nua o banner

ଭାରତୀୟ ମହିଳା କ୍ରିକେଟରଙ୍କୁ ମ୍ୟାଚ୍ ଫିକ୍ସିଂର ପ୍ରସ୍ତାବ

BJD Bijuli 480×75 Mob
0

ନୂଆଦିଲ୍ଲୀ: ଚଳିତମାସ ପ୍ରାରମ୍ଭରେ ଏକ ଆନ୍ତର୍ଜାତିକ ମହିଳା କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ସିନିୟର ମହିଳା କ୍ରିକେଟ ଦଳର ଜଣେ ଖେଳାଳିଙ୍କୁ ମ୍ୟାଚ୍ ଫିକ୍ସିଂର ପ୍ରସ୍ତାବ ଦିଆ ଯାଇଥିଲା। ବିସିସିଆଇର ଦୁର୍ନୀତି ନିରୋଧ ସଂସ୍ଥା (ଏସିୟୁ) ନିକଟରେ ଉକ୍ତ ମହିଳା କ୍ରିକେଟର ଉପରୋକ୍ତ ମ୍ୟାଚ୍ ଫିକ୍ସିଂର ପ୍ରସ୍ତାବ ବିଷୟରେ ଜଣାଇ ଦେଇଥିଲେ। ଚଳିତବର୍ଷ ଫେବୃୟାରୀରେ ଇଂଲଣ୍ଡ ସିନିୟର ମହିଳା ଦଳ ବିପକ୍ଷରେ ଭାରତର ଦିିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳର ଜଣେ ସଦସ୍ୟାଙ୍କୁ ଦୁଇ ଜଣ ବ୍ୟକ୍ତି ଦୁର୍ନୀତିର ପ୍ରସ୍ତାବ ଦେଇଥିବା କଥା ବିସିସିଆଇ ଏସିୟୁକୁ ମହିଳା କ୍ରିକେଟର ଜଣାଇ ଦେଇଥିଲେ।
ଉକ୍ତ ଜାତୀୟ ମହିଳା କ୍ରିକେଟରଙ୍କ ଅଭିଯୋଗ ଭିତ୍ତିରେ ବିସିସିଆଇ ଏସିୟୁ ବେଙ୍ଗାଲୁରୁ ପୁଲିସ୍ ନିକଟରେ ୨ ଜଣ ଅଭିଯୁକ୍ତ ରାକେଶ ବାଫ୍‌ନା ଓ ଜିତେନ୍ଦ୍ର କୋଠାରୀଙ୍କ ନାମରେ ଏତଲା ଦେଇଛି। ଉକ୍ତ ୨ ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଦଣ୍ଡିବିଧି ଆଇନ୍ (ଆଇପିସି)ର ୪ଟି ଧାରା ଅନ୍ତର୍ଗତ ମାମଲା ରୁଜ୍ଜୁହୋଇଛି। ଏହା ମଧ୍ୟରେ ୪୨୦ ଧାରା ରହିଛି। ବିସିସିଆଇ ଏସିୟୁର ମୁଖ୍ୟ ଅଜିତ ସିଂହ ଶେଖାୱତ ଗଣମାଧ୍ୟମକୁ ସୋମବାର କହିଛନ୍ତି, ଆମେ ବେଙ୍ଗାଲୁରୁରେ ୨ ଜଣ ବ୍ୟକ୍ତିଙ୍କ ନାମରେ ଏତଲା ଦେଇଛୁ। ଭାରତୀୟ ମହିଳା କ୍ରିକେଟ ଦଳର ଜଣେ ସଦସ୍ୟାଙ୍କୁ ଏହି ୨ ଜଣ ବ୍ୟକ୍ତି ଦୁର୍ନୀତିର ପ୍ରସ୍ତାବ ଦେଇଥିଲେ। ଉକ୍ତ ଖେଳାଳି ଆମକୁ ଏହା ଜଣାଇଥିଲେ। ଏପରିକି ଉପରୋକ୍ତ ୨ ଜଣଙ୍କ ସହ ଫୋନ୍‌ରେ ତାଙ୍କର