ବୟସ୍କମାନେ ଅଲୋଡ଼ା ନୁହନ୍ତି, ସେମାନଙ୍କୁ ସହାୟତା ନୁହେଁ ସହଯୋଗ ଲୋଡ଼ା

‘ବୟସ୍କ ଓ ବର୍ହିଭୁକ୍ତିକରଣ: ଅନ୍ତର୍ଭୁକ୍ତିକରଣ ପଥରେ ଅଗ୍ରସର’ ଶୀର୍ଷକ ଆନ୍ତର୍ଜାତିୟ କର୍ମଶାଳା

ଭୁବନେଶ୍ବର: ବୟସର ବୋଝରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିବା ବୟସ୍କ ଜୀବନର ଶେଷ ମୁହୂର୍ତ୍ତ ବିତାଇବା ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ଜରାନିବାସ। ଏବର ଯୁବପିଢ଼ି ପାଖରେ ପରିବାରର ବୟସ୍କ ସଦସ୍ୟଙ୍କୁ ଦେଖାଶୁଣା ପାଇଁ ସମୟ, ଇଚ୍ଛା ଓ ଆଗ୍ରହ କମିବାରେ ଲାଗିଛି, ଅବଶ୍ୟ ଏହାର ଅନେକ ବ୍ୟତିକ୍ରମ ରହିଛି। କେହିକେହି ପିତାମାତାଙ୍କୁ ଏକା ଛାଡ଼ିଦେଇ ବିଦେଶରେ ରହିଯାଉଛନ୍ତି। ଯୌଥ ପରିବାରର ବନ୍ଧନ ଆଉ ନାହିଁ। ଅନେକ କ୍ଷେତ୍ରରେ ବୟସ୍କମାନେ ଉପେକ୍ଷିତ, ନିଷ୍ପେଷିତ, ନିପୀଡ଼ିତ ଏବଂ ନିର୍ୟାତିତ ହେଉଥିବା ଦେଖିବାକୁ ମିଳୁଛି। ତେବେ ବୟସ୍କମାନେ ଅଲୋଡ଼ା ନୁହନ୍ତି, ସେମାନଙ୍କୁ ସହାୟତା ନୁହେଁ ସହଯୋଗ ଲୋଡ଼ା। ସେମାନଙ୍କ ଅଭିଜ୍ଞତା ଓ ପରାମର୍ଶ ଜୀବନକୁ ସୁଖମୟ କରିବାରେ ସହାୟକ ହୋଇପାରିବ। ତେଣୁ ବୃଦ୍ଧ ପିତାମାତାଙ୍କୁ ଘରୁ ବାହାର ନକରି ଏବଂ ବୃଦ୍ଧାଶ୍ରମ ନପଠାଇ ପରିବାର ସହିତ କିଭଳି ମିଳିମିଶି ଚଳିପାରିବା ସେଥିପାଇଁ ପ୍ରୟାସ ଜାରି ରଖିବା ଉଚିତ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟର ସମାଜବିଜ୍ଞାନ ଏବଂ ନୃତତ୍ତ୍ୱ ବିଭାଗ ପକ୍ଷରୁ ବିଶ୍ବ ବ୍ୟାଙ୍କ-ଓଏଚଇପିଇଇ ସହଯୋଗରେ ବାଣୀବିହାରସ୍ଥିତ ସ୍ନାତକୋତ୍ତର ପରିଷଦରେ ଆୟୋଜିତ ‘ବୟସ୍କ ଓ ବର୍ହିଭୁକ୍ତିକରଣ: ଅନ୍ତର୍ଭୁକ୍ତିକରଣ ପଥେ ଅଗ୍ରସର’ ଶୀର୍ଷକ ଆନ୍ତର୍ଜାତିୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ କହିଥିଲେ ଯେ ବର୍ତ୍ତମାନ ସମୟରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ରହିଛି ଓ ସେମାନେ ଆଇନର ସହାୟତା ନେଇପାରିବେ ଏବଂ ସେମାନଙ୍କ ସନ୍ତାନମାନଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ ବୋଲି କୁଳପତି ପ୍ରକାଶ କରିଥିଲେ।
କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଆଜିର ଯୁବପିଢି ବୟସ୍କଙ୍କ ସହିତ ଯୋଗାଯୋଗରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯଦ୍ବାରା ସେମାନଙ୍କ ପିତାମାତା ନିଜକୁ ଏକାକୀ ଅନୁଭବ କରିବେ। ବୟସ୍କ ଲୋକଙ୍କର ମାନସିକତା ଏକୁଟିଆପଣକୁ ଦୂର କରିବା ଦରକାର। ସେଥିପାଇଁ ଆମେ ସେମାନଙ୍କ ସହିତ ମିଶିବା ଓ କଥାବାର୍ତ୍ତା କରିବା ଜରୁରୀ। ଯୁବପିଢ଼ିଙ୍କ ମାନସିକତାରେ ପରିବର୍ତ୍ତନ ଆଣିଲେ ବୟସ୍କଙ୍କୁ ବୃଦ୍ଧାଶ୍ରମ ଯିବାକୁ ଦରକାର ପଡ଼ିବ ନାହିଁ ବୋଲି ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ ପ୍ରକାଶ କରିଥିଲେ।
ବୟସ୍କ ନାଗରିକଙ୍କ ଉନ୍ନତି ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସହାୟତା ଓ ସହଯୋଗ ପ୍ରଦାନ ପାଇଁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାଯିବା ଉଚିତ। ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ ମଙ୍ଗଳ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ସାଙ୍ଗକୁ ପିତାମାତାଙ୍କ କିଭଳି ଯତ୍ନ ନିଆଯାଇପାରିବ ସେ ସମ୍ପର୍କରେ ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।
ବିଶ୍ବ ବ୍ୟାଙ୍କ- ଓଏଚଇପିଇଇର ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ କହିଥିଲେ ଯେ ସମସ୍ତଙ୍କୁ ବୃଦ୍ଧାବସ୍ଥା ଦେଇ ଗତି କରିବାକୁ ପଡ଼ିବ, ତେଣୁ ଆମକୁ ଆମର ମାନସିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ହେବ ଓ ପିତାମାତାଙ୍କୁ ବୃଦ୍ଧାଶ୍ରମରେ ନ ଛାଡ଼ି ସେମାନଙ୍କ ଯତ୍ନନେବା ସହିତ ମିଳିମିଶି ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।
ଏସଏଫସି ନିର୍ଦେଶକ ତଥା ସମାଜ ବିଜ୍ଞାନ ପ୍ରଫେସର ନବନୀତା ରଥ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ନୃତତ୍ତ୍ବ ବିଭାଗ ମୁଖ୍ୟ ଡ.କାହ୍ନୁଚରଣ ଶତପଥୀ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ସମାଜ ବିଜ୍ଞାନ ଆସୋସିଏଟ ପ୍ରଫେସର ରବୀନ୍ଦ୍ର ଗରଡ଼ା ଅଧ୍ୟକ୍ଷତା କରିଥିଲେ। କିଟ ବିଶ୍ବବିଦ୍ୟାଳୟର ଡ.ମୋନାଲିସା ବଳ, ଉତ୍କଳ ବିଶ୍ବବିଦ୍ୟାଳୟର ଡ.ପ୍ରସନ୍ନ କୁମାର ପାତ୍ର, ଡ. ସୁରେଶଚନ୍ଦ୍ର ମୁର୍ମୁ, ଡ.ପ୍ରିୟଙ୍କା ଖୁରାନା, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.