‘ଗୀତଗୋବିନ୍ଦ ବିଶ୍ୱ କାବ୍ୟ ସାହିତ୍ୟର ଅମର ସୃଷ୍ଟି’

କେନ୍ଦୁଝରଗଡ଼: ଜିଲା ପ୍ରଶାସନ ଆନୁକୂଲ୍ୟରେ ଓ ମିଳନୀ ସାହିତ୍ୟ ସଂସଦ ସହଯୋଗରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରବିବାର ଗୀତଗୋବିନ୍ଦ ରଚୟିତା କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ମହାସମାରୋହରେ ଦରବାରହଲଠାରେ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ ସମାରୋହକୁ ଉଦ୍‌‌ଘାଟନ କରି ଉଦ୍‌‌ବୋଧନ ଛଳରେ ଭକ୍ତକବି ଶ୍ରୀ ଜୟଦେବଙ୍କୁ ଜଣେ ମହାନ କବି ଭାବେ ବର୍ଣ୍ଣନା କରି ତାଙ୍କ ରଚିତ ଅମରକୃତି ଗୀତଗୋବିନ୍ଦ ସମଗ୍ର ବିଶ୍ୱ କାବ୍ୟ ସାହିତ୍ୟରେ ଯୁଗ ଯୁଗ ଧରି କାଳଜୟୀ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀ ଜୟଦେବ ଆମ ଓଡ଼ିଶାର ଗର୍ବ ଓ ଗୌରବ ବୋଲି କହିବା ସହିତ ଜୟଦେବଙ୍କ କୀର୍ତ୍ତି ଓ କୃତ୍ତୀ ସମ୍ପର୍କରେ ସାହିତ୍ୟିକମାନେ ଅଧିକ ମନୋନିବେଶ କରିବାକୁ ଅତିରିକ୍ତ ଜିଲାପାଳ ଆହ୍ୱାନ ଜଣାଇଥିଲେ। କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ଶ୍ରୀ ଜୟଦେବ ଏବଂ ତାଙ୍କର ଅମର ସୃଷ୍ଟି ଗୀତଗୋବିନ୍ଦର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଜୟଦେବ ଏବଂ ଗୀତଗୋବିନ୍ଦର ବ୍ୟାପକ ପ୍ରଚାର, ପ୍ରସାର ଓ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିବା ସହ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ସମସ୍ତେ ଆଗେଇ ଆସିବାକୁ ନିବେଦନ କରିଥିଲେ।

