ ଶୌଚାଳୟ ମହିଳା ବ୍ୟବହାର କରୁଛନ୍ତି। ଅଧିକାଂଶ ସମୟରେ ଲିଫ୍ଟ ଅଚଳ। ଚିକିତ୍ସାଳୟର କର୍ମଚାରୀଙ୍କୁ ନିୟମିତ ଦରମା ମିଳୁନାହିଁ। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟସେବା ଅବ୍ୟବସ୍ଥା ଦେଖାଦେଇଛି।

ଝାରସୁଗୁଡ଼ା ସ୍ବତନ୍ତ୍ର ଜିଲା ହେବା ପରେ ଜିଲାବାସୀ କୌଣସି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ହେଲେ ବୁର୍ଲା ମେଡ଼ିକାଲ ଉପରେ ନିର୍ଭର କରୁଥିଲେ। ମେଡ଼ିକାଲର ଆବଶ୍ୟକତା ପରିଲକ୍ଷିତ କରି ୪୨ କୋଟି ୨୩ ଲକ୍ଷ ଟଙ୍କାରେ ଏକ ୭ ମହଲା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ କରାଗଲା। ୩୦୦ ବେଡ୍ ବିଶିଷ୍ଟ ଏହି ଚିକିତ୍ସାଳୟକୁ ୨୦୧୮ ଜାନୁୟାରୀ ୪ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଉଦ୍୍ଘାଟନ କରିଥିଲେ। ୨୦୧୯ ନିର୍ବାଚନ ପରେ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇ ସ୍ବର୍ଗତ ନବ କିଶୋର ଦାସ ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ନିର୍ମଳ ଯୋଜନା ମାଧ୍ୟମରେ ଚିକିତ୍ସାଳୟରେ ଠିକା କର୍ମଚାରୀଙ୍କୁ ନିୟୋଜିତ କରାଗଲା। ସେମାନେ ମେଡ଼ିକାଲର ସମସ୍ତ କାର୍ଯ୍ୟ କଲେ। ହେଲେ ନିୟମିତ ଦରମା ପାଇଲେ ନାହିଁ। ଏ ନେଇ ଝାରସୁଗୁଡ଼ା ଚତୁର୍ଥ କର୍ମଚାରୀ ସଂଘର ସଭାପତି ଦେବାନନ୍ଦ ବାରିକ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଗୁହାରି କଲେ। ଯେଉଁ ସଂସ୍ଥାମାନେ ଚିକିତ୍ସାଳୟରେ ଠିକା ନେଇଛନ୍ତି, ସେମାନେ କର୍ମଚାରୀମାନଙ୍କୁ ନିୟମିତ ଦରମା ଦେବାକୁ ଦାବି କରିଥିଲେ। ହେଲେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯାହା ଫଳରେ ସଂଘ ପକ୍ଷରୁ ବାରମ୍ବାର ଦାବି ସତ୍ତ୍ବେ ସେ ସମସ୍ୟା ଆଜି ପର୍ଯ୍ୟନ୍ତ ଲାଗି ରହିଛି। ସେହିପରି ଚିକିତ୍ସାଳୟରେ ପାଣିର ସମସ୍ୟା ଅଧିକାଂଶ ସମୟ ରହୁଥିବାବେଳେ ଟ୍ୟାଙ୍କରରେ ପାଣି ଆସି ରୋଗୀମାନଙ୍କୁ ଦିଆଯାଇଥାଏ। ପାଣି ନଥିବା ସମୟରେ ରୋଗୀ ଓ ରୋଗୀ ସଂପର୍କୀୟମାନେ ଶୌଚାଳୟ ବ୍ୟବହାର କରିବାକୁ ହିନସ୍ତା ହେଉଛନ୍ତି। ଏବେ ମହିଳା ଶୌଚାଳୟ ବନ୍ଦ ହୋଇପଡ଼ିଥିବା ବେଳେ ପୁରୁଷ ଶୌଚାଳୟକୁ ମହିଳା ବ୍ୟବହାର କରୁଛନ୍ତି। ଗର୍ଭବତୀ ମହିଳା କିମ୍ବା ହାତ ଗୋଡ଼ ଭାଙ୍ଗିଯାଇଥିବା ରୋଗୀ ଯେତେବେଳେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସନ୍ତି, ଲିପ୍ଟ ଅଚଳ ହୋଇପଡ଼ିରହିବାରୁ ଉପର ମହଲା ଯିବାକୁ ହଇରାଣ ହୋଇଥାନ୍ତି। ଲିପ୍ଟ ବି ଅଧିକାଂଶ ସମୟରେ ଖରାପ ହୋଇପଡ଼ୁଛି। ବିଭିନ୍ନ ସ୍ବୟଂସହାୟକ ମହିଳାମାନଙ୍କୁ ଚିକିତ୍ସାଳୟର କ୍ୟାଣ୍ଟିନ୍ ଦାୟିତ୍ବ ଦିଆଯାଇଥିବା ବେଳେ ଅଧିକାଂଶ ସମୟରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି।

- Advertisement -

ଚିକିତ୍ସାଳୟରେ ମୌଳିକ ସୁବିଧା ପାଇବାରେ ଅସୁବିଧା ଭୋଗୁଥିବା ବେଳେ ୩୦୦ ଶଯ୍ୟା ପରିବର୍ତ୍ତେ ମାତ୍ର ୧୧୬ଟି ଶଯ୍ୟା ପଡ଼ିଛି। ଅଧିକ ରୋଗୀ ଆସିଲେ ଶଯ୍ୟା ନ ପାଇ ଚଟାଣରେ ପଡ଼ି ରହୁଛନ୍ତି। ଗର୍ଭବତୀଙ୍କ ପାଇଁ ଅତି ଜରୁରୀ ଥିବା ଅଲ୍୍ଟ୍ରାସାଉଣ୍ଡ ମେସିନ୍ ଅଚଳ ହୋଇପଡ଼ିବାରୁ ସେମାନେ ଘରୋଇ ଅଲ୍୍ଟ୍ରାସାଉଣ୍ଡ କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ରିପୋର୍ଟ ଦେଖାଉଛନ୍ତି। ସିଟି ସ୍କାନ୍ ମେସିନ୍ ଅଚଳ ଥିବାରୁ ଗୁରୁତର ରୋଗୀଙ୍କୁ ଘରୋଇ ଚିକିତ୍ସାଳୟ ନ ହେଲେ ବୁର୍ଲା ଚିକିତ୍ସାଳୟକୁ ପଠାଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ସଂରକ୍ଷଣ ଗୃହ ନଥିବାରୁ ମଙ୍ଗଳାବଜାର ଗୃହରେ ରଖାଯାଉଛି। ସେଠୁ ପୁଣି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। ଶବ ସଂରକ୍ଷଣ ଗୃହରେ ଆଲୁଅ, ପାଣି ଓ ଫ୍ରିଜର ସମସ୍ୟା ଅଛି। ଝାରସୁଗୁଡ଼ାର ନୂଆ ବିଧାୟକ ଟଙ୍କଧର ତ୍ରିପାଠୀ ନିକଟରେ ଜିଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ ପୂର୍ବକ ବିଭିନ୍ନ ସମସ୍ୟା ଓ ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଡାକ୍ତରଖାନା ପରିସର, ଆଶୁ ଚିକିତ୍ସା ବିଭାଗ, ଶିଶୁରୋଗ ବିଭାଗ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ପରିଦର୍ଶନ କରିବା ସହ ରାତିରେ କର୍ତ୍ତବ୍ୟରତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ସୁରକ୍ଷା କର୍ମୀମାନେ ଠିକ ଭାବରେ ଦାୟିତ୍ବ ନିର୍ବାହ କରୁଛନ୍ତିି କି ନାହିଁ ଅନୁଧ୍ୟାନ କରିଥିଲେ। ଚିକିତ୍ସାଳୟରେ ସ୍ବଚ୍ଛତା ନେଇ ସେ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ପ୍ରତିକାର ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ଅଧିକାରୀଙ୍କୁ ତାଗିଦ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ରୋଗୀଙ୍କ ସୁବିଧା ପାଇଁ କାମ କରାଯିବ ବୋଲି କହିଥିଲେ। ଡାକ୍ତରଖାନା ମ୍ୟାନେଜରଙ୍କୁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଜୟକୃଷ୍ଣ ନାଏକ କହିଛନ୍ତି ଯେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ। ଶବ ସଂରକ୍ଷଣ ଗୃହ ଏଠାରେ ହେବା ପରେ ଏହାକୁ ନେଇ ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହେବ ବୋଲି ସେ କହିଛନ୍ତି।

Hot this week

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

Related Articles

Popular Categories