‘କର ବା ମର’ ସ୍ଥିତିରେ ଆର୍‍ସିବି ଓ ରାଜସ୍ଥାନ

0

ଜୟପୁର : ଆଇପିଏଲ୍‍-୧୧ରେ ଶନିବାର ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି) ଓ ରାଜସ୍ଥାନ ରୟାଲ୍‍ସ ମଧ୍ୟରେ ଲିଗ୍‍ ମ୍ୟାଚ୍‍ ଖେଳାଯିବ। ଉଭୟ ଦଳ ପାଇଁ ଏହା ଅନ୍ତିମ ମ୍ୟାଚ୍‍ ଏବଂ ପ୍ଲେଅଫ୍‍ ସ୍ଥାନ ନିଶ୍ଚିତ କରିବା ପାଇଁ ଅନ୍ତିମ ସୁଯୋଗ। ଟେବୁଲ ଶୀର୍ଷରେ ଥିବା ସନ୍‍ରାଇଜର୍ସ ହାଇଦରାବାଦ ବିରୋଧରେ ରୋମାଞ୍ଚକର ବିଜୟ ପରେ ଉତ୍ସାହରେ ଅଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆର୍‍ସିବି। ପୁଣି ରାଜସ୍ଥାନ ବିପକ୍ଷରେ ଶନିବାରର ମ୍ୟାଚ୍‍ରେ କେବଳ ବିଜୟୀ ହେଲେ ଆର୍‍ସିବି ପ୍ଲେଅଫ୍‍ ଖେଳିବା ନିଶ୍ଚିତ କରିପାରିବ। କାରଣ ଏହାର ନେଟ୍‍ ରନ୍‍ରେଟ୍‍ (୦.୨୬୪) ଉନ୍ନତ ରହିଛି। ଏଣେ ରାଜସ୍ଥାନର ନେଟ୍‍ ରନ୍‍ରେଟ୍‍ (-୦.୪୦୩) ବହୁତ କମ୍‍ ଥିବାରୁ ଏହାକୁ କେବଳ ବିଜୟ ନୁହେଁ; ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ।
ଉଭୟ ଦଳ ୧୩ଟି ମ୍ୟାଚ୍‍ରୁ ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି। ଶନିବାରର ମ୍ୟାଚ୍‍ ଉଭୟ ଦଳ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟିକରିଛି। ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ମୁକାବିଲାରେ ରାଜସ୍ଥାନ ୪/୨୧୭ ରନ୍‍ କରିଥିବା ବେଳେ ବାଙ୍ଗାଲୋରକୁ ୬/୧୯୮ରେ ରୋକି ୧୯ ରନ୍‍ରେ ଜିତି ପାରିଥିଲା। ବାଙ୍ଗାଲୋରର ବ୍ୟାଟିଂ ଅତି ଶକ୍ତିଶାଳୀ। ଅଧିନାୟକ ବିରାଟ କୋହଲିଙ୍କୁ ଛାଡ଼ି ଦଳରେ ଏବି ଡି’ଭିଲିଅର୍ସ, ପାର୍ଥିବ ପଟେଲ, ମନଦୀପ ସିଂହ, ମୋଇନ୍‍ ଅଲୀ ଭଲ ଫର୍ମରେ ଅଛନ୍ତି। ଆର୍‍ସିବିର ବ୍ୟାଟିଂର ଭାର ଅଦ୍ୟାବଧି କୋହଲି (୫୨୬) ଓ ଡି’ଭିଲିଅର୍ସ (୪୨୭) ବହନ କରିଛନ୍ତି। ହାଇଦରାବାଦ ବିପକ୍ଷ ମ୍ୟାଚ୍‍ରେ ଡି’ଭିଲିଅର୍ସ ୩୯ ବଲ୍‍ରୁ ୬୯ ରନ୍‍ କରିବାରୁ ଦଳ ବିଶାଳ ୨୧୮ ରନ୍‍ କରି ପାରିଥିଲା। ପେସ୍‍ ବୋଲର ଭାବେ ଆର୍‍ସିବିର ଉମେଶ ଯାଦବ ଓ ଟିମ୍‍ ସାଉଦି ଭଲ ଫର୍ମରେ ଅଛନ୍ତି। ସ୍ପିନ ବିଭାଗରେ ୟୁଜୁବେନ୍ଦ୍ର ଚହଲ ଚମ୍ପିଆନ୍‍ଙ୍କ ପରି ପ୍ରଦର୍ଶନ କରିଛନ୍ତି। ରାଜସ୍ଥାନ ପାଇଁ ଏହା ଏକ ଶକ୍ତ ଧକ୍କା ଯେ ଦଳର ଦୁଇ ସଫଳ ଖେଳାଳି ଜୋସ୍‍ ବଟ୍‍ଲର ଓ ବେନ୍‍ ଷ୍ଟୋକ୍‍ସ ପାକିସ୍ତାନ ବିପକ୍ଷ ଟେଷ୍ଟମ୍ୟାଚ୍‍ ଖେଳିବା ପାଇଁ ଇଂଲଣ୍ଡ ଫେରି ଯାଇଛନ୍ତି। ଗତ ୬ଟି ମ୍ୟାଚ୍‍ରେ ବଟ୍‍ଲର କ୍ରମାଗତ ୫ଟି ଅର୍ଦ୍ଧଶତକ ସହ ୩୯ ରନ୍‍ କରିଛନ୍ତି। ରାଜସ୍ଥାନ ଅଧିନାୟକ ଅଜିଙ୍କ୍ୟ ରାହାଣେ ବ୍ୟାଟିଂରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଦଳର ଅନ୍ୟ ବ୍ୟାଟ୍‍ସମ୍ୟାନ୍‍ ମଧ୍ୟ ସେପରି ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ବଟ୍‍ଲରଙ୍କ ବ୍ୟାଟିଂ ଜରିଆରେ ଏହା କିଛି ମ୍ୟାଚ୍‍ ଜିତିଛି। ହେଲେ ବଟ୍‍ଲର ଶନିବାର ମ୍ୟାଚ୍‍ରେ ଖେଳିବେନାହିଁ। ବୋଲିଂରେ ସବୁଠାରୁ ଦାମୀ ଭାରତୀୟ ଖେଳାଳି ଜୟଦେବ ଉନାଦ୍‍କତ ରାଜସ୍ଥାନ ପାଇଁ ସେପରି ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିନାହାନ୍ତି। ଧବଳ କୁଲକର୍ଣ୍ଣୀ ଓ କେ. ଗୌତମ ମିଶ୍ରିତ ପ୍ରଦର୍ଶନ କରିଛନ୍ତି। ମୋଟଉପରେ ଏହି ମ୍ୟାଚ୍‍ରେ ଆର୍‍ସିବି ଫେଭରିଟ୍‍। ତେବେ ଚକ୍‍ମା ଦେବାର ସାମର୍ଥ୍ୟ ରାଜସ୍ଥାନର ରହିଛି।

Leave A Reply