prayash

ମିଳନୀ ସାହିତ୍ୟ ସଂସଦ ସଭାପତି ଦେବାଶିଷ ଚକ୍ରବର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଜୟଦେବଙ୍କୁ ରୂପ ସୌନ୍ଦର୍ଯ୍ୟର ଉପାସକ ଓ ଭକ୍ତିର ବାଂଗମୟ ସାଧକ ବୋଲି ଅଭିହିତ କରି ଗୀତଗୋବିନ୍ଦକୁ ପୃଥିବୀର ଏକ ଅନନ୍ୟ ଓ ଅନୁପମ ସୃଷ୍ଟି ବୋଲି କହିଥିଲେ। ଶ୍ରୀ ଜୟଦେବ ନିଜର କୃତୀ ଗୀତଗୋବିନ୍ଦରେ ରାଧାକୃଷ୍ଣଙ୍କ ମଧ୍ୟରେ ଥିବା ଅନାବିଳ ଅନନ୍ତ ପ୍ରେମ ଓ ଭକ୍ତିର ଏକ ଅପୂର୍ବ ସମନ୍ୱୟ ସୃଷ୍ଟି କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଦାରବିନ୍ଦରେ ନିଜକୁ ସମର୍ପଣ କରିଦେଇଥିଲେ ବୋଲି କହିବା ସହିତ ଶ୍ରୀ ଜୟଦେବଙ୍କ କୃତ୍ତୀ ଚିରଦିନ ପାଇଁ ଅମର ରହିବ ବୋଲି କହିଥିଲେ। ଶ୍ରୀ ଜୟଦେବଙ୍କ ଜୀବନୀ ଓ ଗୀତଗୋବିନ୍ଦ ଉପରେ ଆଲୋକପାତ କରି ଶ୍ରୀ ଜୟଦେବଙ୍କୁ ଓଡ଼ିଶାର ବୋଲି କହିଥିଲେ ଏବଂ ଜୟଦେବଙ୍କ ସାରସ୍ୱତ କୀର୍ତ୍ତି କିଭଳି ଓଡ଼ିଶାର ସାରସ୍ୱତ ଜଗତକୁ ପ୍ରଭାବିତ କରିଛି ତାହା ଅବତାରଣା କରିଥିଲେ। ମିଳନୀ ସାହିତ୍ୟ ସଂସଦର ସମ୍ପାଦକ ଅବସରପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଡ. ଚିତ୍ତରଞ୍ଜନ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦର ଗୀତିମୟତା ଉପରେ ଆଲେଖ୍ୟ ବାଢି ଅନାବିଳ ପ୍ରେମ ଓ ଭକ୍ତିର ଏକ ଅପୂର୍ବ ସମନ୍ୱୟ ସୃଷ୍ଟି କରି ସଙ୍ଗୀତକୁ ରସୋତ୍ତୀର୍ଣ୍ଣ କରିବାରେ ମାଟିର ମହାକବି ଶ୍ରୀ ଜୟଦେବ ସିଦ୍ଧହସ୍ତ ଥିଲେ ବୋଲି କହିବା ସହିତ ଶ୍ରୀ ଜୟଦେବ କେବଳ ସଙ୍ଗୀତକାର ନୁହନ୍ତି, ପ୍ରୀତି ଓ ଭକ୍ତିର ଅମନ୍ଦ୍ୟ ମନ୍ଦାକିନୀ ଧାରା ବୁହାଇ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଚରଣାବିନ୍ଦରେ ନିଜକୁ ସମର୍ପଣ କରିଥିଲେ ବୋଲି କହିଥିଲେ। ଗୀତଗୋବିନ୍ଦ ଓଡିଆ ପ୍ରାଣପ୍ରବାହକୁ ଚଳଚଞ୍ଚଳ କରିଦିଏ। ଏହାର କମନୀୟ ପଦାବଳୀର ଅମୃତମୟ ରସାଶ୍ରୟୀ ବର୍ଣ୍ଣାଢ୍ୟ ବର୍ଣ୍ଣମାଳାରେ ସଜ୍ଜିତ ବୋଲି ଡ. ମିଶ୍ର କହିବା ସହିତ ପ୍ରତିଟି ଓଡିଆ ଶ୍ରୀ ଜୟଦେବ ଏବଂ ଗୀତଗୋବିନ୍ଦ ପାଇଁ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଥିଲେ। ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ରଙ୍ଗଧର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭକ୍ତକବି ଶ୍ରୀ ଜୟଦେବଙ୍କ ଜୀବନୀ, କୀର୍ତ୍ତୀ ଓ କୃତୀ ଉପରେ ଆଲୋକପାତ କରି ସେ କିପରି ଅନନ୍ୟ ତାହା ଅବତାରଣା କରିଥିଲେ। ଶ୍ରୀ ଜୟଦେବଙ୍କ ରଚିତ ଗୀତଗୋବିନ୍ଦର କାନ୍ତ କୋମଳ ପଦ୍ୟମୟ ଶୈଳୀ ଶ୍ରୋତା ଓ ପାଠକକୁ ବିଭୋର କରିଦିଏ ବୋଲି କହିଥିଲେ। ଗୀତଗୋବିନ୍ଦ କେବଳ ଓଡ଼ିଶା କିମ୍ବା ଭାରତର ସମ୍ପଦ ନୁହେଁ ତାହା ସମଗ୍ର ବିଶ୍ୱ ସାହିତ୍ୟର ଅମୂଲ୍ୟ ସମ୍ପଦ ବୋଲି କହିବା ସହିତ ଗୀତଗୋବିନ୍ଦ ସବୁବେଳେ ବିଶ୍ୱ ସାହିତ୍ୟ ଆକାଶକୁ ଅନୁରଣିତ କରୁଥିବ ବୋଲି କହିଥିଲେ। ଶ୍ରୀ ଜୟଦେବ ଜୟନ୍ତୀ ପୂଜ୍ୟ ପୂଜାର ଏକ ଅନନ୍ୟ ଧାରା।

ଗୀତଗୋବିନ୍ଦ କେବଳ ଏକ ଅନବଦ୍ୟ ସାରସ୍ୱତ ସୃଷ୍ଟି ନୁହେଁ ଏହା ତତ୍କାଳୀନ ଐତିହାସିକ, ଭୌଗଳିକ, ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଚିନ୍ତାଧାରାର ବର୍ଣ୍ଣାଢ୍ୟ ଆଲେଖ୍ୟ ବୋଲି ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ନିଜ ବକ୍ତବ୍ୟରେ ଏହା କହିଥିଲେ। ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ କେନ୍ଦୁଝର ସଞ୍ଜୀବ କୁମାର ବାରିକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ମଧୁସୂଦନ ମିଶ୍ର ଗୀତଗୋବିନ୍ଦର ‘ଦଶାବତାର’ ଆବୃତି କରିଥିଲେ। ପରେ କବୟିତ୍ରୀ ଶୋଭନା ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନଙ୍କଦ୍ୱାରା ଶ୍ରୀ ଜୟଦେବଙ୍କ ଉପରେ ଆଧାରିତ କବିତା ପାଠ କରାଯାଇଥିଲା। ଶେଷରେ ମିଳନୀ ସାହିତ୍ୟ ସଂସଦର ଯୁଗ୍ମ ସମ୍ପାଦକ ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.