ସହାୟତା ଅପେକ୍ଷାରେ ୧୮ ହଜାର ପ୍ରସୂତି

ଜନନୀ ସୁରକ୍ଷା ଯୋଜନା : ଏମ୍‌କେସିଜିରେ ପଡ଼ିରହିଛି ୩ କୋଟି

ବ୍ରହ୍ମପୁର : ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ସହ ଆନୁଷ୍ଠାନିକ ପ୍ରସବ ବୃଦ୍ଧି କରିବା ଲକ୍ଷ୍ୟରେ ଚାଲିଛି ଜନନୀ ସୁରକ୍ଷା ଯୋଜନା। ମାତୃ ଓ ଶିଶୁ ମୃତ୍ୟୁହାର କ୍ଷେତ୍ରରେ ଉତ୍ତରପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଭଳି ଓଡ଼ିଶା ମଧ୍ୟ ଦୁର୍ବଳ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରୀ ହସ୍ପିଟାଲରେ ପ୍ରସୂତି କରାଇବା ଲାଗି କେନ୍ଦ୍ର ସରକାର ପ୍ରୋତ୍ସାହନ ସହାୟତା ରାଶି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଯୋଜନା କିଭଳି ଚାଲିଛି ତାହା ଏମକେସିଜି ମେଡିକାଲକୁ ସ୍ପଷ୍ଟ ଅନୁମେୟ। ଦୁଇବର୍ଷ ତଳେ ଏହି ଉଚ୍ଚତର ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଆସି ଶିଶୁ ଜନ୍ମ କରିଥିବା ୧୮ ହାଜର ମହିଳାଙ୍କୁ ଆଜି ପର୍ଯ୍ୟନ୍ତ ଯୋଜନାର ସହାୟତା ରାଶି ମିଳିପାରିନି। କାହାକୁ ୫ ବର୍ଷ ପରେ ଟଙ୍କା ମିଳୁଛି ତ, ଆଉ କାହାକୁ ଜମାରୁ ମିଳିନାହିଁ। ଏ ବାବଦରେ ଏମକେସିଜିରେ ପ୍ରାୟ ୩ କୋଟି ଟଙ୍କା ପଡି ରହିଛି।
ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଫେରାଲ ହସପିଟାଲ ହୋଇଥିବାରୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗକୁ ପ୍ରତ୍ୟେକ ଦିନ ୩୦ରୁ ଅଧିକ ଗର୍ଭବତୀ ଆସୁଛନ୍ତି। ଏଠାରେ ପ୍ରତ୍ୟେକ ଦିନ ୩୦ ଜଣ ମହିଳା ପ୍ରସବ ପରେ ଜନନୀ ସୁରକ୍ଷା ଯୋଜନାରେ ନିଜ ନାମ ପଞ୍ଜୀକରଣ କରିଥାନ୍ତି। ଦିନକୁ ହାରାହାରି ୩୦ ପ୍ରସୂତି ହିସାବରେ ମାସକୁ ୯୦୦ ଓ ବର୍ଷକୁ ପ୍ରାୟ ୧୧,୦୦୦ ପ୍ରସୂତି ଏମକେସିଜିରେ ପ୍ରସବ କରିଥାନ୍ତି।କେନ୍ଦ୍ର ସରକାରଙ୍କ ପକ୍ଷରୁ ଶତ ପ୍ରତିଶତ ଆର୍ଥିକ ଅନୁଦାନରେ ଚାଲିଥିବା ଏହି ଯୋଜନାରେ ଗର୍ଭବତୀଙ୍କୁ ପ୍ରସବ ପରବର୍ତ୍ତୀ ଯତ୍ନ ପାଇଁ
୧୪୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ପ୍ରସବ ପରେ ପ୍ରସୂତିଙ୍କ ନାମ ପଞ୍ଜୀକରଣ ସମୟରେ ଏକ ନିର୍ଦିଷ୍ଟ ଫର୍ମରେ ଠିକଣା ଓ ମୋବାଇଲ ନମ୍ବର ସହ ବ୍ୟାଙ୍କଖାତାର ନକଲ ପ୍ରଦାନ କରାଯାଇଥାଏ। ପ୍ରସୂତିଙ୍କ ସାଥୀରେ ଆସିଥିବା ଆଶାକର୍ମୀଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି। ଆଶାକର୍ମୀ ପ୍ରସୂତିଙ୍କ ସମସ୍ତ କାଗଜପତ୍ର ସଂଗ୍ରହ କରି ଏମକେସିଜିରେ ଥିବା ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟାଳୟରେ ଦାଖଲ କରନ୍ତି। ଏହାର