www.samajalive.in
Sunday, December 14, 2025
19.1 C
Bhubaneswar

ସନ୍‍ରାଇଜର୍ସକୁ ହରାଇ ପ୍ଲେଅଫ୍‍ରେ ଚେନ୍ନଇ

ପୁଣେ : ଆଇପିଏଲ୍‍-୧୧ରେ ୪ର୍ଥ ଶତକ ମାରିଛନ୍ତି ଅମ୍ବତି ରାୟୁଡୁ। ତାଙ୍କର ଏହି ଶତକ ବଳରେ ଚେନ୍ନଇ ସୁପର କିଙ୍ଗ୍‍ସ ପ୍ଲେଅଫ୍‍ରେ ସ୍ଥାନ ନିଶ୍ଚିତ କରିପାରିଛି। ରାୟୁଡୁଙ୍କ ଅପରାଜିତ ୧୦୦ ରନ୍‍ ଓ ସେନ୍‍ ୱାଟ୍‍ସନଙ୍କ ଅର୍ଦ୍ଧଶତକ ବଳରେ ସନ୍‍ରାଇଜର୍ସ ହାଇଦରାବାଦକୁ ୮ ୱିକେଟରେ ଚେନ୍ନଇ ପରାସ୍ତ କରିଛି। ପୂର୍ବରୁ ସନ୍‍ରାଇଜର୍ସ ପ୍ଲେଅଫ୍‍ରେ ପହଞ୍ଚି ସାରିଥିବା ବେଳେ ୨ୟ ଦଳ ଭାବେ ପ୍ଲେଅଫ୍‍ରେ ଚେନ୍ନଇ ପହଞ୍ଚିଛି। ଶିଖର ଧାୱନ ଓ କେନ୍‍ ୱିଲିୟମ୍‍ସନଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‍ରାଇଜର୍ସ ୪ ୱିକେଟରେ ୧୭୯ ରନ୍‍ କରିଥିଲା। ପରେ ୱାଟ୍‍ସନ ଓ ରାୟୁଡୁଙ୍କ ପ୍ରହାର ଯୋଗୁଁ ୧୯ ଓଭରରେ ୨ ୱିକେଟ ହରାଇ ଚେନ୍ନଇ ବିଜୟୀ ହୋଇଥିଲା। ୧୨ଶ ମ୍ୟାଚ୍‍ରେ ୮ମ ବିଜୟ ପରେ ଚେନ୍ନଇ ପ୍ରଥମ ୪ଟି ଦଳଙ୍କ ମଧ୍ୟରେ ରହିବା ନିଶ୍ଚିତ କରିଛି। ସନ୍‍ରାଇଜର୍ସ ୧୨ଶ ମ୍ୟାଚ୍‍ରେ ୩ୟ ପରାଜୟ ଭୋଗିଛି।
୧୮୦ ରନ୍‍ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନଇ ସୁପର କିଙ୍ଗ୍‍ସର ଦୁଇ ଓପ୍‍ନର ଚମତ୍କାର ବ୍ୟାଟିଂ କରିଥିଲେ। ସେନ୍‍ ୱାଟ୍‍ସନ୍‍ ଓ ଅମ୍ବତି ରାୟୁଡୁ ଆରମ୍ଭରୁ ବାଉଣ୍ଡରୀ ବର୍ଷାକରି ଦ୍ରୁତଗତିରେ ସ୍କୋର୍‍ କରି ଚାଲିଥିଲେ। ଚେନ୍ନଇର ଏହି ଦୁଇ ସଫଳ ବ୍ୟାଟ୍‍ସମ୍ୟାନ୍‍ଙ୍କ ଯୋଡ଼ି ଭାଙ୍ଗିବା ପାଇଁ ସନ୍‍ରାଇଜର୍ସକୁ ୧୪ଶ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଓପ୍‍ନିଂ ଯୋଡ଼ି ୧୩.୩ ଓଭରରେ ୧୩୪ ରନ୍‍ର ଭାଗିଦାରୀ କରିବା ପରେ ସେନ୍‍ ୱାଟ୍‍ସନ ବିଦାୟ ନେଇଥିଲେ। ୱାଟ୍‍ସନ୍‍ ୩୫ ବଲ୍‍ରୁ ୩ଟି ଛକା ଓ ୫ଟି ଚୌକା ସହ ୫୭ ରନ୍‍କରି ଆଉଟ ହୋଇଥିଲେ। ପରେ ସୁରେଶ ରୈନା ୨ ରନ୍‍କରି ବିଦାୟ ନେଇଥିଲେ। ପରେ ଅମ୍ବତି ରାୟୁଡୁ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଧୋନି ୧୪ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‍କରି ଅପରାଜିତ ଥିଲେ। ୬୨ ବଲ୍‍ରୁ ୭ଟି ଲେଖାଏଁ ଛକା ଓ ଚୌକା ସହ ରାୟୁଡୁ ୧୦୦ ରନ୍‍କରି ଅପରାଜିତ ଥିଲେ। କ୍ରିସ୍‍ ଗେଲ୍‍, ସେନ୍‍ ୱାଟ୍‍ସନ ଓ ଋଷଭ ପନ୍ତ୍‍ଙ୍କ ପରେ ଏହା ଚଳିତ ଆଇପିଏଲ୍‍ରେ ୪ର୍ଥ ଶତକ।
