ମଙ୍ଗୋଲିଆକୁ ହରାଇଲା ଭାରତ
କଳିଙ୍ଗରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଆରମ୍ଭ
ଭୁବନେଶ୍ବର : ଆୟୋଜକ ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଭାରତ ୨-୦ ଗୋଲରେ ମଙ୍ଗୋଲିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧିନ ଭାରତ ପ୍ରାରମ୍ଭରୁ ବିପକ୍ଷ ମଙ୍ଗୋଲିଆ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ଭାରତ ପକ୍ଷରୁ ଦୁଇ ମିନିଟ୍ରେ ଅନିରୁଦ୍ଧ ଥାପ୍ପାଙ୍କ ଚମତ୍କାର ପାସ୍କୁ ଅବଦୁଲ ସାହିଲ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୧୫ ମିନିଟ୍ରେ ଭାରତ ଦ୍ବିତୀୟ ଗୋଲ ଦେଇଥିଲା। ଲାଲିନଜୁଆଲା ଚେଙ୍ଗେଟ୍ ଚମତ୍କାର ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମଙ୍ଗୋଲିଆ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିେଲ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଶେଷରେ ଭାରତ ମ୍ୟାଚକୁ ୨-୦ ଗୋଲରେ ଜିତିବାରେ ସଫଳ ହୋଇଥିଲା। ଅତିଥି ଭାବେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଯୋଗ ଦେଇ ଭାରତୀୟ ଦଳର ଲାଲିନଜୁଆଲା ଚେଙ୍ଗେଟ୍ଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।
ଖେଳ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଦୁଇ ଦଳର ଖେଳାଳିମାନଙ୍କ ସହିତ ପରିଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇଏଫଏଫ ସଭାପତି କଲ୍ୟାଣ ଚୌବେ, ସମ୍ପାଦକ ଡ. ସାଜି ପ୍ରଭାକରନ ଉପସ୍ଥିତ ଥିଲେ। ଖେଳ ଆରମ୍ଭରୁ ଦୁଇ ଦଳର ଖେଳାଳି ଓ ଅତିଥିମାନେ ବାଲେଶ୍ବରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପିଡିତ ମାନଙ୍କ ଲାଗି ନିରବ ପ୍ରାର୍ଥନା କରାଯାଇଥିଲା। ଭାରତ ୧୨ରେ ଦ୍ବିତୀୟ ମ୍ୟାଚ ଭାନୁଆଟୁ ସହ ଓ ମଙ୍ଗୋଲିଆ -ଲେବାନନ ସହ ଖେଳିବ।
Comments are closed.