ଆଇଏସ୍‍ ଟାର୍ଗେଟ୍‍ରେ ଦିଲ୍ଲୀ!

0

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଇସ୍‍ଲାମିକ୍‍ ଷ୍ଟେଟ୍‍ (ଆଇଏସ୍‍) ଆତଙ୍କବାଦୀମାନେ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣ ଷଡ଼ଯନ୍ତ୍ର କରି ବିଫଳ ହୋଇଛନ୍ତି। ବିସ୍ଫୋରଣ ଲାଗି ଆଇଏସ୍‍ ରଚିଥିବା ଚକ୍ରବ୍ୟୂହରେ ପ୍ରବେଶ କରି ଭାରତୀୟ ସୁରକ୍ଷା ସଂସ୍ଥା ଏହି ଷଡ଼ଯନ୍ତ୍ର ପଣ୍ଡ କରିଛି। ଗିରଫ ହୋଇଛି ଜଣେ ଆତ୍ମଘାତୀ। ୨୦୧୭ ସେପ୍ଟେମ୍ବରରେ ତାକୁ ଗିରଫ କରାଯାଇଥିଲେ ମଧ୍ୟ ଭାରତୀୟ କୂଟନୈତିକ ଏବଂ ଗୁଇନ୍ଦା ଅଧିକାରୀମାନେ ଏ ସମ୍ବନ୍ଧୀୟ ସୂଚନା ଏବେ ସାର୍ବଜନୀନ କରିଛନ୍ତି। ଗିରଫ ଆତଙ୍କବାଦୀର ବୟାନକୁ ଭିତ୍ତି କରି ଆମେରିକା ନିକଟରେ ତାଲିବାନ୍‍ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିବା ଗୁଇନ୍ଦା ପକ୍ଷରୁ ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଆଫଗାନିସ୍ଥାନରେ ଆତଙ୍କ ସୃଷ୍ଟି କରିଥିବା ଆତଙ୍କବାଦୀ ସଂଗଠନ ଆଇଏସ୍‍ ଜାମ୍ମୁ-କାଶ୍ମୀରରେ ନିଜ କାୟା ବିସ୍ତାର ପୂର୍ବରୁ ଭାରତର ହୃତ୍‍ପିଣ୍ଡ ଦିଲ୍ଲୀରେ ବଡ଼ଧରଣର ଆତଙ୍କବାଦୀ ବିସ୍ଫୋରଣ ଘଟାଇ ଭାରତୀୟ କ୍ଷେତ୍ରରେ ନିଜ ଉପସ୍ଥିତି ଜାହିର କରିବାର ଯୋଜନା କରିଥିଲା। ଏ ନେଇ ସୁଚିନ୍ତିତ ଚକ୍ରବ୍ୟୂହ ରଚିଥିଲା ଆଇଏସ୍‍। ଯୋଜନାବଦ୍ଧ ଭାବେ ଜଣେ ପ୍ରଶିକ୍ଷିତ ଯୁବ ଆତଙ୍କବାଦୀ ନୂଆଦିଲ୍ଲୀ ଆସି ଏଠାକାର ଲାଜପତ ନଗରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଥିଲା। ପାଖାପାଖି ୨୦ ବର୍ଷ ବୟସ୍କ ଏହି ଆତଙ୍କବାଦୀ ଶିକ୍ଷାନୁଷ୍ଠାନର ଛାତ୍ରାବାସରେ ରହି ନିଜ ଲକ୍ଷ୍ୟ ପୂରଣରେ ଲାଗି ପଡିଥିଲା। ପରେ ଛାତ୍ରାବାସ ଛାଡି ଅନ୍ୟ ଏକ ଅଟ୍ଟାଳିକାରେ ଭଡା ଘରେ ରହି ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ଚୂଡାନ୍ତ ରୂପ ଦେବାର ଉଦ୍ୟମ କରିଥିଲା। ଦିଲ୍ଲୀ ବିମାନବନ୍ଦର, ଅନସାଲ ପ୍ଲାଜା ମଲ୍‍, ବସନ୍ତକୁଞ୍ଜସ୍ଥିତ ଏକ ମଲ୍‍ ଏବଂ ଦକ୍ଷିଣ ଏକ୍ସଟେନ୍‍ସନ୍‍ ମାର୍କେଟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସେ ବାରମ୍ବାର ଯାଉଥିଲା। ସେସବୁ ସ୍ଥାନ ବିଷୟରେ ସେ ଆଫଗାନରେ ବସିଥିବା ତା’ର ନିୟନ୍ତ୍ରକ ତଥା ପ୍ରମୁଖ ଆଇଏସ୍‍ ଆତଙ୍କବାଦୀମାନଙ୍କୁ ନିୟମିତ ଭାବେ ସୂଚନା ପ୍ରଦାନ କରୁଥିଲା। ସବୁକିଛି ଆଇଏସ୍‍ର ଯୋଜନା ମୁତାବକ ଠିକ୍‍ରେ ଆଗେଇ ଚାଲିଥିବା ବେଳେ ଭାରତର ଗୁଇନ୍ଦା ସଂସ୍ଥା ‘ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‍ ୱିଙ୍ଗ୍‍) ଏହି ଷଡ଼ଯନ୍ତ୍ରର ସୁରାକ ପାଇଥିଲା। ଦୁବାଇରୁ ଆଫଗାନିସ୍ତାନର ଏକ ସ୍ଥାନକୁ ୫୦,୦୦୦ ଡଲାର ସନ୍ଦେହଜନକ ଭାବେ ପଠାଯିବା ଘଟଣାକୁ ନେଇ ସଂସ୍ଥା ପକ୍ଷରୁ ଖୋଳତାଡ଼ କରାଯାଇଥିଲା। ସମସ୍ତ ସମ୍ଭାବ୍ୟ ଦିଗଗୁଡିକର ତନ୍ନତନ୍ନ ଅନୁଶୀଳନ ପରେ ଆଇଏସ୍‍ ଆତଙ୍କବାଦୀ ଦିଲ୍ଲୀରେ ବଡ଼ଧରଣର ବିସ୍ଫୋରଣ ଘଟାଇପାରନ୍ତି ବୋଲି ଆମେରିକାଠାରୁ ମିଳିଥିବା ଗୁଇନ୍ଦା ସୂଚନା ଉପରେ ‘ର’ ଅଧିକାରୀମାନଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା। ଆଇଏସ୍‍ର ଚକ୍ରବ୍ୟୂହରେ ପ୍ରବେଶ କରି ତା’ ଆତଙ୍କବାଦୀଙ୍କୁ ଧରିବାକୁ ‘ର’ ଦୃଢ ନିଷ୍ପତ୍ତି ନେଇଥିଲା ବୋଲି ଗୁଇନ୍ଦା ବିଭାଗର ଜଣେ ଅଧିକାରୀ ପ୍ରମୁଖ ଇଂରାଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନା ମୁତାବକ କେତେକ ଫୋନ୍‍କଲ୍‍କୁ ଟ୍ୟାପ୍‍ କରିବା ପରେ ନୂଆଦିଲ୍ଲୀରେ ଥିବା ଆଇଏସର ଆତ୍ମଘାତୀ ବିସ୍ଫୋରଣକାରୀ ସମ୍ବନ୍ଧରେ ‘ର’ ସୂଚନା ପାଇଥିଲା। ତାକୁ ବନ୍ଧୁତାର ଜାଲରେ ଫସାଇ ଗିରଫ କରିବାକୁ ସଂସ୍ଥା ସ୍ଥିର କରିଥିଲା। ତା’ ସହିତ ବନ୍ଧୁତ୍ୱ ସ୍ଥାପନ କରିପାରିବା ଭଳି ଉପଯୁକ୍ତ ବ୍ୟକ୍ତି ମନୋନୟନ କରାଗଲା। ଭାରତୀୟ ସୁରକ୍ଷା ସଂସ୍ଥା ପାଇଁ କାମ କରୁଥିବା ଜଣେ ବ୍ୟକ୍ତି ଉକ୍ତ ଆତଙ୍କବାଦୀ ସହ ବନ୍ଧୁତ୍ୱ ସ୍ଥାପନ କଲେ। ଲାଜପତ ନଗରଠାରେ ଏକ ସୁରକ୍ଷିତ ସ୍ଥାନ ଖୋଜିବାରେ ତାକୁ ସେ ସହଯୋଗ କଲେ। ଦିନେ ଆତଙ୍କବାଦୀ ଜଣକ ସମ୍ପୃକ୍ତ ଗୁଇନ୍ଦା ସହଯୋଗୀଙ୍କୁ ନୂଆଦିଲ୍ଲୀରେ ବିସ୍ଫୋରଣ ଲାଗି ଶକ୍ତିଶାଳୀ ବିସ୍ଫୋରକ ଦ୍ରବ୍ୟ ଯୋଗାଇ ଦେବାକୁ କହିଥିଲା। ଏହି ସୂଚନା ପାଇବା ମାତ୍ରେ ଭାରତୀୟ ସୁରକ୍ଷା ଅଧିକାରୀମାନେ ଲାଜପତ ନଗରସ୍ଥିତ ତା’ ବାସସ୍ଥାନକୁ ଘେରାଉ କରି ନେଇଥିଲା। ୨୦୧୭ ସେପ୍ଟେମ୍ବରରେ ଗୁଇନ୍ଦା ସହଯୋଗୀ ଜଣକ ସ୍ୱାଭାବିକ୍‍ ଢଙ୍ଗରେ ବିସ୍ଫୋରକ ସାମଗ୍ରୀ ହସ୍ତାନ୍ତର କରିବା ବେଳେ ଆତଙ୍କବାଦୀକୁ ସୁରକ୍ଷା ଅଧିକାରୀମାନେ ଗିରଫ କରିଥିଲେ। ଗିରଫ ପରେ ତାକୁ ଆଫଗାନିସ୍ତାନ ନିଆଯାଇଥିଲା। ଏବେ ସେ ଆଫଗାନିସ୍ତାନସ୍ଥିତ ଏକ ଆମେରିକୀୟ ସାମରିକ ଘାଟୀରେ ବନ୍ଦୀ ଅଛି। ତାକୁ ଜେରା ବେଳେ ଆତଙ୍କବାଦୀଙ୍କ ସମ୍ବନ୍ଧରେ ମିଳିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଭିତ୍ତି କରି ଆମେରିକା ସେନା ଆଫଗାନିସ୍ତାନ ମାଟିରେ ତାଲିବାନ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିବା କୁହାଯାଉଛି।
ଆଫଗାନିସ୍ତାନ, ଦୁବାଇ ଏବଂ ନୂଆଦିଲ୍ଲୀରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ଦୀର୍ଘ ୧୮ ମାସ ଧରି ‘ର’ ଅଧିକାରୀମାନେ ଦୃଷ୍ଟି ରଖିଥିଲେ। ଏହି ଅଞ୍ଚଳଗୁଡିକରେ ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ୧୨ ଜଣ ଯୁବକଙ୍କୁ ଆଇଏସ୍‍ ପାକିସ୍ତାନ ମାଟିରେ ଆତଙ୍କବାଦର ପ୍ରଶିକ୍ଷଣ ଦେଇ ବିଭିନ୍ନ ସ୍ଥାନକୁ ପଠାଇଥିବା ସେମାନେ ଜାଣିବାକୁ ପାଇଥିଲେ। ନୂଆଦିଲ୍ଲୀରେ ଆତ୍ମଘାତୀ ଆକ୍ରମଣ ଘଟାଇବା ଲାଗି ଗିରଫ ଆତଙ୍କବାଦୀକୁ ନୟୋଜିତ କରାଯାଇଥିଲା। ଗିରଫ ଉଦ୍ଦେଶ୍ୟରେ ବନ୍ଧୁତ୍ୱର ଜାଲ ବିଛାଇବା ବେଳେ ଆତ୍ମଘାତୀ ଜଣକ ଯେଭଳି ଆଖି ସମ୍ମୁଖରୁ ଖସି ନ ଯାଏ ସେଥିନେଇ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ୮୦ ଜଣ ଭାରତୀୟ ତଦନ୍ତକାରୀ ଏବଂ ସୁରକ୍ଷା ଅଧିକାରୀ ତା’ଉପରେ ନିରନ୍ତର ଦୃଷ୍ଟି ରଖିଥିଲେ। ୨୦୧୭ ମେ’ ୨୨ରେ ମାଞ୍ଚଷ୍ଟରଠାରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୨୩ ଜଣ ଲୋକ ପ୍ରାଣ ହରାଇଥିଲେ। ନୂଆଦିଲ୍ଲୀରେ ଆତ୍ମଘାତୀ ବିସ୍ଫୋରଣ ଘଟାଇବାକୁ ଆସିଥିବା ଆତଙ୍କବାଦୀ ମାଞ୍ଚଷ୍ଟର ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଦଳର ସଦସ୍ୟ ବୋଲି ଜଣାପଡିଛି।

Leave A Reply