ମେଗା ପାନୀୟଜଳ ପ୍ରକଳ୍ପ ଗୋଦାମରୁ ଚୋରି ଲୁହା ସାମଗ୍ରୀ ଜବତ, ୩ ଗିରଫ

ଆଠଗଡ : ଆଠଗଡ ତିଗିରିଆ ବ୍ଲକ ଓ ବାଙ୍କି ବ୍ଲକର କେତେକ ଅଞ୍ଚଳ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ କାମ ଚାଲୁ ରହିଥିବାବେଳେ ଏହି ପ୍ରକଳ୍ପର ବିଭିନ୍ନ ଗୋଦାମରୁ ପାଇପଠାରୁ ଆରମ୍ଭ କରି ଅନ୍ୟ ସାମଗ୍ରୀ ଅନେକ ସମୟ ଚୋରି ହେଉଥିବା ଥାନାରେ ବହୁ ସମୟରେ ଅଭିଯୋଗ ହେଉଛି । ଏହିପରି ଘଟଣା କ୍ରମରେ ଉକ୍ତ ପ୍ରକଳ୍ପ କାମ କରୁଥିବା ଠିକା ସଂସ୍ଥା କଳ୍ପତରୁ ପ୍ରକଳ୍ପ ଲିମିଟେଡର ଆଠଗଡ ସହରର ବୀରକିଶୋରପୁର ନିକଟବର୍ତ୍ତୀ ଏକ ଖୋଲା ଆକାଶ ଗୋଦାମରୁ ପାଇପ ଯୋଡା ପାଇଁ ବ୍ୟବହୃତ ଗୋଲାକାର ଲୁହା ପ୍ଲେଟ ୨୪ ଟି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଚୋରି ସମ୍ପର୍କରେ ଠିକା ସଂସ୍ଥାର ଭାରପ୍ରାପ୍ତ ପରିଚାଳକ କେନ୍ଦ୍ରାପଡା ନିକିରାଇ ଅଞ୍ଚଳର ମନୋଜ କୁମାର ସାମଲ ଗୁରୁବାର ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରିଥିଲା ।

ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ବରେ ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ଦିଲ୍ଲୀପ କୁମାର ବେହେରା ପ୍ରମୁଖ ସିସିଟିଭି ଯାଞ୍ଚ କରି ତୁରନ୍ତ ଚୋରି ଘଟଣା ଉନ୍ମୋଚନ କରିବା ସହ ଚୋରି ସାମଗ୍ରୀ ଓ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ସେହି ଗୋଦାମରୁ ଦୁଇଦିନ ମଧ୍ୟରେ ଚୋରି ହୋଇଥିବା ଗୋଲାକାର ଲୁହା ପ୍ଲେଟ ମଧ୍ୟରୁ ୭ଟି ପୁଲିସ ଅଧିକାରୀ ଅଭିଯୁକ୍ତଙ୍କ ଠାରୁ ଜବତ କରିଛନ୍ତି । ଏଥିରେ ସଂପୃକ୍ତ ଉକ୍ତ ସଂସ୍ଥାରେ ପାଇପ ମିସ୍ତ୍ରୀ ଭାବେ କାମ କରୁଥିବା ଖୁଣ୍ଟକଟା ପଞ୍ଚାୟତ ଅନ୍ତର୍ଗତ ରେଗେଡାପଡାର ପ୍ରଦୀପ୍ତ କୁମାର ସ୍ବାଇଁ ଓ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ତିଗିରିଆ ଥାନା ଅନ୍ତର୍ଗତ ସୋମପଡା ଗ୍ରାମର ବିଜୟ କୁମାର ସାହୁ ଏବଂ ଆଠଗଡ ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଅଭୟ କୁମାର ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

 

Comments are closed.