ନୂଆଦିଲ୍ଲୀ: ଇନ୍ଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଭାରତୀୟଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବାକୁ ଆହ୍ୱାନ କରୁଥିବା ବେଳେ, ଆଇଟି ସେବା ମହାରଥୀ ଇନ୍ଫୋସିସ୍ କର୍ମଚାରୀଙ୍କୁ ଅଧିକ ସମୟ କାମ କରିବାକୁ ଆହ୍ବାନ ଦେଇଛି। କାର୍ଯ୍ୟ-ଜୀବନ ଭାରସାମ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି ଇନ୍ଫୋସିସ୍। ଏ ବିଷୟରେ କର୍ମଚାରୀଙ୍କୁ ସତର୍କ କରିବା ପାଇଁ ଇନଫୋସିସ୍ ଏକ ଅଭିଯାନ ଆରମ୍ଭ କରିଛି। ସମ୍ଭାବ୍ୟ ସ୍ୱାସ୍ଥ୍ୟ ଚିନ୍ତାକୁ ଉଦ୍ଧୃତ କରି ଏବଂ କାର୍ଯ୍ୟ-ଜୀବନ ଭାରସାମ୍ୟ ବଜାୟ ରଖିବାର ଆବଶ୍ୟକତା ଉପରେ ଇନ୍ଫୋସିସ୍ ଗୁରୁତ୍ୱାରୋପ କରିଛି।
ଇନ୍ଫୋସିସ୍ କର୍ମଚାରୀଙ୍କୁ ବ୍ୟକ୍ତିଗତ ଇମେଲ୍ ପଠାଇ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁରୋଧ କରିଛି। ‘ଆପଣଙ୍କ କାର୍ଯ୍ୟ ଦିବସରେ ନିୟମିତ ବିରତି ନିଅନ୍ତୁ; ଯଦି ଆପଣ ଭାରାକ୍ରାନ୍ତ ଅନୁଭବ କରୁଛନ୍ତି କିମ୍ବା ସାହାଯ୍ୟ ଆବଶ୍ୟକ କରୁଛନ୍ତି ତେବେ ଆପଣଙ୍କ ପରିଚାଳକଙ୍କୁ ଜଣାନ୍ତୁ। ଯଦିଓ ଆମେ ଆପଣଙ୍କର ପ୍ରତିବଦ୍ଧତାକୁ ପ୍ରଶଂସା କରୁଛୁ, ଆମେ ଏହା ମଧ୍ୟ ବିଶ୍ୱାସ କରୁଛୁ ଯେ ଏକ ସୁସ୍ଥ କାର୍ଯ୍ୟ-ଜୀବନ ଭାରସାମ୍ୟ ବଜାୟ ରଖିବା ଆପଣଙ୍କ ମଙ୍ଗଳ ଏବଂ ଦୀର୍ଘକାଳୀନ ବୃତ୍ତିଗତ ସଫଳତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’ ବୋଲି ଇମେଲ୍ରେ ଉଲ୍ଲେଖ କରାଯାଇଛି। ‘ଆମକୁ ସପ୍ତାହରେ ପାଞ୍ଚ ଦିନ ପାଇଁ ଦିନକୁ ୯.୧୫ ଘଣ୍ଟା କାମ କରିବାକୁ ପଡ଼ିବ, ଏବଂ ଯଦି ଆମେ କାମ କରିବା ସମୟରେ ଏହାକୁ ଅତିକ୍ରମ କରିଥାଉ, ତେବେ ଏହା କାର୍ଯ୍ୟ-ଜୀବନ ମଧ୍ୟରେ ଭାରସାମ୍ୟ ହରାଇବାର କାରଣ ହେବ ବୋଲି ଜଣେ କର୍ମଚାରୀ କହିଛନ୍ତି। ମାନବ ସମ୍ବଳ ବିଭାଗ ପ୍ରତି ମାସରେ ଘରୁ କାମ କରିବା ସମୟ ଉପରେ ନଜର ରଖୁଛି। ଯେତେବେଳେ ଅତ୍ୟଧିକ କାର୍ଯ୍ୟ ସମୟ ଚିହ୍ନଟ ହୁଏ, ସେମାନେ ସମ୍ପୃକ୍ତ କର୍ମଚାରୀଙ୍କୁ ବିସ୍ତୃତ ସୂଚନା ପଠାନ୍ତି। ଯେଉଁଥିରେ କାର୍ଯ୍ୟ ଦିବସ, ମୋଟ କାର୍ଯ୍ୟ ସମୟ ଏବଂ ଦୈନିକ ହାରାହାରି କାର୍ଯ୍ୟ ସମୟ ବିଷୟରେ ସୂଚନା ଦିଆଯାଇଥାଏ। ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ-ଜୀବନ ଭାରସାମ୍ୟକୁ ପ୍ରାଥମିକତା ଦେବା ଦ୍ୱାରା ଦୀର୍ଘକାଳୀନ ଭାବରେ ବ୍ୟକ୍ତିଗତ କଲ୍ୟାଣ ଏବଂ ବୃତ୍ତିଗତ ସଫଳତା ଉଭୟକୁ ଲାଭ ମିଳିବ।
ଇନ୍ଫୋସିସ୍ ପ୍ରାୟ ୩,୨୩,୫୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ୨୦୨୩ ନଭେମ୍ବର ୨୦ରେ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତି ନିର୍ଦେଶନାମାରେ କୁହାଯାଇଛି ଯେ କର୍ମଚାରୀ ମାସିକ ସର୍ବନିମ୍ନ ୧୦ ଦିନ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ଆବଶ୍ୟକ। ଭାରତର ଦ୍ୱିତୀୟ ସର୍ବବୃହତ ଆଇଟି ସେବା ପ୍ରଦାନକାରୀଙ୍କ ଏହି କାର୍ଯ୍ୟକ୍ରମ ଯୁବ ପ୍ରଯୁକ୍ତି ବୃତ୍ତିଗତ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ଆହ୍ବାନ, ବିଶେଷକରି ହୃଦ୍ରୋଗ ସମସ୍ୟାର ସମାଧାନ ପାଇଁ କରାଯାଇଛି। ଯାହା ସେମାନଙ୍କର ଅନିୟମିତ ଖାଦ୍ୟପେୟ ଏବଂ ବିଶ୍ରାମ ଶୈଳୀ ଯୋଗୁଁ ହୋଇଥାଏ। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବୃତ୍ତିଗତ ଚାପ ଏବଂ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା ତଥା ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ଭାରସାମ୍ୟ ବଜାୟ ରଖିବା ବିଷୟରେ ବ୍ୟାପକ ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋଚନା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିଛି। କାରଣ କାର୍ଯ୍ୟକ୍ଷେତ୍ର-ସମ୍ବନ୍ଧୀୟ ଚାପର ବର୍ଦ୍ଧିତ ଉଦାହରଣ ବିଭିନ୍ନ ସ୍ୱାସ୍ଥ୍ୟ ଜଟିଳତା ସୃଷ୍ଟି କରିଛି, କିଛି କ୍ଷେତ୍ରରେ ଦୁର୍ଭାଗ୍ୟବଶତଃ ମୃତ୍ୟୁ ଘଟିଛି। ତେବେ କିଛି ମାସ ପୂର୍ବେ ଇନ୍ଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଭାରତୀୟ କର୍ମଚାରୀଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବାକୁ ଆହ୍ବାନ ଦେଇଥିଲେ। ଏହାକୁ ଅନେକ ସମାଲୋଚନା ମଧ୍ୟ କରିଥିଲେ।