କଥାବାର୍ତ୍ତାକୁ ଉପରୋକ୍ତ ମହିଳା କ୍ରିକେଟର ରେକର୍ଡ କରିଥିଲେ। ଏହା ମଧ୍ୟ ସେ ଆମକୁ ଜଣାଇଛନ୍ତି। ଏକ ରିପୋର୍ଟ ଅନୁସାରେ, ଗତବର୍ଷ ଉକ୍ତ ମହିଳା କ୍ରିକେଟରଙ୍କ ସହ ସମ୍ପର୍କରେ ଆସିଥିଲେ ଜିତେନ୍ଦ୍ର କୋଠାରୀ। ତେବେ ଚଳିତବର୍ଷ ଫେବୃୟାରୀରେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଉକ୍ତ ମହିଳା କ୍ରିକେଟର ଅଭ୍ୟାସ କରୁଥିବା ବେଳେ ରାକେଶ ବାଫ୍‌ନାଙ୍କ ଜରିଆରେ ଜିତେନ୍ଦ୍ର କୋଠାରୀ ତାଙ୍କୁ ଦୁର୍ନୀତିର ପ୍ରସ୍ତାବ ଦେଇଥିଲେ। ଭାରତୀୟ ଦଳର ବିଭିନ୍ନ ମହିଳା କ୍ରିକେଟରଙ୍କ ମ୍ୟାନେଜର ଭାବେ ଜିତେନ୍ଦ୍ର କୋଠାରୀ ଉକ୍ତ ମହିଳା ଖେଳାଳିଙ୍କୁ ନିଜର ପରିଚୟ ଦେଇଥିଲେ। ପରେ ଉକ୍ତ ମହିଳା କ୍ରିକେଟରଙ୍କ ସହ ବାଫ୍‌ନାଙ୍କୁ ମଧ୍ୟ କୋଠାରୀ ପରିଚିତ କରିଥିଲେ। ପରେ ଉକ୍ତ ମହିଳା କ୍ରିକେଟରଙ୍କୁ ମ୍ୟାଚ୍ ଫିକ୍ସ କରିବା ସହ ତାଙ୍କ ଯୋଜନା ଅନୁସାରେ ଖେଳିବା ଲାଗି ବାଫ୍‌ନା ପ୍ରସ୍ତାବ ଦେଇଥିଲେ। ସୂଚନାଯୋଗ୍ୟ; ଭାରତୀୟ ମହିଳା କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ମ୍ୟାଚ୍‌ ଫିକ୍ସିଂ କରିବାର ପ୍ରସ୍ତାବ ଦିଆଯାଇଛି। ଏହାକୁ ବିସିସିଆଇର ଏସିୟୁ ଗମ୍ଭୀରତାର ସହ ନେବା ସହ ସମସ୍ତ ମହିଳା କ୍ରିକେଟରଙ୍କୁ ସତର୍କ କରାଇଦେଇଛି। କାରଣ ମ୍ୟାଚ୍‌ ଫିକ୍ସରଙ୍କ ଆଖି ଏବେ ମହିଳା କ୍ରିକେଟରଙ୍କ ଉପରେ। ଉକ୍ତ କ୍ରିକେଟର ତାଙ୍କୁ ମିିଳିଥିବା ପ୍ରସ୍ତାବ ସମ୍ପର୍କରେ ଏସିୟୁକୁ ଜଣାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ଶେଖାୱତ। ଆଗକୁ ଯଦି କୌଣସି ମହିଳା କ୍ରିକେଟରଙ୍କୁ ଦୁର୍ନୀତିର ପ୍ରସ୍ତାବ ମିଳେ; ତେବେ ତୁରନ୍ତ ସେମାନେ ଏସିୟୁକୁ ଜଣାଇବେ। ଅନ୍ୟଥା ଏହା ଜଣାପଡ଼ିଲେ; ଉକ୍ତ କ୍ରିକେଟର ବାସନ୍ଦ ହୋଇପାରନ୍ତି।

Leave A Reply