ଟସ୍‍ ଜିତି ଚେନ୍ନଇ ସୁପର କିଙ୍ଗ୍‍ସ ଫିଲ୍‍ଡିଂ ନେବା ପରେ ସନ୍‍ରାଇଜର୍ସ ୪ର୍ଥ ଓଭରରେ ପ୍ରଥମ ୱିକେଟ ହରାଇଥିଲା। ଇଂଲଣ୍ଡର ଓପ୍‍ନର ଆଲେକ୍ସ ହେଲ୍‍ସ ୨ ରନ୍‍କରି ବିଦାୟ ନେଇଥିଲେ। ଚେନ୍ନଇର ପେସ୍‍ ବୋଲର ପୁଣେ ପିଚ୍‍ରୁ ସହାୟତା ପାଇଥିଲେ ଏବଂ ପାୱରପ୍ଲେରେ ସନ୍‍ରାଇଜର୍ସ ଦଳର ବ୍ୟାଟ୍‍ସମ୍ୟାନ୍‍ଙ୍କୁ ଚୁପ୍‍ ରଖି ପାରିଥିଲେ। ସନ୍‍ରାଇଜର୍ସ ୬ ଓଭର ପାୱରପ୍ଲେ ଶେଷରେ ୧ ୱିକେଟରେ ୨୯ ରନ୍‍ କରି ପାରିଥିଲା। ୯ମ ଓଭର ପର୍ଯ୍ୟନ୍ତ ସନ୍‍ରାଇଜର୍ସର ଦୁଇ ସଫଳ ବ୍ୟାଟ୍‍ସମ୍ୟାନ୍‍ ଶିଖର ଧାୱନ ଓ କେନ୍‍ ୱିଲିୟମ୍‍ସନଙ୍କୁ ବାନ୍ଧି ରଖିଥିଲେ ଚେନ୍ନଇର ବୋଲର। ୯ ଓଭରରେ ସନ୍‍ରାଇଜର୍ସ ମାତ୍ର ୫୧ ରନ୍‍ କରିଥିଲା। ତେବେ ପରବର୍ତ୍ତୀ ୭ ଓଭରରୁ ଧାୱନ୍‍-ୱିଲିୟମ୍‍ସନ ଗିଅର ବଦଳାଇ ଖେଳି ୯୦ ରନ୍‍ ନେଇ ପାରିଥିଲେ। ଗତ ମ୍ୟାଚ୍‍ରେ ଧାୱନ୍‍-ୱିଲିୟମ୍‍ସନ ୧୭୬ ରନ୍‍ର ଭାଗିଦାରୀ କରିଥିବା ବେଳେ ଏହି ମ୍ୟାଚ୍‍ରେ ୨ୟ ୱିକେଟ ପାଇଁ ୧୨୩ ରନ୍‍ର ଭାଗିଦାରୀ କରିଥିଲେ। ତେବେ ଲାଗଲାଗ ୨ଟି ବଲ୍‍ରେ ଶିଖର ଧାୱନ ଓ ୱିଲିୟମ୍‍ସନ ଆଉଟ ହୋଇ ଯାଇଥିଲେ। ବାମହାତି ଧାୱନ କ୍ରମାଗତ ୨ୟ ମ୍ୟାଚ୍‍ରେ ଅର୍ଦ୍ଧଶତକ ମାରି ୪୯ ବଲ୍‍ରୁ ୩ଟି ଛକା ଓ ୧୦ଟି ଚୌକା ସହ ୭୯ ରନ୍‍ କରିଥିଲେ। ଅଧିନାୟକ କେନ୍‍ ୱିଲିୟମ୍‍ସନ ୩୯ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୫୧ ରନ୍‍ କରିଥିଲେ। ଏହି ଆଇପିଏଲ୍‍ରେ ୭ମ ଅର୍ଦ୍ଧଶତକ ହାସଲ କରି ୱିଲିୟମ୍‍ସନ୍‍ ୫ ଶହ ରନ୍‍ ଅତିକ୍ରମ କରି ପାରିଛନ୍ତି। ଦୀପକ ହୁଡାଙ୍କ ବ୍ୟାଟିଂ ଯୋଗୁଁ ସନ୍‍ରାଇଜର୍ସ ଶେଷ ୪ ଓଭରରୁ ୩୮ ରନ୍‍ ନେଇ ପାରିଥିଲା। ମନୀଷ ପାଣ୍ଡେ ୫ ରନ୍‍ କରି ଆଉଟ ହୋଇଥିଲେ। ହୁଡା ୧୧ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୧ ରନ୍‍କରି ସାକିବ୍‍ ଅଲ୍‍ ହାସନ (୮)ଙ୍କ ସହ ଅପରାଜିତ ଥିଲେ। ସାର୍ଦ୍ଦୁଳ ଠାକୁର ୨ଟି ୱିକେଟ ନେଇଥିବା ବେଳେ ପେସ୍‍ ବୋଲର ଦୀପକ ଚହର ୪ ଓଭରରୁ ମାତ୍ର ୧୬ ରନ୍‍ଦେଇ ଗୋଟିଏ ୱିକେଟ ପାଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories