ସମୀରଙ୍କ ପରେ ନିରଞ୍ଜନଙ୍କୁ ଭେଟିଲେ ବୈଜୟନ୍ତ

0

ଭୁବନେଶ୍ୱର  : ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେବା ପରେ ତାଙ୍କ ପରବର୍ତ୍ତୀ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଶ୍ରୀ ପଣ୍ଡା ଅନ୍ୟ ରାଜନୈତିକ ଦଳରେ ଯୋଗଦେବେ ନା ଆଞ୍ଚଳିକ ଦଳ ଗଠନ କରିବେ ତାକୁ ନେଇ ରାଜନୈତିକ ମହଲରେ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିିଛି। ଶନିବାର ବୈଜୟନ୍ତ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବାସଭବନକୁ ଯିବା ପରଠୁ ଖୁବ୍‌ଶୀଘ୍ର ସେ ବିଜେପିରେ ଯୋଗ ଦେଉଥିବା ନେଇ ପ୍ରଚାର ଚାଲିଛି। କଟକରୁ ଫେରି ଭୁବନେଶ୍ୱରରେ ଥିବା ଏକ କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଏକାନ୍ତରେ କିଛି ସମୟ ଆଲୋଚନା କରିଥିଲେ। ବିଜେପି ନେତା ସମୀର ଦେ ଏହା ଉପରେ ପ୍ରତିକ୍ରିୟା ରଖି ଏକ ସାମାଜିକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଆସିଥିବା କହିଛନ୍ତି।
ସେହିପରି ବୈଜୟନ୍ତଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇ ନ ଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଶ୍ରୀ ପଣ୍ଡା ଉଭୟ ଚର୍ଚ୍ଚାକୁ ନେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେ ଉଭୟ ସ୍ଥାନରେ ଆୟୋଜିତ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଏହାବ୍ୟତୀତ ଅନ୍ୟ କୌଣସି କାରଣ ନ ଥିଲା।
ବିଜେଡିରୁ ଇସ୍ତଫା ଦେବା ପରେ ଶ୍ରୀ ପଣ୍ଡା କେଉଁ ରାଜନୈତିକ ଦଳରେ ସାମିଲ ହେବେ ତାହା ତାଙ୍କର ବ୍ୟକ୍ତିଗତ ରୁଚି ଉପରେ ନିର୍ଭର କରେ। ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ବୈଜୟନ୍ତଙ୍କୁ ସେମାନଙ୍କ ଦଳରେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ସଂପୃକ୍ତ ଦଳର ବରିଷ୍ଠ ନେତାମାନଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହେଲାଣି। ତେବେ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବେ ବୋଲି ଉଭୟ ଦଳର ବରିଷ୍ଠ ନେତାମାନେ କହିଛନ୍ତି।
ବିଜେପିରେ ବୈଜୟନ୍ତଙ୍କ ଯୋଗଦାନକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ଆମ ଦଳର ସମସ୍ତଙ୍କ ସହ ବୈଜୟନ୍ତଙ୍କର ଭଲ ସମ୍ପର୍କ ରହିଛି। ସମୀର ଦେ ଆୟୋଜନ କରିଥିବା ବନ୍ଧୁମିଳନରେ ସେ ସମ୍ପର୍କ ଦୃଷ୍ଟିରୁ ଯାଇଥିଲେ। ଏହା ପଛରେ କୌଣସି ରାଜନୈତିକ ଅଭିସନ୍ଧି ଅଛି ବୋଲି କହିବା ଠିକ୍‌ ହେବନି। ସେ ଜଣେ ଦକ୍ଷ ସାଂସଦ। ବିଜେଡିରେ ଥାଇ ପ୍ରଧାନମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ସେ ସ୍ୱାଗତ କରିଛନ୍ତି। ଜଣେ ଲୋକପ୍ରିୟ ନେତା ତଥା ପ୍ରଗତିଶୀଳ ସାଂସଦ ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି। ବିଜେପିରେ ତାଙ୍କର ଯେତିକି ସମ୍ପର୍କ ରହିଛି ସେ ବିଜେପିକୁ ଆସିବାକୁ ଚାହିଁଲେ କୌଣସି
ପ୍ରତିବନ୍ଧକ ରହିବ ନାହିଁ। ଯେକୌଣସି ଲୋକପ୍ରିୟ ନେତା ବିଜେପିକୁ ଆସିଲେ ଆମେ ତାଙ୍କୁ ସ୍ୱାଗତ କରିବୁ। ତେବେ ଏ ସମ୍ପର୍କରେ ରାଷ୍ଟ୍ରୀୟ ନେତାମାନେ ନିଷ୍ପତ୍ତି ନେବେ ବୋଲି ସେ ପ୍ରକାଶ କରିଛନ୍ତି।
ବୈଜୟନ୍ତଙ୍କ ସହ ଆଲୋଚନା ସମ୍ପର୍କରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଏକ ସାମାଜିକ କାର୍ଯ୍ୟକ୍ରମରେ ଉଭୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲୁ। ଯେତିକି ସମୟ ଆଲୋଚନା ହୋଇଥିଲା ସେଥିରେ ରାଜନୀତି ସମ୍ପର୍କିତ କିଛି ନଥିଲା। ବୈଜୟନ୍ତ କଂଗ୍ରେସକୁ ଆସିବେ ଏ କଥା ମୁଁ ଭାବୁ ନାହିଁ। ତାଙ୍କ ତରଫରୁ ପ୍ରସ୍ତାବ ନଆସିଲେ ଏ ସମ୍ପର୍କରେ କିଛି ପ୍ରତିକ୍ରିୟା ଦେଇ ହେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କୌଣସି କାରଣରୁ ସେ କଂଗ୍ରେସକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କଲେ ତାଙ୍କ କ୍ଷେତ୍ରରେ ଉଚ୍ଚସ୍ତରରେ ଆଲୋଚନା ହେବ। ତେବେ କଂଗ୍ରେସକୁ ଆସିବା ନେଇ ବୈଜୟନ୍ତଙ୍କ ତରଫରୁ କୌଣସି ସଙ୍କେତ ନଥିବା ସେ କହିଛନ୍ତି।
ସମୀର ଦେଙ୍କୁ ବୈଜୟନ୍ତ ଭେଟିବା ଉପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି, ସେ ନିଜ ଆଡୁ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କାହାକୁ ଭେଟିଲେ କ’ଣ କଲେ ସେ ସମ୍ପର୍କରେ ବିଜେଡିର କିଛି ମତାମତ ଦେବାର ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ବ୍ୟାପାର। ଏହାବ୍ୟତୀତ ଇସ୍ତଫାଦେବା ପରେ ତାହା ଗ୍ରହଣ କରାଯିବା ପ୍ରସଙ୍ଗର କୌଣସି ପ୍ରାସଙ୍ଗିକତା ନଥିବା ସେ କହିଛନ୍ତି।

Leave A Reply