ସ୍କୁଲ ପିଲାଙ୍କ ପାଇଁ ‘ଇସ୍ରୋ’ର ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଶେଷ ଯୋଜନା ଅନ୍ତର୍ଗତ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ (ଯୁବିକା) ଆରମ୍ଭ କରିଛି। ମହାକାଶ ବିଜ୍ଞାନ ସହ ଏହାର ଗତିବିଧି, ପ୍ରୟୋଗ ଓ ଅନୁସନ୍ଧାନ ସମ୍ପର୍କରେ ସ୍କୁଲ ପିଲାମାନଙ୍କୁ ସମ୍ୟକ ଧାରଣା ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମହାକାଶ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ। ଇସ୍ରୋ ଏହି କାର୍ଯ୍ୟକ୍ରମ ‘କ୍ୟାଚ ଦେମ ୟଙ୍ଗ’ ନାମରେ ଗ୍ରୀଷ୍ମ ଛୁଟିରେ ଆବାସିକ ପ୍ରଶିକ୍ଷଣ ମାଧ୍ୟମରେ ଦୁଇ ସପ୍ତାହ ପାଇଁ ଆୟୋଜନ କରିବ ଏବଂ ପ୍ରତ୍ୟେକ ରାଜ୍ୟରୁ ପ୍ରତି ବର୍ଷ ଏଥି ପାଇଁ ୩ଜଣଙ୍କୁ ଚୟନ କରାଯିବା ସହ ଏହି ବିଷୟ ସିବିଏସଇ, ଆଇସିଏସଇ ଓ ରାଜ୍ୟ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରାଯିବ। ଅଷ୍ଟମ ପାସ ପରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଏହି ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରିବେ। ଏ ନେଇ ଇସ୍ରୋ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ୩ଜଣ ପ୍ରତିଯୋଗୀ ଚୟନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ମାର୍ଚ୍ଚ ମାସ ଶେଷ ସୁଦ୍ଧା ପିଲାଙ୍କ ତାଲିକା ଦେବା ପାଇଁ ଇସ୍ରୋ କହିଛି। ଏହି ଯୋଜନାରେ ଗ୍ରାମାଞ୍ଚଳରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡିଛି।