ମହିଳାମାନଙ୍କୁ ପଣସ ଖାଦ୍ୟ ପ୍ରସ୍ତୁତି ତାଲିମ ଶିବିର
ମୋହନା : ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସକାଳ” ପକ୍ଷରୁ ସ୍ଥାନୀୟ ଶୁଖିଲା ଆମ୍ବ ଛକ ସ୍ଥିତ ବ୍ରହ୍ମଣୀଦେଇ ନାଗରିକ ଉନ୍ନୟନ ସଙ୍ଗଠନ ଗୃହରେ ପିଏଚଏଫ ପ୍ରକଳ୍ପ ସହାୟତାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ଏକ ଦିନିକିଆ ପଣସ ଖାଦ୍ୟ ପ୍ରସ୍ତୁତିର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର ଯୋଗଦେଇ ଏହି ଶିବିରକୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭ ଉଦଘାଟନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ନଗେନ୍ଦ୍ର କୁମାର ନନ୍ଦି ପୌରୋହିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଓକିଲ ବିଳାସ ନାୟକ , ସମାଜସେବୀ ହାଡିଆ କନ୍ଧ, ସାମ୍ବାଦିକ ପଞ୍ଚାନନ ଦାଶ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ବିଭିନ୍ନ ସମୟରେ ଅନୁଷ୍ଠାନର ଲୋକାଭିମୁଖୀ ଯୋଜନା ଓ ଜନସଚେତନତା ମୂଳକ କାର୍ଯ୍ୟକ୍ରମରେ ‘ସକାଳ’ ସଂସ୍ଥାର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । ଶିବିରରେ ତାଲିମଦାତା ଯୋଗୀନ୍ଦ୍ର ସ୍ଵାଇଁ, ତାଲିମ ସହାୟକ ଶରତ ଗମାଙ୍ଗ, ସୂଜୟ ଗମାଙ୍ଗ ପଣସର ଉପକାରୀତା ସଂପର୍କରେ ଆଲୋକପାତ କରିବା ସହିତ ପଣସରେ ପ୍ରସ୍ତୁତ ହୋଇପାରୁଥିବା ଦୋସା,ବରା, ବଡି, ପାମ୍ପଡ, ଚିପସ୍ କରି ଦେଖାଇବା ସହିତ କଟା ପଣସକୁ କିଭଳି ମାସ ମାସ ଧରି ସାଇତି ରଖାଯାଇପାରିବ ସେହି ଉପାୟ ସଂପର୍କରେ ବୁଝାଇଥିଲେ। ଏହି ଶିବିରକୁ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଗୌଡ ପରିଚାଳନା କରିଥିବା ବେଳେ କର୍ମୀ ଗୋବିନ୍ଦ ବେହେରଦଳାଇ ,ସନ୍ତୋଷ ସାହୁ, ସୁରେନ୍ଦ୍ର ସେଠୀ ପ୍ରମୁଖ ସହଯୋଗ କରିଥିଲେ।
Comments are closed.