ନୌସେନା ପକ୍ଷରୁ ସୁପର ସୋନିକ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଭାରତୀୟ ନୌସେନା ସୁପର ସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆରଡିଓ) ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଆରବ ସାଗରରୁ ବୁଧବାର ପରୀକ୍ଷଣ କରାଯାଇଛି। ଗତ ମାସରେ ମଧ୍ୟ ବାୟୁ ସେନା ଏହାର ସଫଳ ପରୀକ୍ଷଣ କରିଥିଲା।
ଏହା ପୂର୍ବରୁ ବାୟୁ ସେନା ଆଣ୍ଡାମାନ ନିକୋବରର ଟ୍ରାକ ଦ୍ୱୀପରୁ ସୋମବାର ଓ ମଙ୍ଗଳବାର ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା।
ଏହି କ୍ଷେପଣାସ୍ତ୍ରର ୩୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି। ବ୍ରହ୍ମୋସ କ୍ଷେପଣାସ୍ତ୍ରର ଭୁପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି। ଏହା ମଧ୍ୟମ ରେଞ୍ଜର ଏକ ଏଭଳି ସୁପରସୋନିକ କ୍ଷେପଣାସ୍ତ୍ର ଯାହାକୁ କୌଣସି ଏୟାରକ୍ରାଫ୍ଟ, ଜାହାଜ ଅବା ଛୋଟ ପ୍ଲାଟଫର୍ମରୁ ମଧ୍ୟ ନିକ୍ଷେପ କରାଯାଇ ପାରିବ। ଏହି କ୍ରୁଜ କ୍ଷେପଣାସ୍ତ୍ରକୁ ଜଳ, ସ୍ଥଳ ଏବଂ ଆକାଶମାର୍ଗରୁ ମଧ୍ୟ ନିକ୍ଷେପ କରାଯାଇ ପାରିବ।
ଭବିଷ୍ୟତରେ ଭାରତ ଏବଂ ଋଷ ଏହାର କ୍ଷମତା ୩୦୦ କିମି.ରୁ ବୃଦ୍ଧି କରି ୬୦୦ କିମି. କରିବା ଦିଗରେ କାର୍ଯ୍ୟ କରିବେ। ଯାହାଦ୍ୱାରା ସମଗ୍ର ପାକିସ୍ତାନ ଏହାର ଟାର୍ଗେଟରେ ରହିବ।

Comments are closed.