‘ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକୁ ନିଜର ଏକ ବ୍ରାଣ୍ଡ୍‍ ତିଆରି କରିବାକୁ ପଡିବ’

ଭୁବନେଶ୍ୱର: ସଂପ୍ରତି ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ବିଭିନ୍ନ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଏଥିରୁ ସେମାନେ ଆନ୍ତର୍ଜାତୀୟ ମାନ୍ୟତା ହାସଲ କରିବାକୁ ଦୃଷ୍ଟି ରଖିଥିବା ସୂଚନା ମିଳୁଛି। କିନ୍ତୁ କିଛି ବିଶ୍ୱବିଦ୍ୟାଳୟ ସେମାନଙ୍କ ନିକଟରେ ଉପଲବ୍ଧ ସୁବିଧା ଏବଂ ଶିକ୍ଷାଦାନକୁ ଭିତ୍ତିକରି ଏହି ଆନ୍ତର୍ଜାତୀୟ ମାନଦଣ୍ଡ ହାସଲ କରିପାରୁଥିବା କହିଛନ୍ତି ବିର୍ଲା ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର (ଡଃ) ପି ପି ମାଥୁର। ସେ କହିଛନ୍ତି ଯେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକୁ ଏକ ବ୍ରାଣ୍ଡ୍‍ ତିଆରି କରିବାକୁ ପଡିବ ଏବଂ ବହୁ ସଂଖ୍ୟକ ବିଦେଶୀ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମଣ୍ଡଳୀଙ୍କୁ ଏଥିରେ ସାମିଲ କରିବାକୁ ହେବ।
ଡଃ ମାଥୁର କହିଛନ୍ତି, ଆମର ଶିକ୍ଷାଦାନ ଓ ମୂଲ୍ୟାଙ୍କନ ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକତା ରହିଛି। ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ କରିବାକୁ ହେବ। ଦେଶରେ ଅନେକ ପ୍ରତିଷ୍ଠିତ ସରକାରୀ ଅନୁଷ୍ଠାନ ରହିଛି। ତାହାସହିତ ଉତ୍କର୍ଷ ଲାଭ କରିଥିବା ଘରୋଇ ଅନୁଷ୍ଠାନଗୁଡିକୁ ମଧ୍ୟ ସରକାର ସମର୍ଥନ କରିବାର ଆବଶ୍ୟକତା ରହିଛି।
ଛାତ୍ରଛାତ୍ରୀ ସେମାନଙ୍କର ନିଜର ଜ୍ଞାନକୁ କ୍ରମାଗତ ଭାବେ ଉନ୍ନୀତ କରିବାରେ ସମୟ ଉତ୍ସର୍ଗ କରିବାକୁ ଡଃ ମାଥୁର ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ବିଜିୟୁ ତାହାର ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ଉତ୍ସର୍ଗୀକୃତ ଅଧ୍ୟାପକ ମଣ୍ଡଳୀଙ୍କ ସହିତ ଗୁଣାତ୍ମକ ଶିକ୍ଷାଦାନକୁ ନେଇ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ଦିଗରେ ପ୍ରୟାସ କରୁଛି। ଏହି ବିଶ୍ୱବିଦ୍ୟାଳୟ ଫଳାଫଳ ଭିତ୍ତିକ ଶିକ୍ଷାଦାନ କରୁଛି ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ଏଠାରେ ପୂର୍ବରୁ ଡାଟା ସାଇନ୍ସରେ ବିଏସସି (ସମ୍ମାନ) ଏବଂ କଂପ୍ୟୁଟର ସାଇନ୍ସରେ ବିଏସସି (ସମ୍ମାନ) ପାଠ୍ୟକ୍ରମ ଆରମ୍ଭ ହୋଇସାରିଛି ଏବଂ ଭବିଷ୍ୟତର ଚାହିଦାକୁ ଦୃଷ୍ଟିରେ ରଖି ବିଜନେସ ଆଲାଟିକ୍ସ ଓ ବ୍ୟାଙ୍କିଙ୍ଗ ଟେକନୋଲୋଜି ଭଳି ବିଭିନ୍ନ ନୂତନ ପାଠ୍ୟକ୍ରମ ପ୍ରଚଳନ କରାଯିବାକୁ ପଦକ୍ଷେପ ନିଆଯାଉଛି। ଆଗାମୀ ୫ ବର୍ଷ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଅଧିକାଂଶ ଆଧୁନିକ ଓ ପ୍ରାସଙ୍ଗିକ ପାଠ୍ୟକ୍ରମ ପ୍ରଦାନ କରୁଥିବା ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ଅନ୍ୟତମ ହେବ।

Comments are closed.