ଆଇପିଏଲ୍‍ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ୫ ଭାରତୀୟ

0

ନୂଆଦିଲ୍ଲୀ : ଆଇପିଏଲ୍‍ର ୧୧ତମ ସଂସ୍କରଣ ରବିବାର ଶେଷ ହୋଇଛି। ଚେନ୍ନଇ ଚମ୍ପିଆନ୍‍ ହୋଇଥିବା ବେଳେ ସନ୍‍ରାଇଜର୍ସ ହାଇଦରାବାଦ୍‍ ରନର୍ସଅପ୍‍ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ବହୁ ଖେଳାଳି ନିଜ ପ୍ରଦର୍ଶନ ବଳରେ ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ଏହି ଆଇପିଏଲ୍‍ରେ ନିଜ ପ୍ରଭାବୀ ପ୍ରଦର୍ଶନ ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ୫ଜଣ ଭାରତୀୟ କ୍ରିକେଟ୍‍ର। ଏହି କ୍ରିକେଟ୍‍ରମାନେ ଜାତୀୟ ଦଳରେ ଏପର୍ଯ୍ୟନ୍ତ ସ୍ଥାନ ପାଇନଥିଲେ ମଧ୍ୟ ଏମାନଙ୍କ ଭବିଷ୍ୟତ ବେଶ୍‍ ଉଜ୍ଜ୍ୱଳ ବୋଲି ଆଲୋଚନା ହେଉଛି। ଏହି ୫ଜଣଙ୍କ ସଂପର୍କରେ ନିମ୍ନରେ ସୂଚନା ଦିଆଗଲା।
୧. ସୂର୍ଯ୍ୟକୁମାର ଯାଦବ: ମୁମ୍ବଇ ଇଣ୍ଡିଆନ୍‍ସ ଦଳ ତରଫରୁ ଖେଳୁଥିଲେ ସୂର୍ଯ୍ୟକୁମାର ଯାଦବ। ଚଳିତ ସିଜିନ୍‍ରେ ୫୦୦ରୁ ଅଧିକ ରନ୍‍ ସଂଗ୍ରହ କରିଥିବା ୨୭ ବର୍ଷୀୟ ଏହି ବ୍ୟାଟସମ୍ୟାନ୍‍ ମୁମ୍ବଇ ତରଫରୁ ବ୍ୟାଟିଂ ଓପନ୍‍ କରିବାର ସୁଯୋଗ ପାଇ ଏହାର ବେଶ୍‍ ସଦୁପଯୋଗ କରିଥିଲେ।
୨. ସିଦ୍ଧାର୍ଥ କୌଲ୍‍: ସନ୍‍ରାଇଜର୍ସ ହାଇଦରାବାଦ୍‍ ତରଫରୁ ଖେଳିଥିଲେ ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ୍‍। ୧୭ଟି ମ୍ୟାଚ୍‍ ଖେଳି ସେ ୨୧ଟି ୱିକେଟ୍‍ ନେବାରେ ସକ୍ଷମ ହୋଇଥିଲେ। ଏହାଫଳରେ ସେ ଚଳିତ ସିଜିନ୍‍ରେ ଦ୍ୱିତୀୟ ସର୍ବାଧିକ ୱିକେଟ୍‍ ହାସଲ କରିବାର ସୌଭାଗ୍ୟ ହାସଲ କରିଛନ୍ତି। ୨୮ ବର୍ଷୀୟ ଏହି ଦ୍ରୁତ ବୋଲର ଆଗାମୀ ଦିନରେ ଭାରତୀୟ ଦଳରେ ସାମିଲ ହେବେ ବୋଲି ଆଶା କରାଯାଉଛି।
