www.samajalive.in
Saturday, December 13, 2025
23.1 C
Bhubaneswar

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦, ଶୃଙ୍ଖଳା ପୋଛିଲା ଭାରତ

କଲକାତା : ଟି-୨୦ ବିଶ୍ବକପ୍‌ର ବିଫଳତା ପରେ ତା’ର ପ୍ରଥମ ଦ୍ବିପାକ୍ଷିକ ଶୃଙ୍ଖଳାକୁ ପୋଛି ନେଇଛି ଭାରତ। ବିଶ୍ବକପ୍‌ ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ଘରୋଇ ଭାରତ ୩-୦ରେ ଜିତିଛି। ରବିବାର ଇଡେନ୍‌ ଗାର୍ଡେନ୍‌ସରେ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୭୩ ରନ୍‌ରେ ଭାରତ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ପରେ କିଛି ଉପଯୋଗୀ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟରେ ୧୮୪ ରନ୍‌ କରିଥିଲା। ପରେ ମାର୍ଟିନ୍‌ ଗପ୍‌ଟିଲଙ୍କୁ ଛାଡ଼ି ନ୍ୟୁଜିଲାଣ୍ଡର ଅନ୍ୟ ସମସ୍ତେ ବିଫଳ ହେବାରୁ ଏହା ୧୭.୨ ଓଭରରେ ୧୧୧ ରନ୍‌କରି ଅଲ୍‌ଆଉଟ
ହୋଇ ଯାଇଥିଲା। ବିଶ୍ବକପ୍‌ର ଲିଗ୍‌ ମ୍ୟାଚ୍‌ରେ ଭାରତକୁ ପରାସ୍ତ କରି ଏହାର ସେମିଫାଇନାଲ ରାସ୍ତା ରୋକିଥିବା ନ୍ୟୁଜିଲାଣ୍ଡକୁ ପରାସ୍ତକରି ଭାରତ ଏହାର ପ୍ରତିଶୋଧ ନେଇପାରିଛି। ପୁଣି ଭାରତର ନୂତନ ଟି୨୦ ଅଧିନାୟକ ରୋହିତ ଶର୍ମା ଓ ନୂତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଅଧୀନରେ ଭାରତ ଶୃଙ୍ଖଳାର ସମସ୍ତ ମ୍ୟାଚ୍‌ ଜିତିପାରିଛି।
୧୮୫ ରନ୍‌ର ପିଛା କରିବା ନ୍ୟୁଜିଲାଣ୍ଡ ପାଇଁ କଷ୍ଟକର ଥିଲା। ଦଳର ପ୍ରଥମ ୩ ବ୍ୟାଟ୍‌ସମ୍ୟାନ୍ ଦୁଇଅଙ୍କ ସ୍କୋର୍‌ରେ ପହଞ୍ଚି ନ ପାରିବା ନ୍ୟୁଜିଲାଣ୍ଡ ପାଇଁ କାଳ ହୋଇଥିଲା। ପୂରା ସିରିଜ୍ ପରି ଏହି ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ କରୁଥିବା ମାର୍ଟିନ୍ ଗପ୍‌ଟିଲ ଅର୍ଦ୍ଧଶତକ ହାସଲ ପରେ ଆଉଟ ହୋଇଯିବା ନ୍ୟୁଜିଲାଣ୍ଡର ଶେଷ ଆଶାକୁ ମଧ୍ୟ ମଉଳାଇ ଦେଇଥିଲା। ଡ୍ୟାରିଲ ମିଚେଲ ୫ ଏବଂ ମାର୍କ ଚାପ୍‌ମ୍ୟାନ୍ ଓ ଗ୍ଲେନ୍‌ ଫିଲିପ୍‌ସ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ୩୦ ରନ୍‌ରେ ୩ଟି ୱିକେଟର ପତନ ପରେ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ସଫଳତମ ବ୍ୟାଟ୍‌ସମ୍ୟାନ୍ ମାର୍ଟିନ୍‌ ଗପ୍‌ଟିଲ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ଗପ୍‌ଟିଲ ଛକା ମାରିବା ପ୍ରୟାସରେ ଆଉଟ ହୋଇଥିଲେ। ଏହି ବରିଷ୍ଠ ଓପ୍‌ନର ୩୬ ବଲ୍‌ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୫୧ ରନ୍‌ କରିଥିଲେ। ପରେ ଆକ୍ରମଣାତ୍ମକ ବ୍ୟାଟ୍‌ସ ମ୍ୟାନ୍ ଟିମ୍‌ ସୈଫର୍ଟ ୧୭ ରନ୍‌କରି ରନ୍‌ଆଉଟ ହୋଇଥିଲେ। ଅକ୍ଷର ପଟେଲ ୩ଟି ଓ ହର୍ଷଲ ପଟେଲ ୨ଟି ୱିକେଟ ନେଇଥିଲେ। ଅକ୍ଷର ପଟେଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ରୋହିତ ଶର୍ମା ପ୍ଲେୟର ଅଫ୍ ଦି ସିରିଜ୍‌ ହୋଇଥିଲେ।
ଟସ୍ ଜିତି ଭାରତ ବ୍ୟାଟିଂ କରିଥିଲା। କେ.ଏଲ୍‌. ରାହୁଲଙ୍କ ସ୍ଥାନରେ ଖେଳିଥିବା ଈଶାନ୍ କିଷନ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଅଧିନାୟକ ରୋହିତ ଶର୍ମା ପୂରା ସିରିଜ୍‌ ପରି ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଫଳରେ ୬ ଓଭରର ପାୱରପ୍ଲେ ଶେଷରେ ଭାରତ ୱିକେଟରେ ୬୯ ରନ୍ କରି ପାରିଥିଲା। ପରେ ୩୨ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ଯୋଗୁଁ ଭାରତର ରନ୍‌ହାର ସାମାନ୍ୟ ଧିମେଇ ଯାଇଥିଲା। ଏହି ୩ଟି ଯାକ ୱିକେଟ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟ୍‌ନର ନେଇଥିଲେ। ଈଶାନ୍ କିଷନ୍ ୨୧ ବଲ୍‌ରୁ ୬ଟି ଚୌକା ସହ ୨୯ ରନ୍‌କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୦ ଓ ଋଷଭ ପନ୍ତ୍ ୪ ରନ୍‌କରି ଆଉଟ ହୋଇଥିଲେ। ରୋହିତ ୩୧ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୫୬ ରନ୍‌କରି ବିଦାୟ ନେଇଥିଲେ। ଭେଙ୍କଟେଶ ଆୟର ୧୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‌ କରିଥିଲେ। ହର୍ଷଲ ପଟେଲ ଉପଯୋଗୀ ବ୍ୟାଟିଂ କରିଥିବା ବେଳେ ଦୀପକ ଚହର ଶେଷ ଓଭର​‌େ​‌ର ୧୯ ରନ୍‌ ମାରିବାରୁ ଭାରତ ୧୮୪ ରନ୍‌ରେ ପହଞ୍ଚି ପାରିଥିଲା। ହର୍ଷଲ ପଟେଲ ୧୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌ କରିଥିଲେ। ଚହର ୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌କରି ଅପରାଜିତ ରହିଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories