www.samajalive.in
Monday, December 15, 2025
16.1 C
Bhubaneswar

ପ୍ଲେଅଫ୍‍ ଦୌଡ଼ରେ ବାଙ୍ଗାଲୋର

ବାଙ୍ଗାଲୋର : ଆଇପିଏଲ୍‍-୧୧ରେ ବୁଧବାର ସନ୍‍ରାଇଜର୍ସ ହାଇଦରାବାଦକୁ ୧୪ ରନ୍‍ରେ ପରାସ୍ତ କରିଛି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)। ଏହି ବିଜୟ ଯୋଗୁଁ ଆର୍‍ସିବି ପ୍ଲେଅଫ୍‍ ଦୌଡ଼ରେ ରହିପାରିଛି। ଏବି ଡି’ଭିଲିଅର୍ସ ଓ ମୋଇନ୍‍ ଅଲୀଙ୍କ ଦର୍ଶନୀୟ ଅର୍ଦ୍ଧଶତକ ପରେ କଲିନ୍‍ ଡି ଗ୍ରାଣ୍ଡହୋମ୍‍ ଓ ସର୍ଫରାଜ ଖାଁଙ୍କ ବିସ୍ଫୋରକ ଇନିଂସ ବଳରେ ଆର୍‍ସିବି ୬ ୱିକେଟ ହରାଇ ୨୧୮ ରନ୍‍ କରିଥିଲା। ପରେ ଅଧିନାୟକ କେନ୍‍ ୱିଲିୟମ୍‍ସନ ଓ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ସନ୍‍ରାଇର୍ଜ ୩ ୱିକେଟ ହରାଇ ୨୦୪ ରନ୍‍ କରି ପାରିଥିଲା। ୧୩ଶ ମ୍ୟାଚ୍‍ରେ ୬ଷ୍ଠ ବିଜୟ ପରେ ଆର୍‍ସିବି ୫ମ ସ୍ଥାନକୁ ଉଠିଛି। ସନ୍‍ରାଇଜର୍ସ ୧୩ଶ ମ୍ୟାଚ୍‍ରେ ୪ର୍ଥ ପରାଜୟ ଭୋଗିଛି।
ସମ୍ମୁଖରେ ୨୧୯ ରନ୍‍ର ବିଶାଳ ଲକ୍ଷ୍ୟ ଥିବା ବେଳେ ସନ୍‍ରାଇଜର୍ସର ଓପ୍‍ନର ଲଢ଼ୁଆ ଭାବେ ଇନିଂସ ଆରମ୍ଭ କରିଥିଲେ। ୫ ଓଭରରେ ୪୭ ରନ୍‍ର ଭାଗିଦାରୀ କରିବା ପରେ ଶିଖର ଧାୱନ ୧୫ ବଲ୍‍ରୁ ୨ଟି ଛକା ସହ ୧୮ ରନ୍‍କରି ବିଦାୟ ନେଇଥିଲେ। ପରେ ଇଂଲଣ୍ଡର ଓପ୍‍ନର ଆଲେକ୍ସ ହେଲ୍‍ସ ୨୪ ବଲ୍‍ରୁ ୩ଟି ଛକା ଓ ୨ଟି ଚୌକା ସହ ୩୭ ରନ୍‍କରି ବିଦାୟ ନେଇଥିଲେ। ୬୪ ରନ୍‍ରେ ଦୁଇ ଓପ୍‍ନର ଆଉଟ ହେବା ପରେ କେନ୍‍ ୱିଲିୟମ୍‍ସନ୍‍ ଗିଅର ବଦଳାଇ ବାଉଣ୍ଡରୀ ବର୍ଷା କରି ଚାଲିଥିଲେ। ଅନ୍ୟପଟୁ ମନୀଷ ପାଣ୍ଡେ ମଧ୍ୟ ଉପଯୋଗୀ ବ୍ୟାଟିଂ କରିଥିଲେ। ୧୧ ଓଭରରେ ୯୪ ରନ୍‍ ହୋଇଥିବା ବେଳେ ପରବର୍ତ୍ତୀ ୪ ଓଭରରୁ ପାଣ୍ଡେ-ୱିଲିୟମ୍‍ସନ୍‍ ୫୮ ରନ୍‍ ମାରିଥିଲେ। ୩ ଓଭରରେ ୪୯ ଏବଂ ଶେଷ ଓଭରରୁ ୨୦ ରନ୍‍ ଆବଶ୍ୟକ ଥିଲା। ଶେଷ ଓଭର ପ୍ରଥମ ବଲ୍‍ରେ ୱିଲିୟମ୍‍ସନ ଆଉଟ ହୋଇଯିବା ନିର୍ଣ୍ଣାୟକ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ୮ମ ଅର୍ଦ୍ଧଶତକ ମାରିଥିବା କେନ୍‍ ୱିଲିୟମ୍‍ସନ ୪୨ ବଲ୍‍ରୁ ୫ଟି ଛକା ଓ ୭ଟି ଚୌକା ସହ ୮୧ ରନ୍‍ କରିଥିଲେ। ପରେ ସନ୍‍ରାଇଜର୍ସ ଦିଗହରା ହୋଇ ଯାଇଥିଲା। ପାଣ୍ଡେ ୩୮ ବଲ୍‍ରୁ ୨ଟି ଛକା ଓ ୭ଟି ଚୌକା ସହ ୬୨ ରନ୍‍କରି ଅପରାଜିତ ଥିଲେ। ଉମେଶ ଯାଦବ ଓ ୟୁଜୁବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରିଥିଲେ।
ସନ୍‍ରାଇଜର୍ସ ହାଇଦରାବାଦ ଟସ୍‍ ଜିତି ଫିଲ୍‍ଡିଂ ନିଷ୍ପତ୍ତି ନେଇଥିଲା। ବାଙ୍ଗାଲୋରର ଓପ୍‍ନର ପାର୍ଥିବ ପଟେଲ ମାତ୍ର ୧ ରନ୍‍କରି ଆଉଟ୍‍ ହୋଇଥିଲେ। ତେବେ ଏବି ଡି’ଭିଲିଅର୍ସ କ୍ରିଜ୍‍କୁ ଆସିବା ମାତ୍ରେ ବାଉଣ୍ଡରୀ ମାରି ଚାଲିଥିଲେ। ଅଧିନାୟକ ବିରାଟ କୋହଲି ୫ମ ଓଭର ପର୍ଯ୍ୟନ୍ତ କ୍ରିଜ୍‍ରେ ରହି ୨ଟି ଚୌକା ସହ ୧୨ ରନ୍‍କରି ଆଉଟ ହୋଇ ଯାଇଥିଲେ। କୋହଲି ୪ନଂ ସ୍ଥାନରେ ମୋଇନ୍‍ ଅଲୀଙ୍କୁ ପଠାଇବା ତାଙ୍କର ମାଷ୍ଟରଷ୍ଟ୍ରୋକ୍‍ ଥିଲା। ଇଂଲଣ୍ଡର ଏହି ଅଲ୍‍ରାଉଣ୍ଡର କ୍ରିଜ୍‍କୁ ଆସିବା ମାତ୍ରେ ନିୟମିତ ବ୍ୟବଧାନରେ ଛକା ମାରି ଚାଲିଥିଲେ। ଫଳରେ ୩ୟ ୱିକେଟ ପାଇଁ ଡି’ଭିଲିଅର୍ସ ଓ ମୋଇନ୍‍ ମାତ୍ର ୫୭ ବଲ୍‍ରୁ ୧୦୭ ରନ୍‍ ଯୋଗ କରିବାରୁ ଆର୍‍ସିବି ବିଶାଳ ସ୍କୋର୍‍ କରି ପାରିଥିଲା। ତେବେ ୩ଟି ବଲ୍‍ରେ ରସିଦ୍‍ ଖାଁ ଉଭୟଙ୍କୁ ଆଉଟ କରି ଦେଇଥିଲେ। ଡି’ଭିଲିଅର୍ସ ପୁଣି ଏକ ଦର୍ଶନୀୟ ଇନିଂସ ଖେଳି ୩୯ ବଲ୍‍ରୁ ଗୋଟିଏ ଛକା ଓ ୧୨ଟି ଚୌକା ସହ ୬୯ ରନ୍‍ କରିଥିଲେ। ୨ଟି ବଲ୍‍ ପରେ ବାମହାତି ମୋଇନ୍‍ ମାତ୍ର ୩୪ ବଲ୍‍ରୁ ୬ଟି ଛକା ଓ ୨ଟି ଚୌକା ସହ ୬୫ ରନ୍‍ କରିଥିଲେ। ଡି’ଭିଲିଅର୍ସ ଓ ମୋଇନ୍‍ଙ୍କଠାରୁ ଆହୁରି ବିସ୍ଫୋରକ ଇନିଂସ ଖେଳିଥିଲେ କଲିନ୍‍ ଡି ଗ୍ରାଣ୍ଡହୋମ୍‍ ଓ ସର୍ଫରାଜ ଖାଁ। ଫଳରେ ଶେଷ ୩ ଓଭରରେ ଆର୍‍ସିବି ୪୨ ରନ୍‍ ନେଇ ପାରିଥିଲା। ଡି ଗ୍ରାଣ୍ଡହୋମ୍‍ ମାତ୍ର ୧୭ ବଲ୍‍ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୪୦ ଏବଂ ସର୍ଫରାଜ ୮ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ଅପରାଜିତ ୨୨ ରନ୍‍ କରିଥିଲେ। ରସିଦ୍‍ ଖାଁ ୩ଟି ଏବଂ ସିଦ୍ଧାର୍ଥ କୌଲ ୨ଟି ୱିକେଟ ପାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories