www.samajalive.in
Sunday, December 14, 2025
17.1 C
Bhubaneswar

ସ୍ୱାସ୍ଥ୍ୟ, ଶିକ୍ଷା,ମହିଳା ଓ ଶିଶୁ ବିକାଶ ଏବଂ ନିର୍ମାଣ ଯୋଜନା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି

ଯାଜପୁର : ଯାଜପୁର ଜିଲ୍ଲା ପରିଷଦ ସ୍ୱ ରୋଜଗାରୀ ପ୍ରଶିକ୍ଷଣ କେନ୍ଦ୍ର ଗୃହରେ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନାଙ୍କ ଅଧ୍ୟକ୍ଷତାରେ ଷଷ୍ଠ ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡିଶାର ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତି ରଂଜନ ଘଡାଇ, ସାଂସଦ  ଶର୍ମିଷ୍ଠା ସେଠୀ ଓ ସୁଲତା ଦେଓ,  ବିଧାୟକ ସର୍ବଶ୍ରୀ  ଅମର ପ୍ରସାଦ ଶତପଥୀ, ଅଶୋକ କୁମାର ବଳ, ସୁଲୋଚନା ଦାସ, ପ୍ରଣବ କୁମାର ବଳବନ୍ତରାୟ, ଜିଲ୍ଲା ପରିଷଦ ଉପ-ସଭାପତି   ଗଣେଶ୍ୱର ବରାଳ, ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ,  ବାଚସ୍ପତି ପ୍ରମିଳା ମଲ୍ଳିକଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ଯୋଗଦେଇ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ନିର୍ମାଣ ତଥା ଗମନାଗମନ ଯୋଜନା କାର୍ଯ୍ୟକ୍ରମ ଆଦି ରାଜ୍ୟ ସରକାରଙ୍କ ଅଗ୍ରଣୀ ଯୋଜନା ଗୁଡିକ ଜିଲ୍ଲାରେ ତ୍ୱରାନ୍ୱିତ କରି ଜିଲ୍ଳାକୁ ବିକାଶଶୀଳ ଜିଲ୍ଲାରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ।
ବୈଠକ ପ୍ରାରମ୍ଭରେ ନୂତନ ଭାବେ ନିର୍ବାଚିତ ହୋଇଥିବା ଧର୍ମଶାଳା ବ୍ଳକର ଜିଲ୍ଲା ପରିଷଦ ଜୋନ୍ -୧୫ ର  ସଦସ୍ୟ ଚକ୍ରଧର ବେହେରାଙ୍କୁ ଶପଥ ପାଠ କରାଇବା ସହ ସ୍ୱାଗତ କରାଯାଇଥିଲା ।  ପରେ ଷଷ୍ଠଜିଲ୍ଲା ପରିଷଦର ଦ୍ୱିତୀୟ ସାଧାରଣ ବୈଠକର ଲିପିବଦ୍ଧ ବିବରଣୀକୁ ଆଲୋଚନା ପୂର୍ବକ ଏହାକୁ ଦୃଢୀକରଣ କରାଯାଇଥିଲା ।  ବୈଠକରେ ବରୁଣ୍ଡେଇ ମେଡିକାଲର ଊନ୍ନତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟାକୁ ସମାଧାନ ଦିଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଜିଲ୍ଲା ମୁଖ୍ୟ ହାସପାତାଳ ଅଧୀନ ଡାକ୍ତର ଅନୁମୋଦନ ପଦବୀ ୧୭୦ ଥିବାବେଳେ ଖୁବ୍ ଶିଘ୍ର ୪୦ ଜଣ ଡାକ୍ତର ଜିଲ୍ଲାରେ ନିଯୁକ୍ତି ହେବେ,  ଜିଲ୍ଲାର ଯେଉଁସବୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାପଂ ନର୍ସ ଏବଂ ଏଏନ୍ଏମ୍ ନିଯୁକ୍ତି ଦିଆଯାଇ ସ୍ୱାସ୍ଥ୍ୟସେବାକୁ ଅଗ୍ରାଧିକାର ଭିତ୍ତିରେ ଧ୍ୟାନ ପୂର୍ବକ ସମସ୍ତ ସମସ୍ୟା ଏଡାଇ ଦିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା।  