ଶ୍ରୀନଗର : ନିକଟରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସତ୍ପାଲ ଶର୍ମାଙ୍କ ସ୍ଥାନରେ ଜାମ୍ମୁ-କାଶ୍ମୀର ବିଧାନସଭା ସଦସ୍ୟ ରବୀନ୍ଦ୍ର ରାଇନାଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ଦ୍ୱିତୀୟ ଥର ପାଇଁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ସେ ପୂର୍ବରୁ ୨୦୧୫ରେ ସେ ରାଜ୍ୟ ସଭାପତି ଥିଲେ। ସତ୍ପାଲ ଶର୍ମା କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କ ସପକ୍ଷରେ ବାହାରିଥିବା ଶୋଭାଯାତ୍ରାରେ ସାମିଲ ହୋଇ ବିବାଦକୁ ଆସିଥିଲେ। ଏହା ସତ୍ତ୍ୱେ ତାଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ନବନିଯୁକ୍ତ ସଭାପତି ନୌସେରା ବିଧାୟକ ରାଇନା ବାରମ୍ବାର ବିବାଦରେ ଛନ୍ଦି ହୋଇଛନ୍ତି। ୨୦୧୫ରେ ସେ ବିଧାୟକ ଭାବେ ମାତା ବୈଷ୍ଣୋଦେବୀଙ୍କ ନାମରେ ଶପଥ ନେବାରେ ବିବାଦ ସୃଷ୍ଟି ହୋଇଥିଲା। କାର୍ଯ୍ୟନିର୍ବାହୀ ବାଚସ୍ପତିଙ୍କ ନିର୍ଦେଶକ୍ରମେ ସେ ଈଶ୍ୱରଙ୍କ ନାମରେ ଶପଥ ଗ୍ରହଣ କରିଥିଲେ। ସେହି ବର୍ଷ ବିଧାନସଭା ଅତିଥିଶାଳାରେ ଗୋମାଂସ ଭୋଜି ଆୟୋଜନ କରିଥିବା ଅଭିଯୋଗରେ ସ୍ୱାଧୀନ ବିଧାୟକ ଇଞ୍ଜିନିୟର ରାସିଦଙ୍କୁ ସେ ବିଧାନସଭା ପରିସରରେ ମାଡ଼ ମାରି ବିବାଦରେ ପଡ଼ିଥିଲେ।
Popular Categories