କିଛି ଦିନ ପରେ ପ୍ରସୂତିଙ୍କ ବ୍ୟାଙ୍କଖାତାକୁ ୧୪୦୦ ଟଙ୍କା ପଠାଯାଇଥାଏ। ହେଲେ ଏମକେସିଜିରେ ଏଥି​ରେ‌ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜକୁ ୨ ବର୍ଷ ତଳେ ଏଠାରେ ଶିଶୁଜନ୍ମ କରିଥିବା ପ୍ରସୂତିଙ୍କ ବ୍ୟାଙ୍କଖାତାକୁ ଅଦ୍ୟାବଧି ଟଙ୍କା ଯାଇନାହିଁ। ୨୦୨୧ ଜାନୁୟାରୀରୁ ଆଜି ଯାଏଁ ଏମକେସିଜିରେ ପ୍ରାୟ ୧୮ ହଜାର ମହିଳା ଜନନୀ ସୁରକ୍ଷା ଯୋଜନାରେ ନାମ ପଞ୍ଜୀକରଣ କରିଥିଲେ ହେଁ ସେମାନଙ୍କୁ ଆର୍ଥିକ ସହାୟତା ମିଳିନି। ଏ ବାବଦକୁ ଏମକେସିଜିରେ ପ୍ରାୟ ୨ କୋଟି ୫୦ ଲକ୍ଷ ଟଙ୍କା ପଡିରହିଛି ା ଏପରିକି ୨୦୨୦ ମସିହାର ପ୍ରସୂତିଙ୍କ ବ୍ୟାଙ୍କଖାତାକୁ ଏବେ ଟଙ୍କା ପଠା ଯାଉଥିବା ସୂଚନା ମିଳିଛି। ସେହିକ୍ରମରେ ଆଜି ଏମକେସିଜିରେ ଶିଶୁଜନ୍ମ କରିଥିବା ପ୍ରସୂତିଙ୍କୁ କେବେ ଟଙ୍କା ମିଳିବ ତାହା କହିବା କଷ୍ଟକର।
ଏମକେସିଜିରେ ଜନନୀ ସୁରକ୍ଷା ଯୋଜନାର ଏଭଳି କଚ୍ଛପ ଗତିର ବିଭିନ୍ନ କାରଣ ସାମ୍ନାକୁ ଆସିଛି। ଏମକେସିଜି ଜନନୀ ସୁରକ୍ଷା ଯୋଜନା ସେଲ୍‌ରେ କର୍ମଚାରୀ ଅଭାବ ଏକ ପ୍ରମୁଖ କାରଣ ଥିବାବେଳେ ମଦର ଚାଇଲ୍ଡ ଟ୍ରାକିଙ୍ଗ୍‌ ସିଷ୍ଟମ ଓ ରିପ୍ରଡକ୍ଟିଭ୍ ଚାଇଲ୍ଡ ହେଲଥ୍ ବ୍ୟବସ୍ଥାରେ ପ୍ରତ୍ୟେକ ଗର୍ଭବତୀଙ୍କ ପାଇଁ ସୃଷ୍ଟି ହେଉଥିବା ୧୮ ସଂଖ୍ୟା ବିଶି​ଷ୍ଟ କ୍ରମିକ ନମ୍ବର ୧୨ ସଂଖ୍ୟାକୁ ପରିବର୍ତ୍ତନ କରାଯିବା ପରେ ପ୍ରସୂତିଙ୍କୁ ଟଙ୍କା ପଠାଇବାରେ ବିଳମ୍ବ ହୋଇଥିବା କୁହାଯାଉଛି। କେବଳ ସେତିକି ନୁହେଁ; ୨୦୨୦ ଓ ତା’ ପୂର୍ବରୁ ଏମକେସିଜିରେ ଶିଶୁ ଜନ୍ମ କରିଥିବା ୩୦୦୦ରୁ ଅଧିକ ପ୍ରସୂତିଙ୍କ ବ୍ୟାଙ୍କ ଖାତାକୁ ଆଜି ଯାଏଁ ଟଙ୍କା ଯାଇନାହିଁ। ନାମ ପଞ୍ଜୀକରଣ ତଥା ଫର୍ମ ପୂରଣ ବେଳେ କାହା ବ୍ୟାଙ୍କ ଆକାଉଣ୍ଟ ଭୂଲ ତ, ଆଉ କାହାର ଆଧାକର କାର୍ଡ ଓ ବ୍ୟାଙ୍କ ଖାତା ସହ ଲିଙ୍କ୍‌ ନଥିବା କାରଣରୁ ସେମାନଙ୍କୁ ଆର୍ଥିକ ସହାୟତା ମିଳିପାରିନାହିଁ। ସେହି ବାବଦକୁ ପ୍ରାୟ ୪୨ ଲକ୍ଷ ଟଙ୍କା ଏମକେସିଜିରେ ପଡିରହିଥିବା ଜଣାପଡିଛି। ଅର୍ଥାତ୍‌ ମୋଟ ୩ କୋଟି ଟଙ୍କାର ପ୍ରସୂତି ପ୍ରୋତ୍ସାହନ ରାଶି ହିତାଧିକାରୀଙ୍କ ପାଖକୁ ପଠା ନଯାଇ ପଡିରହିଛି। ଏହା ବିଭାଗୀୟ ଦାୟିତ୍ବହୀନତା ଓ ଚରମ ଅବହେଳାକୁ ପ୍ରତିଫଳିତ କରୁଛି। ଏଥିରୁ ଯୋଜନାର କ୍ରିୟାନ୍ବୟନ ପ୍ରତି ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା କେତେ ଯତ୍ନବାନ ଏହି ଭାତହାଣ୍ଡିରୁ ଗୋଟିଟି ଚିପିବା ଭଳି ପ୍ରତୀୟମାନ ହୋଇଛି। ତେବେ ଏସଂପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

kalyan agarbati

Comments are closed.