ସାତ୍ତ୍ବିକ-ଚିରାଗ ଜିତିଲେ ସୁଇସ୍‌ ଓପନ ଯୁଗଳ ଟ୍ରଫି

ବାସେଲ୍‌  : ଭାରତୀୟ ଯୁଗଳ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟି ସୁଇସ୍ ଓପନ ସୁପର ସିରିଜ୍‌ ୩୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଯୁଗଳ ବର୍ଗରେ ଚମ୍ପିଆନ ହୋଇଛନ୍ତି। ରବିବାର ଖେଳାଯାଇଥିବା ଯୁଗଳ ବର୍ଗ ଫାଇନାଲରେ ସାତ୍ତ୍ବିକ-ଚିରାଗ ଯୋଡ଼ି ଚୀନର ରିଙ୍ଗ ଜିଆଙ୍ଗ ୱି-ଟାନ କିଆଙ୍ଗ ଯୋଡ଼ିଙ୍କୁ ୨-୦ ସେଟ୍‌୨୧-୧୯ ଓ ୨୪-୨୨ରେ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି।ବିଶ୍ବର ୬ଷ୍ଠ ମାନ୍ୟତା ପ୍ରାପ୍ତ ସାତ୍ତ୍ବିକ-ଚିରାଗ ୨୧ତମ ମାନ୍ୟତାପ୍ରାପ୍ତ ଚୀନ ଯୋଡ଼ିଙ୍କୁ ୫୪ ମିନିଟ୍‌ରେ ପରାସ୍ତ କରିଥିଲେ। ସାତ୍ତ୍ବିକ -ଚିରାଗ ପ୍ରଥମ ସେଟ୍‌ର ପ୍ରଥମ ବିରତି ବେଳକୁ ୧୧-୮ରେ ଆଗୁଆ ରହିଥିଲେ।ଚୀନ ଯୋଡ଼ି ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସାତ୍ତ୍ବିକ-ଚିରାଗ ସୁଯୋଗ ଦେଇନଥିଲେ। ଏକ ସମୟରେ ସାତ୍ତ୍ବିକ-ଚିରାଗ ୧୭-୧୨ରେ ଆଗୁଆ ରହିଥିଲେ। ଚୀନ ଯୋଡ଼ି ଶେଷ ଆଡକୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ରଥମ ସେଟ୍‌କୁ ସାତ୍ତ୍ବିକ-ଚିରାଗ ୨୧-୧୯ରେ ଜିତିବାରେ ସଫଳ ହୋଇଥିଲେ। ଦ୍ବିତୀୟ ସେଟରେ ଚୀନ ଯୋଡ଼ି ମ୍ୟାଚ ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ଏକ ସମୟରେ ମ୍ୟାଚ ୮-୮ ବରାବର ରହିଥିଲା। ପ୍ରଥମ ବିରତି ବେଳକୁ ଉଭୟେ ୧୧-୧୧ ପଏଣ୍ଟ ସମାନ ସ୍ଥିତିରେ ରହିଥିଲେ। ଶେଷରେ ସାତ୍ତ୍ବିକ-ଚିରାଗ ୨୪-୨୨ରେ ଜିତିବାରେ ସଫଳ ହୋଇଥିଲେ। ଗତ ସପ୍ତାହରେ ଅଲ୍‌ ଇଂଲଣ୍ଡ ବ୍ୟାଡମିଣ୍ଟନ ଚମ୍ପିଆନସିପର ଦ୍ବିତୀୟ ରାଉଣ୍ଡରୁ ପରାଜିତ ହୋଇଥିବା ସାତ୍ତ୍ବିକ-ଚିରାଗ ଯୋଡ଼ି ଚଳିତ ବର୍ଷ ପ୍ରଥମ ଓ ଜୀବନର ୫ମ ବିଶ୍ବ ଟୁର୍‌ ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ସାତ୍ତ୍ବିକ-ଚିରାଗ ଇଣ୍ଡିଆନ ଓପନ,୨୦୨୧ରେ ଫ୍ରେଞ୍ଚ ଓପନ , ୨୦୧୯ ଥାଇଲାଣ୍ଡ ଓପନ ଓ ୨୦୧୮ରେ ହାଇଦରାବାଦ୍‌ ଓପନ ଟାଇଟଲ ଜିତିଥିଲେ। ଏହାଛଡ଼ା ସାତ୍ତ୍ବିକ-ଚିରାଗ ଯୋଡ଼ି ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।ସେମିଫାଇନାଲରେ ସାତ୍ତ୍ବିକ-ଚିରାଗ ଯୋଡ଼ି ମାଲେସିଆର ୱଙ୍ଗୟେ ସିନ୍‌ ଓ ଟିଓ ଇ ୟିଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ ସୁଇସ୍‌ ଓପନରେ ପି.ଭି ସିନ୍ଧୁ, ଏଚ୍‌.ଏସ୍‌ ପ୍ରଣୟ ଓ ଲକ୍ଷ୍ୟ ସେନ ବିଫଳ ହୋଇଥିବାବେଳେ ଭାରତ ପାଇଁ ଏକମାତ୍ର ଯୋଡ଼ି ଭାବେ ସାତ୍ତ୍ବିକ-ଚିରାଗ ଟ୍ରଫି ହାସଲ କରିଛନ୍ତି।

Comments are closed.