Patra electronics

କୁଶମେଲ ଆଇଟିଆଇ ଛାତ୍ର ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନ୍ୟାୟ ନ ମିଳିଲେ ସାମୂହିକ ଆତ୍ମାହୂତି

ବଲାଙ୍ଗିର: ମେ ୮ ତାରିଖରେ ସ୍ଥାନୀୟ ସଦର ବ୍ଳକ ଅନ୍ତର୍ଗତ କୁଶମେଲ ପୋଖରୀରେ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୁଲିସ ମୃତ ଶରୀରକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାଟି ଅପମୃତ୍ୟୁ ହୋଇ ଥାଇପାରେ ବୋଲି କହିଥିଲା । କିନ୍ତୁ ମଙ୍ଗଳବାର ମୃତକଙ୍କ ପରିବାର ସ୍ଥାନୀୟ ସାମ୍ୱାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଅପମୃତ୍ୟୁ ନୁହଁ, ବରଂ ଆମ ପୁଅକୁ ହତ୍ୟା କରାଯାଇଛି ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରଥମ ଦିନରୁ ହିଁ ଏ ବିଷୟରେ ପରିବାର ଲିଖିତ ଅଭିଯୋଗ କରିଥିଲେ ହେଁ ପୁଲିସ ତଦନ୍ତ ପ୍ରକ୍ରିୟାରେ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ଘଟଣାକୁ ଚାପି ଦେବା ଉଦ୍ୟମ କରୁଛି ବୋଲି ମୃତକଙ୍କ ବାପା ସନାତନ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ସାମ୍ବାଦିକମାନଙ୍କୁ ସେ ଆହୁରି କହିଛନ୍ତି ଯେ, ଗ୍ରାମର ପ୍ରଦୀପ ସେଠ ନାମକ ବ୍ୟକ୍ତିଙ୍କ ଝିଅ ସହ ମୃତ ଦିପୁନ ସେଠଙ୍କ ପ୍ରେମ ସଂପର୍କ ଥିଲା । ଏହି ସଂପର୍କ ବିଷୟରେ ପ୍ରଦୀପ ଜାଣିବା ପରେ ସେ ଦୀପୁନଙ୍କୁ ମାରିଦେବା ଧମକ ଦେଇଥିଲେ । ଆହୁରି ଦୀପୁନଙ୍କ ମୃତଦେହ ଗାଁ ପୋଖରୀରେ ପଡିଥିବା ବେଳେ ତାଙ୍କ ମୁହଁ କଳା ପଡିଯାଇଥିବା ସହ ଛାତିରେ କ୍ଷତ ରହିଥିଲା । ଯାହା ତାଙ୍କୁ ନିର୍ଯ୍ୟାତନା ଦେବା ପରେ ତଣ୍ଟି ଚିପି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ତେଣୁ, ଆମ ପୁଅ ପୋଖରୀରେ ବୁଡି କିମ୍ୱା ଆତ୍ମହତ୍ୟା କରିନାହିଁ । ପୂର୍ବ ଧମକ ମୁତାବକ ପ୍ରଦୀପ ସେଠ ହିଁ ତାକୁ ହତ୍ୟା କରିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ଅନେକ ଗୁମର ଫିଟିବ। କେବଳ ସେତିକି ନୁହେଁ, ଦୀପୁନଙ୍କ ମୋବାଇଲରୁ ମିଳିଥିବା ଦୀପୁନ ଓ ତାଙ୍କ ପ୍ରେମିକାଙ୍କ ଅନ୍ତରଙ୍ଗ ଫଟୋ ଏହା ସ୍ପଷ୍ଟ କରୁଛି ବୋଲି କହିଛନ୍ତି । ତେବେ ଫାଣ୍ଡି ଓ ସଦର ଥାନା ଅଧିକାରୀଙ୍କ ଅପାରଗତା ଉପରେ ସେମାନେ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଯଦି ପୁଲିସ୍ ଏହି ମାମଲାରେ ଯେଉଁ ଭଳି ଭାବେ ଚୁପ୍ ରହୁଛି ପୁଲିସର ସଂପୃକ୍ତିକୁ ଏଡାଇ ଦିଆଯାଇ ନପାରେ। ସେହି ଦୋଷୀ ଅଧିକାରୀମାନଙ୍କ ବିରୋଧରେ ମଧ୍ୟ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପରିବାର ଦାବି କରିଛନ୍ତି। ଆମକୁ ନ୍ୟାୟ ଦରକାର। ନ୍ୟାୟ ନମିଲିଲେ ସପରିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ସାମାଜିକ କର୍ମୀ ବିଶ୍ୱମୟ ପୂଝାରୀଙ୍କ ସମେତ ପୀଡ଼ିତ ପରିବାରର ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ଥିଲେ।

Comments are closed.