ଭାରତକୁ ଇରାନ୍‍ର ଧମକ

0

ନୂଆଦିଲ୍ଲୀ : ଇରାନ୍‍ରୁ ତୈଳ ଆମଦାନୀ ନ କରିବାକୁ ଆମେରିକାର ତାଗିଦ୍‍ ପରେ ଭାରତ ଦ୍ୱନ୍ଦ୍ୱରେ ପଡିଥିବା ବେଳେ ଏବେ ଇରାନ୍‍ ଅଧିକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ସାମରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଚାବହାର ବନ୍ଦରରେ ପ୍ରତିଶ୍ରୁତି ମୁତାବକ ନିବେଶ ହେଉ ନ ଥିବାରୁ କ୍ଷୁବ୍ଧ ଇରାନ୍‍ ଭାରତକୁ ଧମକ ଦେଇଛି। ଭାରତ ଯଦି ଇରାନରୁ ତୈଳ ଆମଦାନୀ ହ୍ରାସ କରେ ତା’ହେଲେ ଏହାକୁ ବିଶେଷ ସୁବିଧା ହରାଇବାକୁ ପଡିବ ବୋଲି ଇରାନ୍‍ର ଉପ-ରାଷ୍ଟ୍ରଦୂତ ମାସୁଦ ରେଜଭାନିଆନ୍‍ କହିଛନ୍ତି। ସେ କହିଛନ୍ତି, ଚାବହାର ବନ୍ଦର ଏବଂ ତତ୍‍ସମ୍ବନ୍ଧୀୟ ଯୋଜନାଗୁଡିକରେ ପୁଞ୍ଜିନିବେଶ ଲାଗି ଭାରତ ଦେଇଥିବା ପ୍ରତିଶ୍ରୁତି ଏଯାବତ୍‍ ପୂରଣ ନ ହେବା ଅତି ଦୁର୍ଭାଗ୍ୟଜନକ। ସାମରିକ ଦୃଷ୍ଟିକୋଣରୁ ଚାବହାର ବନ୍ଦରରେ ଯଦି ଏହାର ସହଯୋଗ ଏବଂ ଅଂଶୀଦାରିତା ଗୁରୁତ୍ୱପୂର୍ଣ୍ଣ ତା’ହେଲେ ଭାରତ ତୁରନ୍ତ ଏ ଦିଗରେ ଜରୁରୀ ବୈଠକ ଡକାଇ ଆଲୋଚନା କରିବା ଉଚିତ୍‍। ଇରାନ୍‍ ସବୁବେଳେ ଖାଉଟି ଏବଂ ଯୋଗାଣକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପଯୁକ୍ତ ମୂଲ୍ୟରେ ତୈଳ ଯୋଗାଇଦେଇ ଆସୁଛି। ଏହାସତ୍ତ୍ବେ ଇରାନ୍‍କୁ ଉପେକ୍ଷା ପୂର୍ବକ ଭାରତ ଯଦି ସାଉଦି ଆରବ, ରୁଷ୍‍, ଇରାକ ଏବଂ ଆମେରିକାରୁ ତୈଳ ଆମଦାନୀ କରେ ତେବେ ସମସ୍ତ ବିଶେଷ ସୁବିଧା ହରାଇବ। ‘ବିଶ୍ୱ କୂଟନୀତି କ୍ରମେ ସୃଷ୍ଟ ସମସ୍ୟା ଏବଂ ତାହାର ଲାଭ ତଥା ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପ୍ରଭାବ’ ଶୀର୍ଷକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ମାସୁଦ୍‍ ଏହା କହିଛନ୍ତି। ଅନ୍ୟପଟେ ଗତ ଜୁନ୍‍ ମାସରେ ଇରାନରୁ ଭାରତର ତୈଳ ଆମଦାନୀରେ ୧୫.୯% ହ୍ରାସ ଘଟିଥିବା ଜଣାପଡିଛି। ଉଲ୍ଲେଖ ଯେ, ପାକିସ୍ତାନ ଦେଇ ବାଣିଜ୍ୟ ଲାଗି ଇସ୍‍ଲାମାବାଦ୍‍ ନୂଆଦିଲ୍ଲୀକୁ ବାରଣ କରିବା ପରେ ଭାରତ, ଇରାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଦିଗରେ ଚାବହାର ବନ୍ଦର ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ୨୦୧୬ ମେ’ରେ ଏହି ତିନି ରାଷ୍ଟ୍ର ‘ଟ୍ରାଞ୍ଜିଟ୍‍ ଆଣ୍ଡ ଟ୍ରାନ୍ସପୋର୍ଟ କରିଡର’ ପ୍ରତିଷ୍ଠା ଲାଗି ଚୁକ୍ତି ସ୍ୱାକ୍ଷର କରିଥିଲେ। ଏଥିକ୍ରମେ ସାମୁଦ୍ରିକ ପରିବହନ ଲାଗି ଚାବହାର ବନ୍ଦର ବ୍ୟବହାର ଲାଗି ନିଷ୍ପତ୍ତି ହୋଇଥିଲା।

Leave A Reply