ଇଣ୍ଡୋନେସିଆରେ ଭୂମିକମ୍ପ: ୧୦ ମୃତ, ଶତାଧିକ ଆହତ

0

ବାଲି: ଇଣ୍ଡୋନେସିଆରେ ଆଜି ସକାଳୁ ଭୂକମ୍ପରେ ଅନେକ କ୍ଷୟକ୍ଷତି ହୋଇଛି। ସଦ୍ୟତମ ସୂଚନା ଅନୁଯାୟୀ, ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଅନେକ କୋଠାବାଡ଼ି ଭାଙ୍ଗିଯାଇଛି।
ଆଜି ସକାଳ ୬.୪୭ରେ ଇଣ୍ଡୋନେସିଆର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୁହାଯାଉଥିବା ଲୋମ୍ବୋକ୍‍ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‍ରେ ଭୂକମ୍ପର ତୀବ୍ରତା ଥିଲା ୬.୪। ମାତାରାମ୍‍ ସହରର ୫୦ କିମି ଉତ୍ତରପୂର୍ବରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ପ୍ରାଥମିକ ଭୂତାତ୍ତ୍ୱିକ ଅନୁଧ୍ୟାନରୁ ଜଣାପଡ଼ିଛି। ଭୂମିକମ୍ପ ସମୟରେ ଲୋକମାନେ ଘର ଭିତରେ ଶୋଇଥିବାରୁ କାନ୍ଥପଡ଼ି ମୃତାହତ ହୋଇଛନ୍ତି। ଏହାପରେ ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ଘର ଭିତରୁ ବାହାରକୁ ଦୌଡ଼ି ଯାଉଥିବାର ଦୃଶ୍ୟ ଦେଖାଯାଇଥିଲା। ଭୂକମ୍ପର ପ୍ରଭାବ ବାଲି, ମାଉଣ୍ଟ ରିଞ୍ଜାନି ଜାତୀୟ ପାର୍କରେ ମଧ୍ୟ ଅନୁଭୂତ ହୋଇଥିବା କୁହାଯାଉଛି। ଭୂସ୍ଫଳନ ଭୟରେ ଜାତୀୟ ଉଦ୍ୟାନକୁ ବନ୍ଦ କରିଦିଆ ଯାଇଛି।
କିଛି ଦେଖଣାହାରୀଙ୍କ ସୂଚନା ଅନୁଯାୟୀ ହଠାତ୍‍ ହ୍ରଦ ଓ ପୋଖରୀର ପାଣିରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଜୁଆର ଆସିଥିଲା। କେହି କିଛି ବୁଝିବା ପୂର୍ବରୁ କେତେକ ସ୍ଥାନରେ କୋଠାଗୁଡ଼ିକ ଭୁଶୁଡ଼ି ପଡ଼ିଥିଲା। ଏ ପର୍ଯ୍ୟନ୍ତ ଲୋକମାନେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି।

Leave A Reply