ହରଭଙ୍ଗା : ପରିଚୟ ଖୋଜୁଛି ଯାଯାବର । ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ବୀରନରସିଂହପୁର ପଂଚାୟତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ଖଜୁୁରୀପଡା ନିକଟରେ ନିର୍ମାଣ ହୋଇଥିବା ଯାଯାବରରେ ଦୀର୍ଘ ଏକବର୍ଷ ହେଲା ତାଲା ଝୁଲୁଛି। ସରକାର କା ମାଲ ଦରିଆ ମେ ଡାଲ ନ୍ୟାୟରେ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠାରୁ ଆରମ୍ଭ କରି ପରିବେଶ ପାର୍କ ,ରେଷ୍ଟୁରାଣ୍ଟ, ମିଶନ ଶକ୍ତି କାଫେ ସବୁ ବନ୍ଦ ହୋଇପଡିଛି । ଯାହାଫଳରେ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିବା ସାର ହୋଇଛି ।ବନ୍ଦ ହେବାର ସୁଯୋଗ ନେଇ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଲାଇଟ୍ଗୁଡିକ ଭାଙ୍ଗିରୁଜୁ ଯିବା ସହ ଅନ୍ୟାନ୍ୟ ସାମଗ୍ରୀ ସବୁ ଚୋରି ହୋଇଗଲାଣି । ଏତେ ସବୁ ପରେ ବି ଏହା ଉପରେ ଜିଲ୍ଲାପ୍ରଶାସନର ଆଦୌ ଦୃଷ୍ଟି ନପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପଥଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯାଯାବର ଭଳି ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଖୋଲାଯାଇଥିଲା । ତତ୍କାଳୀନ ଜିଲ୍ଲାପାଳ ସତ୍ୟରଞନ ସାହୁଙ୍କ ଉଦ୍ୟମରେ ପଥଚାରୀଙ୍କୁ ଆକୃଷ୍ଟ କରିବା ପାଇଁ ଏହାର ସୌନ୍ଦର୍ଯ୍ୟକରଣ ସହିତ ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ମିଶନ ଶକ୍ତି କାଫେ,ପରିବେଶ ପାର୍କ ଆଦିର ସୁବିଧା କରାଯାଇଥିଲା । ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପାଣ୍ଠିରୁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଇଥିଲା । ସ୍ୱଂୟସହାୟକ ଦଳକୁ ରୋଜଗାରକ୍ଷମ କରିବା ଉଦେଶ୍ୟରେ ଏହାର ରକ୍ଷଣାବେକ୍ଷଣା ସହିତ ବ୍ୟବସାୟିକ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ।ଏଠାରେ ଦୋକାନ ଖୋଲିବା ପାଇଁ ବ୍ୟବସାୟୀମାନଙ୍କୁ ଦୋକାନଘର ଭଡା ଗୋଟିଏବର୍ଷ ମାଗଣାରେ ଯୋଗାଇଦିଆଯାଇଥିଲା । ବହୁ ଆଡମ୍ବର ମଧ୍ୟରେ ଯାଯାବରର ଉନ୍ନତିକରଣ ସାଙ୍ଗକୁ ବ୍ୟବସାୟିକ ଉନ୍ନତି ଦିଗରେ ଦୃଷ୍ଟି ଦିଆଯାଇ ତତକାଳୀନ ଜିଲ୍ଲାପାଳ ଏହାର ଉନ୍ନତିକରଣ କାର୍ଯ୍ୟ ହାତକୁ ନେଇଥିଲେ । ।ଏପରିକି ବୌଦ୍ଧ ଗସ୍ତରେ ଆସୁଥିବା ବଡ ବଡ ପ୍ରଶାସନିକ ଅଧିକାରୀଙ୍କୁ ଯାଯାବର ପରିଦର୍ଶନ ପାଇଁ ସ୍ୱତନ୍ତ୍ର ପ୍ରୋଗାମ ମଧ୍ୟ କରାଯାଉଥିଲା । ବଡ ବଡ ପ୍ରଶାସନିକ ଅଧିକାରୀଙ୍କ ଏଠାରେ ପାଦ ପଡିବା ପରେ ବୌଦ୍ଧ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମକୁ ସମସ୍ତେ ପ୍ରଂଶସାରେ ପୋତି ପକାଉଥିଲେ । ଏଠାରେ ଦୋକାନ ଖୋଲିଥିବା ଜନୈକ ଦୋକାନୀ ଜଣଙ୍କ ବ୍ୟବସାୟ ଭଲ ଚାଲୁଥିବା ମଧ୍ୟ କହିଛନ୍ତି । ମାତ୍ର କେଉଁ କାରଣରୁ ଏହା ଏକ ବର୍ଷରୁ ଉର୍ଦ୍ଧ୍ୱ ହେଲା ବନ୍ଦ ଅବସ୍ଥାରେ ପଡିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଯାହାଫଳରେ ଯାଯାବର ଏବେ ପୂରା ଯାଯାବର ଅବସ୍ଥାରେ ବନ୍ଦ ହୋଇପଡିଛି । ତୁରନ୍ତ ଏହାର ରକ୍ଷଣାବେକ୍ଷଣା ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି ।
Popular Categories