ସ୍ୱାସ୍ଥ୍ୟ ସମସ୍ୟା ଅଧୀନ ଧର୍ମଶାଳା ସିଏଚସି, ବଡକୂଳ ଓ ଦକ୍ଷୀଣବନ୍ଧ ନୂତନ ପିଏଚସି ଗୃହ ନିର୍ମାଣ,  ଶାଳପଡା ପିଏଚସିରେ ଡାକ୍ତର ନିଯୁକ୍ତି, ନିରାମୟ ଔଷଧ ଯୋଜନା, ବ୍ରହ୍ମବରଦା ମେଡିକାଲ ଜମି ବିବାଦ, କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରର ରାସ୍ତା ଜବରଦଖଲ ଉଚ୍ଛେଦ କରାଇ ଆମ୍ୱୁଲାନ୍ସ ଯାନ ସୁଗମ ଯାତାୟତ କରିବା, ଦାନଗଦୀ ଏମସିଏଚ୍ ସ୍ୱାସ୍ଥ୍ୟ ଗୃହ, ବଡଚଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତୀ, ଶିଶୁ ରୋଗ ଓ ଭେଷଜ ବିଶେଷଜ୍ଞ  ନିଯୁକ୍ତି, ହରିଦାସପୁର ଗ୍ରାମ ପଞ୍ଚାୟତ  ରମ୍ଭାଦେବୀ ସ୍ୱାସ୍ଥ୍ୟକେନ୍ଦ୍ରର ଜମି ବିବାଦ ସମାଧାନ, ଗୋବର୍ଦ୍ଧନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡାକ୍ତର ନିଯୁକ୍ତି, ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସ୍ତ୍ରୋପଚାର ଡାକ୍ତର ନିଯୁକ୍ତି, ଜଖପୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି, ଆଦମପୁର, କଣ୍ଟିପୁର, ପ୍ରିତିପୁର ପିଏଚ୍ସି ଓ ସୁକିନ୍ଦା ସିଏଚ୍ସି ରେ ଡାକ୍ତର ଓ ନର୍ସ ନିଯୁକ୍ତି ଆଦି ସମସ୍ୟ ଗୁଡିକୁ ଯଥାଶିଘ୍ର ସମାଧାନ କରିବା ଦିଗରେ ମନ୍ତ୍ରୀ, ମାନ୍ୟବର ବିଧାୟକ ବୃନ୍ଦ, ଜିଲ୍ଲା ପରିଷଦ ଉପ-ସଭାପତି, ଜିଲ୍ଲା ପରିଷଦ ଜୋନ ସଦସ୍ୟ-ସଦସ୍ୟା ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷାମାନେ ପ୍ରସ୍ତାବମାନ ଆଗତ କରିଥିବା ବେଳେ ପ୍ରଶାସନ ଏବଂ ଜନ ପ୍ରତିନିଧି ମାନଙ୍କ ମିଳିତ ଉଦ୍ୟମରେ ଖୁବ୍ ଶିଘ୍ର ସମାଧାନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ସୂଚନା ଦେଇଥିଲେ ।ସେହିପରି ବଡଚଣା ସିଏଚ୍ସି ଓ ପିଏଚସି ଗୁଡିକରେ ସି.ସି. କ୍ୟାମେରା ଲଗାଇବା ଦିଗରେ ବିଭାଗୀୟ ମୁଖ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।
ସେହିପରି ଶିକ୍ଷା ଯୋଜନାକୁ ଆଗତ କରାଯାଇ ଜିଲ୍ଲାରେ ଅଭାବ ଥିବା ଶିକ୍ଷକ ମାନଙ୍କ ପଦବୀ ଖୁବ୍ ଶିଘ୍ର ପୂରଣ ନିମନ୍ତେ ଚଳିତ ବର୍ଷ ଡିସେମ୍ୱର ମାସ ସୁଦ୍ଧା ୧୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ସେହିପରି ବିଦ୍ୟାଳୟ ମାନଙ୍କରେ ଥିବା ଅସୁରକ୍ଷିତ ଗୃହ ଗୁଡିକୁ ମରାମତି କରିବା, ପାଣି ସମସ୍ୟା ଥିବା ବିଦ୍ୟାଳୟ ମାନଙ୍କରେ ପାଣି ସଂଯୋଗୀକରଣ କରିବା, ବିଂଝାରପୁର ବ୍ଳକ ଅଧୀନ ଶାସନ ଉଚ୍ଚ ବିଦ୍ୟାଳୟକୁ ସ୍ୱଚ୍ଚ୍ଥତା ଉପରେ ଗୁରୁତ୍ୱ ଦେବାପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।  ଏଥିସହିତ ବନ୍ତଳା ଗ୍ରାମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ, ଦରବନ୍ଧା ସୁକିନ୍ଦା ଊଚ୍ଚ ବିଦ୍ୟାଳୟ ରାସ୍ତାର ମରାମତି, ହାତିବାରି ଉଚ୍ଚ ବିଦ୍ୟାଳୟ, ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ପାଦଚଲା ଓଭର ବ୍ରିଜ୍ ନିର୍ମାଣ କରିବା, ବିଦ୍ୟାଳୟ ମାନଙ୍କରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ନିଯୁକ୍ତି କରିବା, ବ୍ରହ୍ମବରଦା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପାଣି ଜମୁଥିବା ସ୍ଥାନକୁ ଉଚ୍ଚା କରିବା ଆଦି କାର୍ଯ୍ୟ ଗୁଡିକୁ ନିର୍ବାଚିତ ପ୍ରତିନିଧି ମାନଙ୍କର ପ୍ରସ୍ତାବ ଗୁଡିକ ଉପରେ ଯଥାଶିଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ମାତୃ ଓ ଶିଶୁ ମଙ୍ଗଳ କାର୍ଯ୍ୟକ୍ରମ ଅଧୀନ ଆବଶ୍ୟକ ଥିବା ଅଙ୍ଗନୱାଡି କେନ୍ଦ୍ରର ମରାମତି, ପୁନଃରୁଦ୍ଧାର, ନୂତନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ, ଅଙ୍ଗନୱାଡି ଜମି ସମସ୍ୟା ଦୂର କରିବା, ସାନପାଟୁଳି ଓ ବଡପାଟୁଳି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ପ୍ରସ୍ତାବ ଦେବାପାଇଁ ସଂପୃକ୍ତ ଅଞ୍ଚଳର ବିଡିଓଙ୍କୁ ନିର୍ଦେଶ ଦେଇଥିଲେ ।  ଏତଦ୍ ଭିନ୍ନ ନିର୍ମାଣ କାର୍ଯ୍ୟ ଅଧିନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରପଂରୁ ପାଇପ୍ ଜଳ ଯୋଗାଣ ଊପଲକ୍ଷେ ଖନନ ରାସ୍ତାକୁ ତୁରନ୍ତ ପୋତା କରିବା, ମେଗା ପାଇପ୍ ପାନୀୟ ଜଳ ସଂଯୋଗୀକରଣ, ଧର୍ମଶାଳା ନଦୀ ବନ୍ଧ ରାସ୍ତାରେ ଅତ୍ୟଧିକ ଥିବା ରାସ୍ତା ପ୍ରତିରୋଧକ (ହମ୍ପସ୍) ଉଠାଇବା, ବଡଚଣା-ଚଣ୍ଡିଖୋଲ ରାସ୍ତ ମରାମତି, ରସୁଲପୁର ଏନ୍ଏଚ୍-୧୦ ସଡକ ପଥ  ସମସ୍ୟା ଦୂର କରିବା, ଖରସ୍ରୋତା ନଦୀ ବନ୍ଧ ଦକ୍ଷିଣ ପଟ ରାସ୍ତା ମରାମତି କରିବା, ଚଟୁମାରି ବ୍ରିଜ୍ କାମ ଚାଲୁ କରିବା ଆଦି ସମ୍ୱନ୍ଧୀୟ ନିର୍ମାଣ କାର୍ଯ୍ୟ ଉପରେ ତ୍ୱରିତ ବେଗରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।  ଜିଲ୍ଲା ପରିଷଦ ଜୋନ ସଦସ୍ୟ-ସଦସ୍ୟା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷାମାନେ ସେମାନଙ୍କ ଅଞ୍ଚଳରେ ଆବଶ୍ୟକ ପଡୁଥିବା ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ୱନ୍ଧରେ ଲିଖିତ ଭାବେ ସ୍ଥାନୀୟ ବିଡିଓ, ଜିଲ୍ଳା ପ୍ରଶାସନ ଓ ଜିଲ୍ଲାପରିଷଦକୁ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ  ଘଡାଇ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଜେନା ଓ ଜିଲ୍ଲାପାଳ ଶ୍ରୀ ରାଠୋର ପରାମର୍ଶ ଦେଇଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ପରିଷଦ ଜୋନର ସଦସ୍ୟ-ସଦସ୍ୟା, ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ-ଅଧ୍ୟକ୍ଷା, ବିଭିନ୍ନ ବିଭାଗୀୟ ଅଧିକାରୀ ବୃନ୍ଦ ଏବଂ ଲାଇନ୍ ଡିପାର୍ଟମେଣ୍ଟର ଅଧିକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories