ଶ୍ରୀଜଗନ୍ନାଥ ମହାବିଷ୍ଣୁ, ଭକ୍ତବତ୍ସଳ
ପୁରୀ : ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଆଡ଼ପମଣ୍ଡପରେ ଆବିର୍ଭାବ ହୋଇଥିଲେ। ଏଥିପାଇଁ ସଂପୃକ୍ତ ସ୍ଥାନକୁ ଜନ୍ମବେଦୀ ଓ ମହାବେଦୀ ବୋଲି କୁହାଯାଉଛି। ନୀଳମାଧବଙ୍କ ଅର୍ନ୍ତଧ୍ୟାନ ପରେ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁବ୍ରହ୍ମଙ୍କ ଆବିର୍ଭାବ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ହେଉଛନ୍ତି ନୀଳମାଧବଙ୍କ ବିବର୍ତ୍ତୀତ ପରିପ୍ରକାଶ। ଶ୍ରୀଜଗନ୍ନାଥ ଅବତାରୀ। ତାଙ୍କଠାରୁ ଅନେକ ଅବତାର ସୃଷ୍ଟି ହୋଇଛନ୍ତି। କେହି କେହି ଦଶାବତାର କୁହନ୍ତି। ଶ୍ରୀମଦ୍ ଭାଗବତ ଅନୁଯାୟୀ ପ୍ରଭୁ ୨୪ ଅବତାର ଧାରଣ କରିଥିଲେ। ଭଗବାନ ନରସିଂହଙ୍କ ଆକୃତିହିଁ ଶ୍ରୀଜଗନ୍ନାଥଙ୍କ ଆଦ୍ୟମୂର୍ତ୍ତି ବୋଲି କୁହାଯାଉଛି। ଶ୍ରୀନୃସିଂହଙ୍କୁ ପୁରୁଷୋତ୍ତମ ପରଂବ୍ରହ୍ମ କୁହାଯାଏ। ପରଂବ୍ରହ୍ମ ଶ୍ରୀବିଷ୍ଣୁ କଳିଯୁଗର ଶ୍ରୀଜଗନ୍ନାଥ। ସେ ସମସ୍ତ ପ୍ରାଣୀଙ୍କ ଗତି, ମୁକ୍ତି ଓ ମୋକ୍ଷଦାୟକ। ବିଷ୍ଣୁଙ୍କ ପ୍ରାଚୀନତମ ରୂପ ଶ୍ରୀନାରାୟଣ। ସେ ମାଧବ। ସେଥିପାଇଁ ଶାରଦୀୟ ଦୁର୍ଗାପୂଜା ସମୟରେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପାସନା କରାଯାଏ। ବିଷ୍ଣୁରୂପୀ ମାଧବ ଓଡ଼ିଶାର ଘରେ ଘରେ ପୂଜିତ।
ଶ୍ରୀଜଗନ୍ନାଥ ମହାବିଷ୍ଣୁ। ବିଭିନ୍ନ ପୁସ୍ତକରେ ତାଙ୍କୁ ଚତୁର୍ଭୂଜ କୁହାଯାଇଛି। ସେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିନ୍ତି। ଏହାଛଡା ବୈଦିକ ଯୁଗରେ ବିଷ୍ଣୁଙ୍କୁ ସୂର୍ଯ୍ୟ ବୋଲି କୁହାଯାଉଛି। ସୂର୍ଯ୍ୟଙ୍କ ପରି ସେ ସମସ୍ତଙ୍କୁ ଆଲୋକ ପ୍ରଦାନ କରନ୍ତି। ତାଙ୍କ ପାଖରେ ଛୁଅାଁ ଅଛୁଅାଁ ଛୋଟବଡ ଭେଦଭାବ କିଛିନାହିଁ। ଶ୍ରୀଜଗନ୍ନାଥ ପାଳନକର୍ତ୍ତା। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତମାନେ ବହୁନାମ ଧରି ଡାକିଥାଆନ୍ତି। ଯେଉଁ ନାମରେ ଡାକିଲେ ମଧ୍ୟ ମହାପ୍ରଭୁ ଭକ୍ତଙ୍କ ମନୋବାଞ୍ଛା ପୂରଣ କରନ୍ତି। ସେଥିପାଇଁ ତାଙ୍କୁ ଭକ୍ତବତ୍ସଳ କୁହାଯାଏ। ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ପତିତପାବନ ଯାତ୍ରା। ସେଠି ପ୍ରଭୁଙ୍କ ଭକ୍ତବତ୍ସଳତାର ପ୍ରମାଣ ମିଳିଥାଏ। ଭକ୍ତ ସାଲବେଗ ପାଇଁ ବଡ଼ଦାଣ୍ଡରେ ଅଟକିଥିଲା ନନ୍ଦିଘୋଷ ରଥ। ମହୋଦଧି ତୀରେ ଗଡିଥିଲା ଭକ୍ତ ବଳରାମ ଦାସଙ୍କ ବାଲିରଥ। ଦାସିଆ ବାଉରୀ ହାତରୁ କାଳିଆଠାକୁର ନଡିଆ ନେଇଥିଲେ। ଜଗନ୍ନାଥ ଦାସଙ୍କ ପାଇଁ ପଛକୁ ଘୁଞ୍ଚିଥିଲା ସମୁଦ୍ରର ୭ଟି ଲହଡି। ଗଣପତି ଭଟ୍ଟଙ୍କ ପାଇଁ ଚତୁର୍ଦ୍ଧାମୂର୍ତ୍ତି ଗଜାନନ ବେଶ ଧାରଣ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ରଥଯାତ୍ରା ସର୍ବଶ୍ରେଷ୍ଠ। ଯେଉଁଠି ସର୍ବଧର୍ମ, ଜାତି ଓ ବର୍ଣ୍ଣର ମହାମିଳନ ହୋଇଛି। ବଡ଼ଦାଣ୍ଡରୁ ଆଡ଼ପମଣ୍ଡପ ଯାଏଁ ଭକ୍ତଙ୍କୁ କୋଳେଇ ନେଉଛନ୍ତି ପରଂବ୍ରହ୍ମ। ଶ୍ରୀକ୍ଷେତ୍ର ଭକ୍ତମୟ ହୋଇଛି। ଭକ୍ତ ଓ ଭଗବାନଙ୍କ ମହାମିଳନ ଘଟିଛି। ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଭାଇଭଉଣୀଙ୍କ ସହ ଶ୍ରୀଜଗନ୍ନାଥ ମହାପ୍ରଭୁ ନବଦିନବ୍ୟାପୀ ଘୋଷଯାତ୍ରା ଆରମ୍ଭ କରିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ଦିନ ଲୀଳା କରିବା ପରେ ରବିବାର ବାହୁଡାଯାତ୍ରା କରିବେ।