ତେହରାନ: ୟୁକ୍ରେନର ଯାତ୍ରୀବାହୀ ବିମାନ କ୍ଷେପଣାସ୍ତ୍ର ମାଡ଼ରେ ଖସିଛି ବୋଲି ମାନିଛି ଇରାନ। ପୂର୍ବରୁ ବାରମ୍ବାର ମିଛ କହିଆସୁଥିବା ଇରାନ ଶେଷରେ ଭୁଲବଶତଃ ଏଭଳି ଦୁର୍ଘଟଣା ଘଟିଥିବା ଶନିବାର ସ୍ପଷ୍ଟ କରିଛି। ଇରାନ ସେନାର ଜଣେ କମାଣ୍ଡର ଏହି ତ୍ରୁଟି ପାଇଁ ନିଜକୁ ଦାୟୀ କରିଛନ୍ତି।
ଇରାନର ରିଭଲ୍ୟୁଶନାରୀ ଗାର୍ଡ କମାଣ୍ଡର ଜେନେରାଲ ଆମିର ଅଲୀ ହାଜିଜଦେହ ଶନିବାର ନିଜର ଭୁଲ ସ୍ବୀକାର କରି କହିଛନ୍ତି, ଯେତେବେଳେ ବିମାନ ଖସିପଡ଼ିଥିବା ନେଇ ମୋତେ ଖବର ମିଳିଲା, ସେତେବେଳେ ମନ ହେଉଥିଲା କାଳେ ମୁଁ ସେହି ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତି କି। ଯାହାଫଳରେ ମୁଁ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ସାକ୍ଷୀ ହୋଇ ନ ଥାନ୍ତି। ଏକ ସରକାରୀ ଚ୍ୟାନେଲକୁ ଦେଇଥିବା ମନ୍ତବ୍ୟରେ ସେ ଏହା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଇରାକରେ ଥିବା ଆମେରିକାର ସୈନ୍ୟ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ସମୟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ବିମାନରେ ଥିବା ସମସ୍ତ ୧୭୬ ଜଣଙ୍କର ମୃତ୍ୟୁ ଘଟିଥିଲା।
ଏହା ପୂର୍ବରୁ ଇରାନ ରାଷ୍ଟ୍ରପତି ହସନ ରୁହାନୀ କହିଥିଲେ ଯେ, ମନୁଷ୍ୟକୃତ ତ୍ରୁଟି ଯୋଗୁ ଭୁଲବଶତଃ ୟୁକ୍ରେନ ବିମାନକୁ ଟାର୍ଗେଟ କରାଯାଇଥିଲା। ଏହା ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା ଏବଂ ୧୭୬ ଜଣଙ୍କ ଜୀବନ ଚାଲିଗଲା। ଏହି ଅକ୍ଷମଣୀୟ ତ୍ରୁଟିର ଯାଞ୍ଚ ଜାରି ରହିବ ଏବଂ ଦୋଷୀମାନଙ୍କ ବିରୋଧରେ ମାମଲା ରୁଜୁ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ।