୩. ଦୀପକ ଚହର : ଚେନ୍ନଇ ସୁପର କିଙ୍ଗସ୍‍ ଦଳ ତରଫରୁ ଚଳିତ ଆଇପିଏଲ୍‍ ସିଜିନ୍‍ରେ ଖେଳିଥିଲେ ବୋଲର ଦୀପକ ଚହର। ୧୨ଟି ମ୍ୟାଚ୍‍ ଖେଳି ସେ ୧୦ଟି ୱିକେଟ୍‍ ହାସଲ କରିଛନ୍ତି। ଓଭର ପିଛା ୭.୨୮ ରନ୍‍ ବ୍ୟୟ କରିଥିବା ୨୫ ବର୍ଷୀୟ ଏହି ବୋଲର ବ୍ୟାଟିଂରେ ମଧ୍ୟ ଦକ୍ଷ ଥିବା ପ୍ରମାଣ ଦେଇଛନ୍ତି। କିଙ୍ଗସ୍‍ ଏକାଦଶ ବିପକ୍ଷ ମ୍ୟାଚ୍‍ରେ ଧୋନି, ବ୍ରାଭୋ ଓ ଜାଡେଜାଙ୍କ ଠାରୁ ଆଗୁଆ ବ୍ୟାଟିଂ କରିବାକୁ ଆସି ଚହର ୨୦ଟି ବଲ୍‍ରୁ ୩୮ ରନ୍‍ ସଂଗ୍ରହ କରିଥିଲେ।
୪. ଅଙ୍କିତ ରାଜପୁତ: ଉତ୍ତରପ୍ରଦେଶର ଏହି କ୍ରିକେଟ୍‍ର ୨୦୧୩, ୨୦୧୬ ଓ ୨୦୧୭ ସିଜିନ୍‍ରେ ୧୧ଟି ମ୍ୟାଚ୍‍ ଖେଳିଥିଲେ। ଚଳିତ ସିଜିନ୍‍ରେ ସେ କିଙ୍ଗସ୍‍ ଏକାଦଶ ଦଳରେ ସାମିଲ ହୋଇଥିଲେ। କିଙ୍ଗସ୍‍ ଏକାଦଶ ତରଫରୁ ୫ମ ମ୍ୟାଚ୍‍ରେ ଖେଳିବାର ସୁଯୋଗ ପାଇଥିବା ଅଙ୍କିତ ୨ଟି ୱିକେଟ୍‍ ହାସଲ କରିଥିବା ବେଳେ ସନ୍‍ରାଇଜର୍ସ ହାଇଦରାବାଦ୍‍ ବିପକ୍ଷରେ ୧୪ ରନ୍‍ଦେଇ ୫ଟି ୱିକେଟ୍‍ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
୫. ଈଶାନ କିଷନ୍‍: ଝାଡଖଣ୍ଡର ଏହି ୱିକେଟ ରକ୍ଷକ ବ୍ୟାଟସମ୍ୟାନ୍‍ଙ୍କୁ ମୁମ୍ବଇ ଇଣ୍ଡିଆନ୍‍ସ ଦଳ ୬.୨ କୋଟି ଟଙ୍କାରେ କିଣିଥିଲା। ଈଶାନ୍‍ ମଧ୍ୟ ନିଜ ପ୍ରଦର୍ଶନ ବଳରେ ପ୍ରତିଭା ଦେଖାଇଥିଲେ। ମୁମ୍ବଇ ଦଳ ତରଫରୁ ପ୍ରଥମ ୩ଟି ମ୍ୟାଚ୍‍ରୁ ଦୁଇଟିରେ ସେ ୪୦ରୁ ଊର୍ଦ୍ଧ୍ବ ରନ୍‍ ସଂଗ୍ରହ କରିଥିଲେ। କଲକାତା ନାଇଟ୍‍ ରାଇଡର୍ସ ବିରୋଧରେ ମାତ୍ର ୨୧ଟି ବଲ୍‍ରୁ ୬୨ ରନ୍‍ କରି ସେ ନିଜ ଦକ୍ଷତାର ଉପଯୁକ୍ତ ପରିଚୟ ପ୍ରଦାନ କରିଛନ୍ତି। ୱିକେଟ ରକ୍ଷକ ଭାବେ ମଧ୍ୟ ଈଶାନ୍‍ଙ୍କ ପ୍ରଦର୍ଶନ ବେଶ୍‍ ଭଲ ଥିଲା।

Leave A Reply