ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ କେନାଲ
ଉଭେଇଗଲା ନୂଆଁଖାଇ ଖୁସି, ଶହଶହ ଏକର ଜମି ଜଳମଗ୍ନ
ଧର୍ମଗଡ : ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡ଼ିବା ଫଳରେ କଳାହାଣ୍ଡି ଜିଲା ବଗାଡ ଗାଁର ଶହଶହ ଏକର ଜମି ଜଳମଗ୍ନ ହୋଇଛି। ନୂଆଁଖାଇକୁ ନେଇ କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଆନନ୍ଦ ମୁଖରିତ ଥିବା ବେଳେ ଏହି ଗ୍ରାମର ଚାଷୀଙ୍କ ମୁହଁ ଫିକା ପଡ଼ିଯାଇଛି। ଶନିବାର ସନ୍ଧ୍ୟା ୬ଟାରେ କେନାଲରେ ଘାଇ ସୃଷ୍ଟି ହେବା ପରେ କେନାଲ ପାଣି ଜମିକୁ ମାଡ଼ିଯାଇଛି। କେନାଲ ପାଣିରେ ଜମି ଜଳମଗ୍ନ ହେବା ଦେଖି ନୂଆଁଖାଇର ସବୁ ଖୁସି କ୍ଷଣିକ ମଧ୍ୟରେ ଉଭେଇ ଯାଇଛି। ଇନ୍ଦ୍ରାବତୀ ଦ୍ବାରା ଜଳସେଚିତ ବଗାଡ ଗାଁରେ ଚଳିତ ବର୍ଷ ଧାନ ରୁଆ ସରିଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ସାର ପ୍ରୟୋଗ ପାଇଁ ଚାଷୀ ସଜବାଜ ହେଉଥିଲା । ଠିକ ଏତିକି ସମୟରେ ଶନିବାର ସନ୍ଧ୍ୟାରେ ବଗାଡ ନିକଟସ୍ଥ କେନାଲରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି। ଘାଇ ସୃଷ୍ଟି ଯୋଗୁଁ ଆଶିଷ ବେହେରା, ବସନ୍ତ ବେହେରା, ଉମାଶଙ୍କର ମାଝୀ, ନିରାକାର ରଣା, ସୁରତ ରଣା ସମେତ ପ୍ରାୟ ୩୦ଜଣ ଚାଷୀଙ୍କ ଜମି ଜଳମଗ୍ନ ହୋଇପଡ଼ିଛି। ଦୀର୍ଘ ଦିନରୁ ରକ୍ଷଣାବେକ୍ଷଣ ଅଭାବରୁ କେନାଲରେ ଘାଇ ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ୬ଟାରେ କେନାଲ ଭାଙ୍ଗିଥିଲେ ବି ଘାଇ ମରାମତି ପାଇଁ ଇନ୍ଦ୍ରାବତୀ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବା ସୂଚନା ମିଳିଛି। ଉପରମୁଣ୍ଡରୁ ବାମ କେନାଲକୁ ଆସୁଥିବା ପାଣିକୁ ବନ୍ଦ କରି ଘାଇ ମରାମତି କରାନଗଲେ କ୍ଷତିର ପରିମାଣ ବଢ଼ିବ ବୋଲି ଆଶଙ୍କା କରାଯାଉଛି।
Comments are closed.