ରାଜସ୍ଥାନ ସରକାରୀ କାର୍ଯ୍ୟାଳୟରେ ଜିନସ୍ ଟିସାର୍ଟ ମନା
ଜୟପୁର: ରାଜସ୍ଥାନରେ କର୍ମକ୍ଷେତ୍ରରେ ଜିନସ୍ ପ୍ୟାଣ୍ଟ ଓ ଟିସାର୍ଟ ନ ପିନ୍ଧିବା ପାଇଁ ରାଜ୍ୟ ସରକାର ନିର୍ଦେଶନାମା ଜାରି କରିଛନ୍ତି । ରାଜସ୍ଥାନର ଶ୍ରମ ବିଭାଗ ଏହି ନିର୍ଦେଶନାମା ଜାରି କରିଛି । ଏପରି ପୋଷକ ପିନ୍ଧିବା କର୍ମକ୍ଷେତ୍ରରେ ଅବମାନନା ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି । କର୍ମଚାରୀମାନେ କର୍ମକ୍ଷେତ୍ରରେ ଜିନସ୍ ଟି ସାର୍ଟ ପିନ୍ଧିବା ଶାଳୀନତା ନୁହେଁ ବୋଲି ଏଥିରେ ନିର୍ଦେଶନାମାରେ ଉଲ୍ଲେଖ ରହିଛି ।
କାର୍ଯ୍ୟାଳୟକୁ ଆସୁଥିବା ସମୟରେ ସାର୍ଟ ଓ ପ୍ୟାଣ୍ଟ ପିନ୍ଧିକରି ଆସିବା ପାଇଁ ନିର୍ଦେଶ ଦିଆଯାଇଛି । ଶ୍ରମ କମିଶନର ଗିରିଜା ଶଙ୍କର ସିଂ କୁଶଓ୍ୱା ଏହି ନିର୍ଦେଶନାମା ଜାରି କରିଛନ୍ତି । ଜୁନ୍ ୨୧ ତାରିଖରେ ଏହି ନିର୍ଦେଶନାମା ଜାରି କରାଯାଇଛି । ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏହାକୁ କଡାକଡି ଭାବେ ଲାଗୁ କରିବା ପାଇଁ କୁହାଯାଇଛି । ଅନେକ ଅଧିକାରୀ ଓ କର୍ମଚାରୀ ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ ଟି ସାର୍ଟ ଓ ଜିନ୍ ପ୍ୟାଣ୍ଟ ପିନ୍ଧିକରି ଆସୁଛନ୍ତି । ଏହା କର୍ମକ୍ଷେତ୍ରରେ ଏକ ଅଶାଳୀନ ବାତାବରଣ ସୃଷ୍ଟି କରୁଛି ବୋଲି ଶ୍ରମ କମିଶନର ଗିରିଜା ଶଙ୍କର ସିଂ କୁଶଓ୍ୱା କହିଛନ୍ତି ।
ଏହି ନିର୍ଦେଶାନାମାକୁ ରାଜସ୍ଥାନ କର୍ମଚାରୀ ସଂଘ ବିରୋଧ କରିବା ବୋଲି କହିଛି । ଏ ବିଷରେ ଶ୍ରମ କମିଶନର ଗିରିଜା ଶଙ୍କର ସିଂ କୁଶଓ୍ୱାଙ୍କୁ ଭେଟି ଆଲୋଚନା କରିବେ ଓ ନିର୍ଦେଶାନାମାକୁ ଫେରାଇନେବା ପାଇଁ ଦାବି କରିବେ ବୋଲି କହିଛନ୍ତି ।